ଅସୁସ୍ଥ ଶିଶୁକୁ ଧରି ଦିନ ତମାମ୍ ଏସସିବିରେ ଘୂରିଲେ ଦମ୍ପତି

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ଏସ୍ସିବି ମେଡିକାଲ୍ରେ ଗୋଟିଏ କି ଦୁଇଟି ଜାଗାରେ ନୁହେଁ । ତିନି ତିନୋଟି ଜାଗାରେ ହାଇପ୍ରୋଫାଇଲ ଲିକୁଇଡ୍ କ୍ରୋମାଟୋଗ୍ରାଫି (ଏଚ୍ପିଏଲ୍ସି) ପରୀକ୍ଷା କରାଯାଉଛି । କିନ୍ତୁ ନବରଙ୍ଗପୁର ଜିଲ୍ଲାର କୋନ୍ଗ୍ରା ଅଞ୍ଚଳରୁ ଆସିଥିବା ଏକ ଆଦିବାସୀ ଦମ୍ପତି ଏ ପରୀକ୍ଷା ପାଇଁ ଆଜି ଦିନ ତମାମ୍ ଏସ୍ସିବିରେ ଘୂରି ବୁଲିଛନ୍ତି ।
କୋନଗ୍ରା ଗ୍ରାମର ଜୟସେନ୍ ମାଳି ଓ ଜାନକୀ ମାଳିଙ୍କ ୧ ବର୍ଷ ବୟସର ପୁଅ ରାହୁଲ । ୪ମାସ ହେବ ରାହୁଲ ରକ୍ତହୀନତା ରୋଗରେ ପୀଡିତ ହୋଇ ନବରଙ୍ଗପୁର ମେଡିକାଲରେ ଚିକିତ୍ସିତ ହେଉଥିଲା । ଅବସ୍ଥା ଅଧିକ ଖରାପ ହେବାରୁ ଜୟସେନ୍ ତାକୁ ଏସ୍ସିବିକୁ ଆଣିଥିଲେ । ରକ୍ତରୋଗ ବିଭାଗ (ହେମାଟୋଲୋଜି) ଆଉଟଡୋର୍ରେ ରାହୁଲକୁ ଦେଖାଇବା ପରେ ସେଠାରେ ଡାକ୍ତରମାନେ ଶିଶୁ ସମେତ ବାପା ଓ ମାଙ୍କର ଏଚ୍ପିଏଲ୍ସି ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ । ଏହି ପରୀକ୍ଷା ପାଇଁ ଜୟସେନ୍ଙ୍କୁ ଆଞ୍ଚଳିକ ନିଦାନ କେନ୍ଦ୍ର (ଆର୍ଡିସି)କୁ ପଠାଯାଇଥିଲା । ତେବେ ସେଠାରେ କର୍ମଚାରୀମାନେ ତାଙ୍କୁ ବାହାରେ ପରୀକ୍ଷା କରି ଆଣିବାକୁ କହିଥିଲେ । ବାହାରେ ଏହି ପରୀକ୍ଷା ପାଇଁ ୬ଶହରୁ ୧୨ଶହ ଟଙ୍କା ଖର୍ଚ୍ଚ ହେଉଥିବା ଜାଣିବା ପରେ ଜୟସେନ୍ ନିରାଶ ହୋଇ ଫେରି ଆସିଥିଲେ । ଅନ୍ୟପକ୍ଷରେ ତାଙ୍କୁ ମେଡିକାଲର ଶିଶୁ ରୋଗ ବିଭାଗକୁ ମଧ୍ୟ ହେମାଟୋଲୋଜି ଆଉଟଡୋରରୁ ରେଫର୍ କରାଯାଇଥିଲା । ମାତ୍ର ଏଚ୍ପିଏଲ୍ସି ପରୀକ୍ଷା ପାଇଁ ଜୟସେନଙ୍କୁ ବାହାରକୁ ପଠାଯିବା ପରେ ସେ ଶିଶୁ ରୋଗ ବିଭାଗକୁ ଯାଇପାରିନଥିଲେ । ଏମିତିକି ଶିଶୁରୋଗ ବିଭାଗ କେଉଁଠି ତାହା ତାଙ୍କୁ ଜଣାନଥିଲା । ଫଳରେ ମେଡିକାଲ ପରିସରରେ ଥିବା ଫୁଟ୍ପାଥ୍ ଉପରେ ଶିଶୁକୁ କୋଳରେ ଧରି ଜୟସେନ ପରିବାର ବସି ରହିଥିଲେ ।
ଏ ସଂପର୍କରେ ରକ୍ତରୋଗ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଆର.କେ ଜେନାଙ୍କୁ ପଚାରିବାରୁ ସେ କହିଥିଲେ, ଏହି ପରୀକ୍ଷା ପାଇଁ ଆମ ବିଭାଗରେ ଦୁଇଟି ମେସିନ୍ ଓ ଆର୍ଡିସିରେ ମଧ୍ୟ ବ୍ୟବସ୍ଥା ରହିଛି । ହୁଏତ ଦଲାଲ ହାବୁଡରେ ପଡ଼ି ରୋଗୀ ହଇରାଣ ହୋଇଛନ୍ତି । ଏଠାରେ ପ୍ରଶ୍ନ ଉଠେ, ରକ୍ତରୋଗ ବିଭାଗରେ ଯଦି ଏହି ସୁବିଧା ଉପଲବ୍ଧ ଅଛି ତେବେ ଜୟସେନ୍ଙ୍କୁ ଆର୍ଡିସିକୁ କ’ଣ ପାଇଁ ପଠାଯାଇଥିଲା? ସେହିପରି ଏସ୍ସିବିରେ ୨୪ ଘଣ୍ଟିଆ କଣ୍ଟେ୍ରାଲ୍ ରୁମ୍ ଓ ମେ ଆଇ ହେଲପ୍ ୟୁ ଡେସ୍କ କାର୍ଯ୍ୟ କରୁଥିବା ବେଳେ ଦୂରଦୂରାନ୍ତରୁ ଆସୁଥିବା ରୋଗୀ ମେଡିକାଲର କେଉଁଠି କ’ଣ ବ୍ୟବସ୍ଥା ଓ କେଉଁ ବିଭାଗ କେଉଁଠି ରହିଛି ତାହା ଜାଣି ପାରୁନାହାନ୍ତି । ଯାହାଦ୍ୱାରା ଦଲାଲ୍ଙ୍କ ହାବୁଡ଼ରେ ପଡ଼ି ସର୍ବସ୍ୱାନ୍ତ ହେଉଛନ୍ତି । ଏହାର ପ୍ରତିକାର ବ୍ୟବସ୍ଥା କରାଯିବାକୁ ମତ ପ୍ରକାଶ ପାଉଛି । ଶେଷ ଖବର ମିଳିବା ବେଳକୁ ଶିଶୁକୁ ଏସ୍ସିବିର ଶିଶୁ ରୋଗ ବିଭାଗରେ ଆଡମିସନ୍ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons