ଆମ୍ବୁଲାନ୍ସ ପହଞ୍ଚି ପାରିଲାନି, ଚାଲିଗଲା ଛାତ୍ରୀଙ୍କ ଜୀବନ

Get real time updates directly on you device, subscribe now.

ବସ୍ତା,(ବି.ବି.ନୁ୍ୟଜ): ବସ୍ତା ଥାନା ଅନ୍ତର୍ଗତ ବ୍ରାହ୍ମଣଦା ଗ୍ରାମରେ ମଙ୍ଗଳବାର ପୋଖରୀରେ ବୁଡ଼ିଯିବାରୁ ଜନୈକା ଛାତ୍ରୀଙ୍କ ମୃତୁ୍ୟ ହୋଇଛି । ଘଟଣାରୁ ପ୍ରକାଶ, ମଙ୍ଗଳବାର ସକାଳେ ଏହି ଗ୍ରାମର ଚନ୍ଦନ କୁମାର ଭୋଳଙ୍କ ଭାଣିଜୀ ସୁମିତ୍ରା (୧୩) ତାଙ୍କ ଘର ନିକଟ ପୋଖରୀକୁ ଗୋଡ଼ ଧୋଇବାକୁ ଯାଇଥିଲେ । ଅସାବଧାନତାରୁ ସେ ଗଭୀର ପାଣିକୁ ଖସି ଯାଇ ବୁଡ଼ିଯାଇଥିଲେ । ତାଙ୍କୁ ପରିବାର ଲୋକେ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କରି ବସ୍ତା ହସ୍ପିଟାଲକୁ ଆଣିବା ପାଇଁ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ମାତ୍ର ରାସ୍ତାର ଦୁରାବସ୍ଥା ପାଇଁ ୧୦୮ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହୋଇଥିଲା । ଏଣୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ସେହି ଗ୍ରାମର ଦୁଇଜଣ ବ୍ୟକ୍ତି ପିଲାଟିକୁ ଏକ ବାଇକ୍ ଯୋଗେ ବସ୍ତା ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ନଂ୩୧/୨୧ର ଅପମୃତୁ୍ୟ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରାଇଛି । ମୃତ ଛାତ୍ରୀ ବସ୍ତା ଶମ୍ଭୁନାଥ ସରକାରୀ ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ ।
ପିଲାଟିର ମୃତୁ୍ୟକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯିବା ସହ ଉତ୍ତେଜନା ପ୍ରକାଶ ପାଇଥିଲା । ବସ୍ତା ରେଳଷ୍ଟେସନ ଠାରୁ ଖୁଣ୍ଟା ଫାଟକ ପର୍ଯ୍ୟନ୍ତ ଥିବା ରାସ୍ତାର ମରାମତି ଦାବି କରି ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାକୁ ସଂଯୋଗ କରୁଛି ୧ କିମିର କଚ୍ଚାରାସ୍ତା । ଏହି ରାସ୍ତା ଉପରେ ଦୈନନ୍ଦିନ ଦୁଇ ଜିଲ୍ଲାର ହଜାର ହଜାର ଲୋକ ନିର୍ଭର କରିଥା’ନ୍ତି । ବସ୍ତା ଷ୍ଟେସନ ରାସ୍ତା ପାଶ୍ୱର୍ରେ ରେଳ ବିଭାଗର ନିର୍ମାଣ କାର୍ଯ୍ୟ ଚାଲିଛି । ନିର୍ମାଣ କାର୍ଯ୍ୟ ପାଇଁ ଠିକାଦାର ଏହି ରାସ୍ତା ଉପରେ ଭାରୀ ଯାନ ନେଉଥିବାରୁ ରାସ୍ତାଟି ଶୋଚନୀୟ ହୋଇ ପଡ଼ିଥିଲା । ଏନେଇ ଅଞ୍ଚଳବାସୀ ଠିକାଦାରଙ୍କୁ ବାରମ୍ବାର ରାସ୍ତା ମରାମତି ପାଇଁ ଅନୁରୋଧ ଜଣାଥିଲେ ମଧ୍ୟ ସେ ଓଲଟି ଧମକଚମକ ଦେଇଥିଲେ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ମଙ୍ଗଳବାର ସକାଳେ ବ୍ରାହ୍ମଣଦା ଗ୍ରାମର ଛାତ୍ରୀ ସୁମିତ୍ରା ପାଣିରେ ବୁଡ଼ି ଗୁରୁତର ହୋଇଥିଲେ । ଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ସେହି ରାସ୍ତା ଦେଇ ଯାଉଥିବା ବେଳେ ଷ୍ଟେସନ ଠାରୁ ୫୦ ମିଟର ଦୂରରେ ପୋତି ହୋଇଯାଇଥିଲା । ଫଳରେ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହେବାରୁ ଉକ୍ତ ଛାତ୍ରୀର ମୃତୁ୍ୟ ହୋଇଯାଇଥିଲା । ଏଥିନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ସମାଜସେବୀ ଶ୍ୟାମାପ୍ରସାଦ ବେହେରା, ସ୍ଥାନୀୟ ସରପଞ୍ଚ ବିଷ୍ଣୁପ୍ରିୟା ବୁଗୁଡ଼ି, ବ୍ରାହ୍ମଣଦା ପଞ୍ଚାୟତ ସଭାପତି ନିଗମାନନ୍ଦ ଗିରି, ଶିକ୍ଷାବିତ୍ କାଳିଚରଣ ସେଠୀ, ସଞ୍ଜୟ ବୁଗୁଡ଼ି, ବିରାଜ ସିଂଦେଓ, ଦେବାଶିଷ କର, ସୁଶାନ୍ତ ପ୍ରଧାନ, ସୁଦାମ ଚରଣ ବେହେରା, ସନ୍ନ୍ୟାସୀ ସାହୁ ପ୍ରମୁଖଙ୍କ ସମେତ ଶହ ଶହ ଲୋକ ଷ୍ଟେସନରେ ପହଞ୍ଚି ରାସ୍ତା ମରାମତି ଦାବି ସହିତ ସେଠାରେ ଠିକାଦାର କରୁଥିବା ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖିଥିଲେ । ଖବର ପାଇ ରେଳବାଇ ପୁଲିସ ଓ ରେଳ ବିଭାଗର ଅଧିକାରୀମାନେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିବା ସହ ତୁରନ୍ତ ମରାମତି କରିବାର ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା । ସନ୍ଧ୍ୟାରେ ଠିକାଦାର ଉକ୍ତ ରାସ୍ତାର ମରାମତି କାର୍ଯ୍ୟ ଆରମ୍ଭ କରିଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons