ଆନ୍ତର୍ଜାତିକ ଓଡିଶୀ ନୃତ୍ୟ ମହୋତ୍ସବ ଉଦଘାଟିତ

Get real time updates directly on you device, subscribe now.

ଓଡ଼ିଶାର କଳା ଓ ସଂସ୍କୃତି ସମ୍ପର୍କରେ ବିଶ୍ୱବାସୀ ଅଧିକରୁ ଅଧିକ ଜାଣନ୍ତୁ : ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ

ଓଡ଼ିଶାରେ ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟ ମହୋତ୍ସବ,ବିଶ୍ୱର କୋଣ ଅନୁକୋଣରୁ ଓଡ଼ିଶୀ ନୃତ୍ୟ ଶିଳ୍ପୀମାନଙ୍କୁ ଏକତ୍ରିତ କରିବାର ସୁଯୋଗ ଦେଇଛି । ଏହି ମହୋତ୍ସବରେ ଦେଶ ବିଦେଶର ବହୁ ସ୍ୱନାମଧନ୍ୟ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଯୋଗ ଦେଇଛନ୍ତି l ଓଡ଼ିଶାର କଳା ଓ ସଂସ୍କୃତି ସମ୍ପର୍କରେ ଅନ୍ୟ ରାଜ୍ୟ ଓ ବିଶ୍ୱବାସୀ ଅଧିକରୁ ଅଧିକ ଜାଣନ୍ତୁ ବୋଲି ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର, ଭୁବନେଶ୍ୱର ଦ୍ୱାରା ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଆନ୍ତର୍ଜାତିକ ଓଡିଶୀ ନୃତ୍ୟ ମହୋତ୍ସବକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରି ବିଭାଗୀୟ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ପ୍ରକାଶ କରିଛନ୍ତି l ଡିସେମ୍ବର ୨୬ ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଏହି ମହୋତ୍ସବର ଉଦଘାଟନୀ ସଂଧ୍ୟାରେ   ଯୋଗଦେଇ ମନ୍ତ୍ରୀ ଶ୍ରୀ ପାତ୍ର ଆହୁରି ମଧ୍ୟ କହିଲେ ଯେ,ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା ଓଡିଶାର କଳା, ସଂସ୍କୃତି ଏବଂ ଐତିହ୍ୟର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେଉଛନ୍ତି l ଗତ ଡିସେମ୍ବର ୫ ତାରିଖରେ କୋଣାର୍କ ନୃତ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଥିଲା l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମାଲଏସିଆରୁ ଓଡ଼ିଶୀ ନୃତ୍ୟଶିଳ୍ପୀ ଯୋଗ ଦେଇଥିଲେ l ସେମାନେ ଓଡ଼ିଶୀ ସଂଗୀତର ଭାଷା ଓ ପଦର ଲାଳିତ୍ୟକୁ ବୁଝି ଯେପରି ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ, ତାହା ପ୍ରଶଂସନୀୟ ରହିଥିଲା l ଆଗାମୀ ଜାନୁଆରୀ ୧୩ ରୁ ପୁରୁଷ ହକି ବିଶ୍ୱ କପ ଓଡିଶାରେ ଆରମ୍ଭ ହେଉଛି l ଏହି ଅବସରରେ ଓଡିଶାର କଳା, ସଂସ୍କୃତି ଏବଂ ଐତିହ୍ୟ ସମ୍ପର୍କରେ ବିଶ୍ୱବାସୀ ଜାଣିବାକୁ ପାଇବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିଥିଲେ l

କାର୍ଯ୍ୟକ୍ରମରେ  ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଦେଶବିଦେଶରୁ ଯୋଗ ଦେଇଥିବା ଓଡ଼ିଶୀ ନୃତ୍ୟଶିଳ୍ପସ୍ୱାଗତ କରି କହିଲେ ଯେ,ଓଡ଼ିଶାର ସଂସ୍କୃତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଓଡିଶୀ ନୃତ୍ୟ ସଂଗୀତର ପ୍ରସାର ପ୍ରସାର ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲୋକ ମହୋତ୍ସବ ଏବଂ ଜିଲ୍ଲା ମହୋତ୍ସବ ମାଧ୍ୟମରେ ରାଜ୍ୟର ଛଉ, ଢେମସ, ଆଦିବାସୀ ନୃତ୍ୟ , ଗୋଟିପୁଅ ନୃତ୍ୟ ଆଦିର ପ୍ରଚାର ପ୍ରସାର କରାଯାଉଛି । ସବୁ ନୃତ୍ୟର ସ୍ୱତନ୍ତ୍ରତା ରହିଛି । କେନ୍ଦ୍ର ସଂଗୀତ ନାଟକ ଏକାଡେମୀ, ଭାରତୀୟ ସାଂସ୍କତିକ ସମ୍ପର୍କ ପରିଷଦ ,ବାଣିଜ୍ୟିକ ଏକାଡେମୀ, ଟାଟା ଓ ରାଜ୍ୟ ସରକାରଙ୍କ ଇଡକୋ ଆଦି ସଂସ୍ଥାର ସହଯୋଗରେ ଓଡିଶୀ ନୃତ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଆସୁଛି । ଆୟୋଜିତ ଏହି ଉତ୍ସବରେ ଦେଶ ବିଦେଶରେ ମୋଟ ୧୨୦ ଟି ଏକକ, ଦଳଗତ ଓ ଯୁଗଳ ନୃତ୍ୟ ପରିବେଷିତ ହେବ । କୋଭିଡ୍ କଟକଣା ଯୋଗୁଁ ଦୀର୍ଘ ୨ ବର୍ଷ ଧରି କଳାକାରମାନେ ଅଧିକ ପ୍ରଭାବିତ ହୋଇଥିବା ବେଳେ କଳାକାରମାନଙ୍କୁ ସମ୍ମାନ ଦେବା, ସେମାନଙ୍କୁ ସହଯୋଗ ଦେବା ତଥା ରାଜ୍ୟର କଳା, ସଂସ୍କୃତିକୁ ଉଜ୍ଜୀବିତ କରିବା ପାଇଁ ଆଗାମୀ ୪ ଦିନରେ ଆୟୋଜିତ ଏହି ଓଡିଶୀ ନୃତ୍ୟ ମହୋତ୍ସବରେ ଅଧିକରୁ ଅଧିକ ଜନସାଧାରଣ ଓ ଦର୍ଶକ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିବାକୁ କହିଥିଲେ ।

କାର୍ଯ୍ୟକ୍ରମରେ ଖ୍ୟାତନାମା ଓଡିଶୀ ନୃତ୍ୟ ବିଦୂଷୀ ପଦ୍ମଶ୍ରୀ ପ୍ରିୟମ୍ବଦା ମହାନ୍ତି ହେଜମାଦୀ ଯୋଗଦେଇ
କହିଲେଯେ, ଓଡିଶୀ ନୃତ୍ୟ ଓଡିଶାର ବିଭିନ୍ନ ମନ୍ଦିର ଗାତ୍ରରେ ଥିବା କଳା, ସ୍ଥାପତ୍ୟ ଆଦିରୁ ସୁସ୍ପଷ୍ଟ । ଦିନ ଥିଲା ଏହି ନୃତ୍ୟ ଜାତୀୟ ସ୍ତରରେ ସ୍ୱୀକୃତି ନଥିଲା । ଏବେ ଓଡିଶୀ ନୃତ୍ୟ ଶାସ୍ତ୍ରୀୟ ମାନ୍ୟତା ସହ ଆଜି ବିଶ୍ୱ ଦରବାରରେ ପୂର୍ଣ୍ଣ ପ୍ରତିଷ୍ଠିତ ବୋଲି ସେ ପ୍ରକାଶ କରିବା ସହ ଆୟୋଜିତ ଆନ୍ତର୍ଜାତିକ ଓଡିଶୀ ନୃତ୍ୟ ମହୋତ୍ସବର ସଫଳତା କାମନା କରିଥିଲେ । ଓଡିଶୀ ନୃତ୍ୟର ଋଚିକର, ସୁନ୍ଦର ନୃତ୍ୟ ଶୈଳୀ ଆଦି ବିଶ୍ୱର କୋଣ ଅନୁକୋଣକୁ ଆକର୍ଷିତ କରିଛି ବୋଲି ପଦ୍ମଶ୍ରୀ ହେଜମାଦୀ ମଧ୍ୟ ପ୍ରକାଶ କରିଥିଲେ । ସେହିପରି ଅତିଥି ଭାବେ ଯୋଗଦେଇ ଓଡିଶୀ ସଂଗୀତ ବିଦୂଷୀ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ ଓଡିଶୀ ନୃତ୍ୟ ଓ ସଂଗୀତର ଦେଶ ବିଦେଶରେ ଆଦୃତି କାମନା କରି ଉତ୍ସବର ସଫଳତା କାମନା କରିଥିଲେ । ପ୍ରାରମ୍ଭରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉତ୍ସବର ଶୁଭ ଉଦ୍ଘାଟନ କରାଯାଇଥିଲା । ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ସ୍ୱାଗତ ଭାଷଣ ପ୍ରଦାନ କରି ଏହି ଉତ୍ସବରେ ପ୍ରତିଦିନ ସକାଳ, ମଧ୍ୟାନ୍ନ ଓ ସଂଧ୍ୟାରେ ଦେଶ ବିଦେଶର ଓଡିଶୀ ନୃତ୍ୟଶିଳ୍ପୀମାନେ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଥିବା ସଂପର୍କରେ ବିଶଦ୍ ସୂଚନା ଦେଇଥିଲେ । ବିଭାଗର ଯୁଗ୍ମ ନିର୍ଦ୍ଦେଶକ ତଥା ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ ପୂର୍ବକ ମହୋତ୍ସବରେ ସମସ୍ତଙ୍କର ଯୋଗଦାନ ପାଇଁ ସହଯୋଗ କାମନା କରିଥିଲେ । ଏହି ଅବସରରେ ପ୍ରଦ୍ମଶ୍ରୀ ହେଜମାଦୀ ଓ ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ତତ୍ ସହିତ ପ୍ରଥମ ଦିନ ନୃତ୍ୟ ପରିବେଷଣ କରିଥିବା ବିଶିଷ୍ଟ ଓଡିଶୀ ନୃତ୍ୟ ଶିଳ୍ପୀ ମାଧବୀ ମୁଦଗଲ(ନୂଆଦିଲ୍ଲୀ),ଦେବାଶ୍ରିତା ମହାନ୍ତି(ଭୁବନେଶ୍ୱର), ଦେବାଶିଷ ପଟ୍ଟନାୟକ(ବେଙ୍ଗାଲୁରୁ), ବୈଷ୍ଣବୀ ପ୍ରିୟଦର୍ଶିନୀ ଓ ଅର୍ପିତା ମହାପାତ୍ର (ଭୁବନେଶ୍ୱର), ତୁଲିକା ତ୍ରିପାଠୀ (ମୁମ୍ବାଇ), ଚିଙ୍ଗ୍ ହାନ୍ ଓ୍ୱେଙ୍ଗ୍ (ତାଇଓ୍ୱାନ), ପୂଜା କୁମାର (ନୂଆ ଦିଲ୍ଲୀ), ଅସ୍ମିତା କର ଓ ଜାହ୍ନବୀ ଆଚାର୍ଯ୍ୟ(କୋଲକାତା), ବୈଶାଳୀ କଳାକେନ୍ଦ୍ର (ନୂଆଦିଲ୍ଲୀ) ଆଦିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଡ଼ଃ ମୃତ୍ୟୁଞ୍ଜୟ ରଥ ଏବଂ ଅନୂଜା ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons