ଆଇପିଏଲ୍ ନୂଆ ରାକେଟ୍: ବୁକି ସମେତ ୮ ଗିରଫ, ୮.୬୩ ଲକ୍ଷ ଜବତ

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ବୁ୍ୟରୋ): ବ୍ରହ୍ମପୁର ସହରରେ ପୁଣି ଆଇପିଏଲ୍ ବେଟିଂ । ଏବେ ନୂଆ ଆଇପିଏଲ୍ ର୍ୟାକେଟ୍ ଠାବ ହୋଇଛି । ଏହି ର୍ୟାକେଟ୍ର ଜଣେ ବୁକି ତଥା ବ୍ରହ୍ମପୁରରେ ମୁଖ୍ୟ ଜଗନ୍ନାଥ ଚୌଧୁରୀଙ୍କ ସହ ୮ଜଣଙ୍କୁ ଗିରଫ କରାଯାଇଥିବା ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ବୈଦ୍ୟନାଥପୁର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଲାଞ୍ଜିପଲ୍ଲୀ ପାଢ଼ି କଲୋନୀର ଜଗନ୍ନାଥଙ୍କ ସହ ଅନ୍ୟ ଅଭିଯୁକ୍ତମାନେ ହେଲେ ହଳଦିଆପଦରର ସନ୍ତୋଷ ନାହାକ, ଗୋସାଇଁନୂଆଗାଁ ବୈଦ୍ୟ ସାହିର ଅଜିତ୍ କୁମାର ସାହୁ, ଅମ୍ବିକା ନଗର ୧ମ ଲାଇନ୍ର ସବ୍ୟସଚୀ ପାଢ଼ି ଓ କ୍ରୀତିରଞ୍ଜନ ସେନାପତି, ବିଜିପୁରର ନିଳାଦ୍ରୀ ପାଢ଼ି ଗୋସାଇଁନୂଆଗାଁ ମୁଖ୍ୟ ରାସ୍ତାର ରାମ ପ୍ରସାଦ ଚୌଧୁରୀ ଓ ଗୋସାଇଁନୂଆଗାଁ ଶାଳିଆବନ୍ଧ ସାହିର ବିନୋଦ ପାଢ଼ି । ସେମାନଙ୍କ ଠାରୁ ୮, ୬୩, ୨୦୦ ଟଙ୍କା ଜବତ କରାଯାଇଛି ।
ଏସ୍ପି ମିଶ୍ରଙ୍କ କହିବାନୁଯାୟୀ ରବିବାର ଚେନ୍ନାଇ ସୁପର କିଙ୍ଗ୍ ଓ ଦିଲ୍ଲୀ କ୍ୟାପିଟାଲସ୍ ମଧ୍ୟରେ କ୍ୱାଲିଫାୟାର ମ୍ୟାଚ୍ରେ କୋଟି କୋଟି ଟଙ୍କା ବ୍ୟାଟ୍ ଲାଗିଥିବା ସୂଚନା ପାଇଥିଲା ପୁଲିସ । ଲାଞ୍ଜିପଲ୍ଲୀ ପାଢ଼ି କଲୋନୀରେ ବେଟିଂ ଚାଲିଥିବା ସୂଚନା ପାଇ ରବିବାର ରାତି ୧୦ଟା ୩୦ରେ ବୈଦ୍ୟନାଥପୁର ଥାନା ଏସ୍ଆଇ ବିଭୁତି ଭୂଷଣ ସେଠୀ ଓ ଟିମ୍ ଚଢ଼ାଉ କରିଥିଲେ । କିଛି ଯୁବକ ଫେରାର୍ ହୋଇଯାଇଥିବା ବେଳେ ୮ ଜଣ ଧରାପଡିଥିଲେ । ସେମାନଙ୍କ ଠାରୁ ୮, ୬୩, ୨୦୦ ଟଙ୍କା ଜବତ କରାଯାଇଛି । କିଏ କାହା ପାଇଁ କେତେ ଟଙ୍କା ବେଟ୍ ଲଗାଉଥିଲେ ତାହାର ମଧ୍ୟ ଏକ ତାଲିକା ପୁଲିସ ପାଇଛି । ଅଭିଯୁକ୍ତ ମାନେ ସ୍କାଇ ଏକ୍ସଚେଞ୍ଜ୍ ଡଟ୍ କମ୍ ଏବଂ ନାଇସ୍ ୫୫୫୫ ଡଟ୍ ନେଟ୍ ଦୁଇଟି ୱେବ୍ସାଇଟ୍ ଜରିଆରେ ବେଟିଂ କରୁଥିଲେ । ବୈଦ୍ୟନାଥପୁର ଥାନା ଆଇଆଇସି ରାମ କୁମାର ମୁର୍ମୁ ତଦନ୍ତ ଭାର ଗ୍ରହଣ କରିବା ସହ ଅଧିକ ଛାନ୍ଭିନ୍ କରୁଛନ୍ତି । ଦୁଇଟି ୱେବ୍ସାଇଟ୍ ଲିଙ୍କ୍ ଆମେରିକା, କାନ୍ନଡା ଓ ଡେନ୍ମାର୍କ ସହ ରହିଥିବା ପୁଲିସ ତଦନ୍ତରେ ଜଣାପଡିଛି । ଆଇପିଏଲ୍ ବେଟିଂ ର୍ୟାକେଟ୍ ଲିଙ୍କ୍ କୋଉ ପର୍ଯ୍ୟନ୍ତ ଲମ୍ବିଛି ଏବଂ କେଉଁ ମାନେ ଏଥିରେ ସଂପୃକ୍ତ ରହିଛନ୍ତି ଜାଣିବାକୁ ପୁଲିସ ସାଇବର ସେଲ୍ ସ୍ପେଶାଲ୍ ସ୍କ୍ୱାଡ୍କୁ ନିୟୋଜିତ କରିଛି । ଦୁଇଟି ୱେବ୍ସାଇଟ୍କୁ କିଛି ନୂଆ ଖେଳାଳିଙ୍କ ଦ୍ୱାରା ପରିଚାଳନା କରାଯାଉଥିବାରୁ ଅଧିକ ତଥ୍ୟ ହସ୍ତଗତ ହୋଇପାରି ନାହିଁ । ବାହାର ରାଜ୍ୟରେ ମଧ୍ୟ କିଛି ଯୁବକ ଏହାକୁ ପରିଚାଳନା କରୁଥିବା ପ୍ରାଥମିକ ତଦନ୍ତରେ ଜଣାପଡିଛି । ବୈଦ୍ୟନାଥପୁର ଥାନା କେସ୍ ନମ୍ବର ୨୭୩/୨୦୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସ୍ପି ମିଶ୍ର କହିଛନ୍ତି । ଗିରଫ ହୋଇଥିବା ୮ ଜଣ ଅଭିଯୁକ୍ତ ଆଇପିଏଲ୍ ବେଟିଂ ମାମଲାରେ ପ୍ରଥମେ ଗିରଫ ହୋଇଛନ୍ତି । ସେମାନଙ୍କୁ ନେଇ ଖୋଳତାଡ଼ ଜାରି ରହିଥିବା ବେଳେ ଅଧିକ ତଦନ୍ତ କରିବାକୁ ପୁଲିସ ସମସ୍ତଙ୍କୁ ରିମାଣ୍ଡରେ ଆଣିବ । ର୍ୟାକେଟ୍ ପଛରେ ଥିବା ମାଷ୍ଟରମାଇଣ୍ଡକୁ ମଧ୍ୟ ପୁଲିସ ଏବେ ଖୋଜିବା ଆରମ୍ଭ କରିଦେଇଛି । ପୁଲିସ ତଦନ୍ତରେ ଏହାର ଲିଙ୍କ୍ ରାଜ୍ୟ ଭିତରେ ଟିଟଲାଗଡ଼ ବାହାରୁଥିବା ବେଳେ ରାଜ୍ୟ ବାହାରୁ ଜଣେ ମାଷ୍ଟରମାଇଣ୍ଡ ପରିଚାଳନା କରୁଥିବା ପୁଲିସ ସୂଚନା ପାଇଛି ।
ସୂଚନାଯୋଗ୍ୟ ଯେ ବ୍ରହ୍ମପୁର ପୁଲିସକୁ ଗତବର୍ଷ ଆଇପିଏଲ୍ ବେଟିଂ ର୍ୟାକେଟ୍ ଧରିବାରେ ବଡ଼ ସଫଳତା ମିଳିଥିଲା । ବ୍ରହ୍ମପୁର ପୁଲିସ ଠାରୁ ତଥ୍ୟ ନେଇ ମୁମ୍ବାଇ ପୁଲିସ ମଧ୍ୟ କେସ୍ କରିଛି । ପୁଲିସ କିଛି ଆଇପିଏଲ୍ ସବ୍ ବୁକି ସହ କଲିକତାରେ ରହୁଥିବା ଦିନେଶ ରାଠିକୁ ମଧ୍ୟ ଗିରଫ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons