ଆଳିର ସାର ବ୍ୟବସାୟୀ ସୋନୁ ହତ୍ୟା ମାମଲା

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ): ଆଳି ବଜାରର ସାର ବ୍ୟବସାୟୀ ଶାହନୱାଜ ଖାନ୍ ଓରଫ ସୋନୁ ହତ୍ୟା ମାମଲାର ରାୟ ଆଜି ପ୍ରକାଶ ପାଇଛି । ଜିଲ୍ଲା ଦୌରା ଜଜ୍ ଗୋପାଳ ଚନ୍ଦ୍ର ବେହେରା ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ନିହତ ଗ୍ୟାଙ୍ଗ୍ଷ୍ଟର୍ ସେକ୍ ହାଇଦର୍ର ପୁଅ ସେକ୍ କାଦିର୍ ଓରଫ ମୁନାକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ୧୦ ହଜାର ଟଙ୍କାର ଜରିମାନା ଭରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଜରିମାନା ଅନାଦାୟ ହେଲେ ଅତିରିକ୍ତ ଏକ ବର୍ଷ କାରାଦଣ୍ଡ ପାଇଁ କୋର୍ଟ ରାୟରେ ଦର୍ଶାଇଛନ୍ତି । ମୁନାକୁ ଭାରତୀୟ ପିଙ୍ଗଳ କୋଡ୍ର ଦଫା ୩୦୨(ହତ୍ୟା)ରେ ଆଜୀବନ ଜେଲ୍ ଓ ୧୦ ହଜାର ଟଙ୍କା ଜରିମାନା, ଦଫା ୩୦୭(ହତ୍ୟା ଉଦ୍ୟମ)ରେ ୫ ବର୍ଷ ଜେଲ୍ ଓ ୧୦ ହଜାର ଟଙ୍କା ଜରିମାନା, ୨୫/୨୭ ଆର୍ମସ ଆକ୍ଟ (ଅସ୍ତ୍ରଶସ୍ତ୍ର ନିରୋଧ ଆଇନ)ରେ ୩ ବର୍ଷ ଲେଖାଏଁ ୬ ବର୍ଷ ଜେଲ୍ଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା ପାଇଁ ନିଦେ୍ର୍ଧଶ ଦିଆଯାଇଛି । ଦଣ୍ଡାଦେଶ ଏକସାଙ୍ଗରେ ଲାଗୁ ହେବାକୁ ଥିବାରୁ ଆସାମୀ ମୁନା ଆଜୀବନ ଜେଲ୍ ଭୋଗିବ ।
ତେବେ ଏହି ମାମଲାରେ ସହ-ଅଭିଯୁକ୍ତ କୁହାଯାଉଥିବା ମୁନାର ଦ୍ୱିତୀୟ ପତ୍ନୀ ରୋଶନା ବିବି ଓରଫ ମୋନା, ମଳାଶୁର ସେକ୍ ଲୋକମାନ ଓରଫ ଶନି, ସେକ୍ ମୁକ୍ତାର, ସେକ୍ ଜାଦୋ, ସେକ୍ ରାଜୁ, ସେକ୍ ରିୟାସତ୍, ସେକ୍ ଜାମସେଦ୍, ସେକ୍ ଆରିଫ, ସେକ୍ ମୁର୍ସିଦ୍ ସାଜିଦ୍ଙ୍କ ବିରୋଧରେ ପ୍ରମାଣ ଅଭାବରୁ କୋର୍ଟ ସେମାନଙ୍କୁ ନିଦେ୍ର୍ଧାଷରେ ଖଲାସ କରିଦେଇଛନ୍ତି । ଅନ୍ୟତମ ସ-ଅଭିଯୁକ୍ତ ସେକ୍ ଜାଦୋଙ୍କର ମୃତୁ୍ୟ ହୋଇସାରିଥିବା ସୂଚନା ମିଳିଛି । ସହ-ଅଭିଯୁକ୍ତଙ୍କ ମଧ୍ୟରେ ଶନିର ଘର ଆଳି ଥାନା ଗୋପ, ମୁର୍ସିଦ୍ ସାଜିଦର ଘର ଭଦ୍ରକରେ ହୋଇଥିବାବେଳେ ଅନ୍ୟ ସମସ୍ତଙ୍କ ପୈତୃକ ଘର ଆଳି ଥାନା ଅଧୀନ ବିଲୁଆସାହି-ପଦନପୁର ଗ୍ରାମରେ । ମୁନା ଏବେ ଚୌଦ୍ୱାର ଜେଲ୍ରେ ବିଚାରାଧୀନ ବନ୍ଦୀ ଭାବେ ଜୀବନ କାଟୁଛି ।
ମାମଲାରୁ ପ୍ରକାଶ, ଆଳି ଥାନା ଅଧୀନ ଆଳି ବଜାରରେ ବିଲୁଆସାହି-ପଦନପୁର ଗ୍ରାମର ସରଜିତ ଖାନ୍ଙ୍କର ଏକ ସାର ଦୋକାନ ରହିଛି । ଦୋକାନ ତାଙ୍କର ବେଶ୍ ସୁରୁଖୁରରେ ଚାଲୁଥିଲା । ହେଲେ ସେହି ଗ୍ରାମରେ ସେକ୍ କାଦିର ଓରଫ ମୁନା ରେଶ୍ମା ବିବିଙ୍କୁ ଦ୍ୱିତୀୟ ବିବାହ କରି ରହିବାକୁ ଚାହିଁବାରୁ ବିବାଦ ଘନେଇଥିଲା । ମୁନାଙ୍କ ସ୍ୱଭାବ, ଅପରାଧିକ ଚିନ୍ତାଧାରା ଓ କାର୍ଯ୍ୟକଳାପ ପାଇଁ ସରଜିତଙ୍କ ପରିବାର ଓ ଗ୍ରାମର ଅନ୍ୟମାନେ ବିରୋଧ କରିଥିଲେ । ମୁନା ତାଙ୍କ ଗାଁରେ ରୁହନ୍ତୁ ବୋଲି ସେମାନେ ଚାହୁଁ ନଥିଲେ । ମୁନା କେନ୍ଦ୍ରାପଡ଼ା ସହର ରଣପଡ଼ାର କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ସେକ୍ ହାଇଦର୍ର ବଡ଼ପୁଅ । ବାପା ଭଳି ଖୁବ୍ କମ୍ ବୟସରେ ଅପରାଧ ଦୁନିଆ ସହ ସମ୍ପୃକ୍ତ ହୋଇଯାଇଥିଲା ମୁନା । ଦ୍ୱିତୀୟ ବିବାହ କଲାବେଳକୁ ତା’ ନାଁରେ ଦାଦାବଟି, ଟେଣ୍ଡର ଫିକ୍ସିଂ, ବୋମାମାଡ଼, ଗୁଳିକାଣ୍ଡ ଭଳି ଅନେକ ସଙ୍ଗିନ୍ ମାମଲା ତଦନ୍ତାଧୀନ ଥିଲା । ସରଜିତ୍ଙ୍କ ସାର ବ୍ୟବସାୟ ଭଲ ଚାଲୁଥିବାରୁ ତାଙ୍କ ଉପରେ ମୁନାର ଆଖି ପଡ଼ିଥିଲା । ସେ ସରଜିତଙ୍କୁ ଫୋନ୍ କରି ୫୦ ହଜାର ଟଙ୍କା ଦାଦାବଟି ମାଗିଥିଲା । ହେଲେ ସରଜିତ ତାଙ୍କ କଥାରେ ରାଜି ହୋଇ ନଥିଲେ । ଯାହାକୁ ନେଇ ମୁନା ତାଙ୍କ ଉପରେ ଖପ୍ପା ହୋଇଥିଲା । ବାରମ୍ବାର କହିଲା ପରେ ଦାଦାବଟି ନମିଳିବାରୁ ସର୍ଜିତଙ୍କ ଉପରେ ରାଗ ଶୁଝାଇବାକୁ ଚେଷ୍ଟା କରିଥିଲା ମୁନା । ପ୍ରଥମେ ତାଙ୍କ ଘର ଆଗରେ ବୋମାମାଡ଼ କରାଇ ଭୟଭୀତ କରିଥିଲା । ହେଲେ ଏଥିରେ କିଛି ଫରକ ନପଡ଼ିବାରୁ ସରଜିତ ଓ ତାଙ୍କ ପରିବାରକୁ ହତ୍ୟା କରିବାକୁ ଯୋଜନା କରିଥିଲା ।
୨୦୧୦ ମସିହା ମେ’ ୨୪ ଅପରାହ୍ଣ ୫ଟା ୨୦ ରେ ସହଯୋଗୀମାନଙ୍କ ସହ ସରଜିତ୍ଙ୍କ ସାର ଦୋକାନ ପାଖରେ ମୁନା ପହଞ୍ଚିଥିଲା । ସେତେବେଳେକୁ ଦୋକାନରେ ସରଜିତ୍ଙ୍କ ପୁଅ ସୋନୁ ଓରଫ ଶାହନୱଜ, ଭାଇ ୱାଜିଦ୍ ଖାନ୍ ଉପସ୍ଥିତ ଥିଲେ । ଦାଟାବଟି ନେବାକୁ କେନ୍ଦ୍ରକରି ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା । ପରେ ମୁନା ସାଥିରେ ଆଣିଥିବା ପିସ୍ତଲରେ ସୋନୁଙ୍କ ଉପରକୁ ୩ ରାଉଣ୍ଡ ଓ ତାଙ୍କ ଦାଦା ୱାଜିଦଙ୍କ ଉପରେ ୨ରାଉଣ୍ଡ ଗୁଳି ଚଳାଇଥିଲା । ଗୁଳିମାଡ଼ କରିବା ପରେ ମୁନା ଓ ତାର ସହଯୋଗୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ଶାହନୱାଜଙ୍କୁ ଆଳି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ନଆସିବାରୁ ପରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଘଟଣାର ୨ ଦିନ ପରେ ଅର୍ଥାତ ମେ’ ୨୬ ତାରିଖରେ ତାଙ୍କର ମୃତୁ୍ୟ ଘଟିଥିଲା । ଦାଦା ୱାଜିଦ୍ ଖାନଙ୍କ ଗୋଡ଼ରେ ୨ଟି ଗୁଳି ବାଜିଥିବାବେଳେ ସେ କଟକରୁ ସୁସ୍ଥ ହୋଇ ଫେରିଥିଲେ । ତାଙ୍କ ଜଙ୍ଘରେ ଏବେ ବି ଏକ ଗୁଳି ପଶି ରହିଛି । ଶାହନୱାଜ ଓରଫ ସୋନୁଙ୍କ ବାପା ସରଜିତ୍ ଏନେଇ ଆଳି ଥାନାରେ ତକ୍ରାଳ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ମୃତୁ୍ୟ ପୂର୍ବରୁ ପୁଲିସ ସୋନୁଙ୍କ ଜମାନବନ୍ଦୀ ରେକର୍ଡ କରି ରଖିଥିଲା । ଯେଉଁଥିରେ ତାଙ୍କୁ କିଏ ଓ କାହିଁକି ମାରିଥିଲେ ଓ କେଉଁମାନେ ହତ୍ୟାକାଣ୍ଡରେ ସାମିଲ ଥିଲେ ସେ ସବିଶେଷ ସୂଚନା ଦେଇଥିଲେ ।
ସରକାରୀ ଓକିଲ ମାନସ ରଞ୍ଜନ ବେହେରା ମାମଲା ପରିଚାଳନା କରୁଥିବାବେଳେ ମୁନା ପକ୍ଷରୁ ଆଇନଜୀବୀ ରବିନାରାୟଣ ମହାନ୍ତି ମାମଲା ଲଢ଼ୁଥିଲେ । ମୁନାର ଦ୍ୱିତୀୟ ପତ୍ନୀ ରେଶମା ଓରଫ ମୋନା, ତାଙ୍କ ମଳାଶୁର, ଅନ୍ୟ ସହଯୋଗୀମାନଙ୍କ ପକ୍ଷରୁ ଆଇନଜୀବୀ ଦେବଦାସ ମହାନ୍ତି ମାମଲା ପରିଚାଳନା କରୁଥିଲେ । ମୁନା ନାଁରେ କେନ୍ଦ୍ରାପଡ଼ା ଟାଉନ୍ ଥାନାରେ ୯ଟି ମାମଲା ସମେତ ରାଜ୍ୟର ବିଭିନ୍ନ ଥାନାରେ ୧୯ଟି ମାମଲା ତଦନ୍ତାଧୀନ ଅଛି । ଗତ ଜୁଲାଇ ୨୪ରେ ହାଇଦରର ମୃତୁ୍ୟ ପରେ ବାପାଙ୍କ ଶୁଦ୍ଧିକ୍ରିୟାରେ ସାମିଲ ହେବା ପାଇଁ ମୁନା କେନ୍ଦ୍ରାପଡ଼ା ଜିଲ୍ଲା ଓ ଦୌରାଜଜ୍ଙ୍କ କୋର୍ଟରେ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲା । କୋର୍ଟ କିନ୍ତୁ ଆବେଦନକୁ ଖାରଜ କରିଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons