ଆଠଗଡ଼ ଏଟିଏମ୍ ଗାଡ଼ି ଲୁଟ୍ ଘଟଣାର ପର୍ଦ୍ଧାଫାସ୍

Get real time updates directly on you device, subscribe now.

ଆଠଗଡ଼,(ବି.ବି.ନୁ୍ୟଜ): ଆଠଗଡ଼ ଏଟିଏମ୍ ଗାଡ଼ି ଲୁଟ୍ ଘଟଣାରେ ଆଉ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପୂର୍ବରୁ ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବା ପରେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଉପରକଟାର ଫଗୁନାଥ ନାୟକଙ୍କ ପୁଅ ଯାଦବ ଓରଫ କ୍ଷୀରୋଦ ନାୟକ (୨୪) ଏବଂ ପୁରୁଣା କଟକ ଥାନା କରଞ୍ଜକଟା ଗ୍ରାମର ରମେଶ ଚନ୍ଦ୍ର ବେହେରାଙ୍କ ପୁଅ ରିଙ୍କୁ ଓରଫ ରଜତ କୁମାର ବେହେରା (୨୯) ଏବଂ ଭୁବନେଶ୍ୱର ନନ୍ଦନକାନନ ଥାନା ଅନ୍ତର୍ଗତ ଗଣ୍ଡରପୁରର ସୋମନାଥ ସେନାପତିଙ୍କ ପୁଅ ଟିକି ଓରଫ ବ୍ରହ୍ମାନନ୍ଦ ସେନାପତି(୨୫)ଙ୍କୁ ପୁଲିସ୍ ବାନ୍ଧିଛି । ଏମାନଙ୍କୁ ମିଶାଇ ଏବେ ସୁଦ୍ଧା ଗିରଫଦାରୀ ସଂଖ୍ୟା ୬ ହୋଇଥିବା ବେଳେ ଏ ଘଟଣାରେ ଆହୁରି ଅନେକଙ୍କ ସମ୍ପୃକ୍ତି ଅନୁମାନ କରାଯାଉଛି । ଏମିତିକି ଘଟଣା ପଛର ମାଷ୍ଟର୍ ମାଇଣ୍ଡ୍ ଏବେ ବି ଫେରାର୍ ଥିବା ଜଣାପଡିଛି ।
ପୁଲିସ ସୂଚନା ଅନୁସାରେ, ଭୁବନେଶ୍ୱରରେ ପ୍ରସ୍ତୁତ ହୋଇଥିଲା ଏଟିଏମ୍ ଗାଡ଼ି ଲୁଟ୍ର ବ୍ଲୁପ୍ରିଣ୍ଟ୍ । ଅଭିଯୁକ୍ତମାନେ ଓୟୋ ହୋଟେଲରେ ଏକାଠି ହୋଇ କେଉଁଦିନ, କିପରି ଏହି ଲୁଟ୍କୁ ସଠିକ୍ ରୂପ ଦିଆଯିବ ସେ ବାବଦରେ ଯୋଜନା କରିଥିଲେ । ଗତ ୩ ମାସ ତଳୁ ହୋଇଥିବା ଯୋଜନାନୁସାରେ ଦୁର୍ବୃତ୍ତମାନେ ଆଗକୁ ବଢିଥିଲେ । ବାଳିରୁ ଯୋଜନାବଦ୍ଧ ଭାବେ ଏକ ଭଡ଼ା ଗାଡ଼ି ଲୁଟ୍ କରିବା ଏବଂ ଏଟିଏମ୍ ଟଙ୍କା ଭର୍ତ୍ତି ଗାଡ଼ିର ଗତିବିଧି ଉପରେ ନଜର ରଖିଥିଲେ । ଲୁଟ୍ ଦିନ ୩ଟି ମୋବାଇଲ୍ କିଣାଯାଇ ସେଗୁଡ଼ିକରେ ନକଲି ସିମ୍ ପକାଯାଇ ସେହି ଫୋନ୍ରେ ଲୁଟ୍ର ସମସ୍ତ ତଥ୍ୟ ଦେଣନେଣ କରୁଥିଲେ । ଦୁର୍ବୃତ୍ତମାନେ ନିଜ ନିଜର ମୋବାଇଲକୁ ସୁଇଚ୍ ଅଫ୍ କରି ଏହି ମୋବାଇଲରେ ଲୁଟ୍ର ସମସ୍ତ ଦିଗକୁ ନିୟନ୍ତ୍ରଣ କରୁଥିଲେ । ଘଟଣା ଦିନ ଲୁଟ୍ ହୋଇଥିବା ୧ କୋଟି ୨୯ ଲକ୍ଷ ଟଙ୍କାରୁ ୧ କୋଟି ୫ ଲକ୍ଷ ୬୮ ହଜାର ଜବତ ହେବା, ଘଟଣାସ୍ଥଳରୁ ୩ ଜଣ ଗିରଫ ଏବଂ ଦୁଇଜଣ ଫେରାର ହେବା ପରେ ପୁଲିସ ଏହି ଲୁଟ୍ରେ ଏକ ଗ୍ୟାଙ୍ଗ୍ କାମ କରୁଥିବା ସୁରାକ୍ ପାଇଥିଲା । ଗତକାଲି ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଆଉ ୩ ଜଣଙ୍କୁ ପୁଲିସ ଆଜି ଗିରଫ କରିଛି ।
ସୂଚନା ଅନୁସାରେ, ଗିରଫ ବ୍ରହ୍ମାନନ୍ଦ ସେନାପତିଙ୍କର ନନ୍ଦନବିହାରରେ ସାଇ ରେସିଡେନ୍ସି ନାମକ ଏକ ଓୟୋ ହୋଟେଲ ରହିଛି । ଏହି ହୋଟଲ୍ ରୁମ୍କୁ ଭଡ଼ା ନେଇ ଦୁର୍ବୃତ୍ତମାନେ ଡକାୟତି ଯୋଜନା କରିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି । ଘଟଣା ଦିନ ଦୃର୍ବୃତ୍ତମାନେ ଲୁଟ୍ପାଇଁ ଦୁଇଟି କାର୍ ଏବଂ ଗୋଟିଏ ମଟର ସାଇକେଲ ସହିତ ତିନିଟି ଗ୍ରୁପରେ ବିଭକ୍ତ ହୋଇ ଏହି ଡକାୟତି ଯୋଜନା କରିଥିଲେ । ପନ୍ଦର ଦିନ ପୂର୍ବରୁ ବିବେକାନନ୍ଦ ନାୟକ ଏବଂ ହରେକୃଷ୍ଣ ସ୍ୱାଇଁ ଆଠଗଡ଼ ଆସି ସିଏମ୍ଏସ୍ର ଏଟିଏମ୍ ଗାଡ଼ିର ଗତିବିଧି ଉପରେ ନଜର ରଖିଥିଲେ । ଅକ୍ଟୋବର ୯ ତାରିଖ ଓ ୧୦ ତାରିଖ ଛୁଟି ଥିବାରୁ ୧୧ ତାରିଖ ମୋଟା ଅଙ୍କର ଟଙ୍କା ଏଟିଏମ୍ରେ ଲୋଡ୍ ପାଇଁ ଯିବ ବୋଲି ଅଭିଯୁକ୍ତମାନେ ଜାଣିଥିଲେ । ସେହି ଅନୁସାରେ ଦୁଇଟି କାର୍ ଏବଂ ବାଇକ୍ରେ ଦୃର୍ବୃତ୍ତମାନେ ଆସି ଏହି ଲୁଟ୍ କରିଥିଲେ । ଅଭିଯୁକ୍ତଙ୍କଠାରୁ ଓଡ଼ିଶା ବାହାରକୁ ଅର୍ଥାତ ମୁମ୍ବାଇ ଯିବାପାଇଁ ଟିକ୍ଟେ ମଧ୍ୟ ପୁଲିସ ଜବତ କରିଛି । ସବୁଠାରୁ ବଡ଼କଥା ଆଜି ଜବତ ହୋଇଥିବା କାର୍ ଏବଂ ବାଇକ୍ ଦୁଇଟି କୌଣସି ଅଭିଯୁକ୍ତ ନାଁରେ ନଥାଇ ଅଲଗା ଲୋକଙ୍କ ନାଁରେ ରହିଛି । ଯାହା ପୁଲିସ ଏବେ ଯାଞ୍ଚ୍ କରୁଛି । ତଦନ୍ତ ଚାଲିଥିବାରୁ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହିତ ଲୁଟ୍ ହୋଇଥିବା ବାକି ଟଙ୍କା ଉଦ୍ଧାର ପାଇଁ ପୁଲିସ ପକ୍ଷରୁ ପ୍ରୟାସ ଜାରି ରହିଛି ବୋଲି ଆଜି ତଦନ୍ତକାରୀ ଅଧିକାରୀ ତଥା ଆଠଗଡ଼ ଥାନା ଅଧିକାରୀ ଶୁଭ୍ରାଂଶୁ ଶେଖର ପରିଡ଼ା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons