ଏଟିଏମ୍ ତାଡ଼ି ୨୦ଲକ୍ଷ ଲୁଟ୍ ଘଟଣା :ଦୁଇ ବାଂଲାଦେଶୀ ଚୋର ଗିରଫ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଧଉଳି ଥାନା ଶିଶୁପାଳଗଡ଼ ଇନ୍ଦିରା କଲୋନୀରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏଟିଏମ୍ ଚୋରି ଘଟଣାରେ ପୁଲିସ୍କୁ ମିଳିଛି ବଡ଼ ସଫଳତା । ମାତ୍ର ୧୦ ଦିନରେ ପୁଲିସ୍ ଏଥିରେ ସମ୍ପୃକ୍ତ ୨ ଜଣ ବାଂଲା ଚୋରଙ୍କୁ ଗିରଫ କରିଛି । ସେମାନେ ହେଲେ ବାଂଲାଦେଶର ଖୋକନ୍ ମଲୋ(୩୫) ଓ ପଶ୍ଚିମବଙ୍ଗ ବାସନ୍ତି ଥାନା ରାଣୀଘରରେ ରହୁଥିବା ମିଜାନୁର ରହମାନ୍ ମଲୋ (୩୯) । ୨ ଜଣଙ୍କୁ ପୁଲିସ୍ ବେଙ୍ଗାଲୁରୁରୁ ଗିରଫ କରିଛି । ଏହି ଚୋରିରେ ସାମିଲ୍ ଥିବା ଅନ୍ୟ ୫ ଜଣ ଫେରାର ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
ଏହି ଗ୍ୟାଙ୍ଗ୍ ଏଟିଏମ୍ ଉଠାଇ ନେଇ ସେଥିରୁ ୨୦ ଲକ୍ଷ ୩୩ ହଜାର ଟଙ୍କା ଲୁଟିଥିଲେ । ପୁଲିସ୍ ଚୋରଙ୍କୁ ଗିରଫ କରିଛି ସତ, ହେଲେ ସେମାନଙ୍କ ଠାରୁ ଟଙ୍କାଟିଏ ବି ଜବତ କରିପାରି ନାହିଁ । ଦୁଇ ଜଣଙ୍କ ଠାରୁ ପୁଲିସ୍ ୫ଟି ମୋବାଇଲ୍ ଓ ୨ଟି ନକଲି ଆଧାର କାର୍ଡ ଜବତ କରିଛି । ଭାରତ, ନେପାଳ, ଭୁଟାନ୍, ମ୍ୟାନ୍ମାର୍ ଆଦି ୪ଟିଦେଶରେ ଏମାନେ ଏଟିଏମ୍ ଚୋରି କରିଥିବା ଜେରା ସମୟରେ ମାନିଛନ୍ତି ।
ଗତ ୪ ତାରିଖ ବିଳମ୍ବିତ ରାତିରେ ଶିଶୁପାଳଗଡ଼ ଇନ୍ଦିରାନଗରସ୍ଥିତ ଗ୍ରୀନ୍ ଆପାର୍ଟମେଣ୍ଟ ସମ୍ମୁଖରେ ଥିବା ଏସ୍ବିଆଇ ଏଟିଏମ୍କୁ ତାଡ଼ି ଟଙ୍କା ଲୁଟିଲେ ଖୋକନ୍, ମିଜାନୁର ଓ ଅନ୍ୟ ୫ ଜଣ । ଉକ୍ତ ମେସିନ୍ରେ ଥିଲା ୨୦ ଲକ୍ଷ ୩୩ ହଜାର ଟଙ୍କା । ୫ ତାରିଖରେ ଧଉଳି ଥାନା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଡିସିପି ଉମାଶଙ୍କର ଦାଶଙ୍କ ନିଦେ୍ର୍ଧଶରେ ଏସିପି ସଞ୍ଜୀବ ଶତପଥି, ଏସିପି ହିମାଂଶୁ ସ୍ୱାଇଁ ଓ ଧଉଳି ଥାନା ଆଇଆଇସି ଚିତ୍ତରଞ୍ଜନ ରାଉତ ତଦନ୍ତ ଦାୟିତ୍ୱ ନେଇଥିଲେ ।
ପ୍ରାଥମିକ ତଦନ୍ତରୁ ଏମାନଙ୍କୁ ମିଳିଥିଲା ମାତ୍ର ୨୮ ସେକେଣ୍ଡର ସିସିଟିଭି ଫୁଟେଜ୍ । ଯେଉଁଥିରେ ଅଭିଯୁକ୍ତମାନେ ଦେଖା ଯାଉଥିଲେ । ସେହିଦିନ ରାତିରେ ଏମାନେ ଏଟିଏମ୍ ଚୋରି କରିବା ପୂର୍ବରୁ ଲିଙ୍ଗିପୁର ଛକରେ ଥିବା ବିଜୟ କୁମାର ସାହୁଙ୍କ ଏମ୍.ଏସ୍. ନର୍ସରୀ ସମ୍ମୁଖରୁ ଟାଟା ଏସିଇ ଗାଡ଼ି ଚୋରି କରିଥିଲେ । ସେଠାରେ ଲାଗିଥିବା ସିସିଟିଭି ଯାଞ୍ଚ ସମୟରେ ଏହି ଅଭିଯୁକ୍ତଙ୍କ ଆଉ କିଛି ଫୁଟେଜ୍ ମିଳିଥିଲା ।
ଚୋରମାନେ ଏଟିଏମ୍ ଚୋରି କରିବା ପରେ ଦୟାନଦୀ ପଠା (ଲିଙ୍ଗିପୁର)ରେ ଶାବଳରେ ତାଡ଼ି ଟଙ୍କା ସବୁ ନେଇ ମେସିନ୍ ଫିଙ୍ଗି ଦେଇଥିଲେ । ଏହାପରେ ତାଙ୍କ ଗ୍ୟାଙ୍ଗ୍ର ମୁଖିଆ ଏମାନଙ୍କୁ କିଛି ଖର୍ଚ୍ଚ ଦେଇ ସବୁ ଟଙ୍କା ନେଇ ବସ୍ରେ କୋଲକାତା ଓ ପରେ ବାଂଲାଦେଶ ପଳାଇଥିଲା । ଅଭିଯୁକ୍ତମାନେ ପୁଣି ଏଟିଏମ୍ ଲୁଟ୍ କରିବା ପାଇଁ ଭୁବନେଶ୍ୱରରୁ ବେଙ୍ଗାଲୁରୁ ବାହାରିଥିଲେ । ଟ୍ରେନ୍ କିମ୍ବା ବିମାନରେ ନ ଯାଇ ପହଞ୍ଚିଥିଲେ ବରମୁଣ୍ଡା ବସ୍ଷ୍ଟାଣ୍ଡରେ । ସେଠାରୁ ବସ୍ ଯୋଗେ ଆନ୍ଧ୍ର ଗଲେ । ସେଠାରୁ ଆଉ ଏକ ବସ୍ରେ ବେଙ୍ଗାଲୁରୁ ପଳାଇଥିଲେ ।
ସିସିଟିଭି ଫୁଟ୍ଜେ୍କୁ ଛାଡ଼ି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ୍ ପାଖରେ ଆଉ କୌଣସି ପ୍ରମାଣ ନ ଥିଲା । କାରଣ ଅଭିଯୁକ୍ତମାନେ ମୋବାଇଲ୍ ଫୋନ୍ ବ୍ୟବହାର କରୁନଥିଲେ । ଏମିତି ଏଟିଏମ୍ ଚୋରି ଦେଶ କିମ୍ବା ବିଦେଶରେ କେତେ ହୋଇଛି ସେ ବିଷୟରେ ତଥ୍ୟ ଯୋଗାଡ଼ କରିଥିଲା କମିଶନରେଟ୍ ପୁଲିସ୍ । ଏହି କ୍ରମରେ ନୂଆଦିଲ୍ଲୀ ପୁଲିସ୍ ଦ୍ୱାରା ଗିରଫ ହୋଇ ଗୋଆ ଜେଲ୍ରେ ଥିବା କିଛି ଅପରାଧୀଙ୍କ ବିଷୟରେ ଖବର ମିଳିଥିଲା । ଗୋଆ ଜେଲ୍ରେ ଥିବା ଅପରାଧୀମାନେ ବାଂଲାଦେଶୀ । ଗ୍ୟାଙ୍ଗ୍ର ସଦସ୍ୟଙ୍କ ମଧ୍ୟରୁ ୩ଜଣ ପୁଲିସ୍ ହାତରେ ଧରାପଡ଼ି ନାହାନ୍ତି । ହେଲେ ଗୋଆ ପୁଲିସ୍ ପାଖରେ ସେମାନଙ୍କର ସିସିଟିଭି ଫୁଟେଜ୍ ରହିଛି । ଏସିପି ଶ୍ରୀ ଶତପଥୀ ଗୋଆ ପୁଲିସ୍କୁ କହି ଏହି ଏଟିଏମ୍ ଚୋରି ଫୁଟେଜ୍ ଯାଞ୍ଚ କରିବା ସମୟରେ କିଛି ଅଭିଯୁକ୍ତଙ୍କ ଚେହେରା ମେଳ ଖାଇଥିଲା ।
ବରମୁଣ୍ଡା ବସ୍ଷ୍ଟାଣ୍ଡକୁ ଯାଇ ପୁଲିସ୍ କିଛି ଫୁଟେଜ୍ ପାଇଥିଲା । ଯେଉଁ ବସ୍ରେ ଏମାନେ ଆନ୍ଧ୍ର ଯାଇଥିଲେ ସେ କର୍ମଚାରୀଙ୍କ ଠାରୁ ପୁଲିସ୍ ତଥ୍ୟ ସଂଗ୍ରହ କରିଥିଲା । ଆନ୍ଧ୍ରପ୍ରଦେଶ ଯାଇ ସେଠାରେ ସିସିଟିଭି ଫୁଟେଜ୍ ସଂଗ୍ରହ କରିଥିଲା । ଏହି ସମୟରେ ଟିକେଟ୍ କାଉଣ୍ଟରରୁ ପୁଲିସ୍ ଜଣେ ଚୋରର ଫୋନ୍ ନମ୍ବର ପାଇଥିଲା । ଉକ୍ତ ଫୋନ୍ ନମ୍ବର ମାଧ୍ୟମରେ ପୁଲିସ୍ ଜାଣିବାକୁ ପାଇଥିଲା ଏମାନେ ବେଙ୍ଗାଲୁରୁ ଯାଉଛନ୍ତି । ତେଣୁ କମିଶନ୍ରେଟ୍ ପୁଲିସ୍ ଟିମ୍ ପହଞ୍ଚିଥିଲା ବେଙ୍ଗାଲୁରୁରେ ।
ଏହି ଚୋରମାନେ ବେଙ୍ଗାଲୁରୁରେ ସମାନ ଢଙ୍ଗରେ ଏଟିଏମ୍ ମେସିନ୍ ଚୋରି କରିବା ପାଇଁ ଯୋଜନା କରୁଥିଲେ । ୧୪ ତାରିଖରେ କମିଶନରେଟ୍ ପୁଲିସ୍ ଟିମ୍ ସେଠାରେ ପହଞ୍ଚି ସ୍ଥାନୀୟ ପୁଲିସ୍ ସହଯୋଗରେ ପ୍ରାୟ ୩୦ଟି ହୋଟେଲ ଯାଞ୍ଚ କରି ସମ୍ପୃକ୍ତ ଅପରାଧୀଙ୍କ ବାବଦରେ ତଥ୍ୟ ପାଇଥିଲା । ସେମାନଙ୍କ ମଧ୍ୟରୁ ୨ଜଣ ମୁଖ୍ୟ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଥିଲା । ହେଲେ ଘଟଣାସ୍ଥଳ ଠାରୁ କିଛି ମିଟର ଦୂରରେ ଥିବା ଅନ୍ୟ ୫ ଅଭିଯୁକ୍ତ ଚମ୍ପଟ ମାରିଥିଲେ । ପୁଲିସ୍ ୨ ଚୋରଙ୍କୁ ଧରି ଓଡ଼ିଶା ଆସିଥିଲା । ଏମାନଙ୍କୁ ରିମାଣ୍ଡରେ ଆଣି କ୍ରାଇମ୍ସିନ୍ ରିକ୍ରିଏସ୍ନ କରାଯିବ ବୋଲି ପୁଲିସ୍ କମିଶନର କହିଛନ୍ତି ।
ଏହି ଗ୍ୟାଙ୍ଗ୍ କେବଳ ଭାରତ ନୁହେଁ, ନେପାଳ, ଭୁଟାନ୍, ବାଂଲାଦେଶ, ମ୍ୟାନ୍ମାରରେ ଏଟିଏମ୍ରୁ ଚୋରି କରିଛନ୍ତି । କେଉଁଠି ମେସିନ୍ ତାଡ଼ି ନେଇ ଯାଇଛନ୍ତି ତ ପୁଣି କେଉଁଠି ଗ୍ୟାସ୍ କଟରରେ କାଟି ଲୁଟିଛନ୍ତି । ହେଲେ ଲୁଟ୍ ଟଙ୍କା କିନ୍ତୁ ବାଂଲାଦେଶ ଯାଉଥିଲା । କାରଣ ଏହି ଗ୍ୟାଙ୍ଗ୍ ସହ ସବୁବେଳେ ଦୁଇ ଜଣ ଲୋକ ଲୁଚି ରହୁଥିଲେ । ଚୋରି କରିବା ପରେ ସବୁ ଟଙ୍କା ସେମାନଙ୍କ ହାତରେ ଧରାଇ ଦିଅନ୍ତି । ସେ ସବୁ ଟଙ୍କା ନେଇ ଅତି ସହଜରେ ସେମାନେ ସୀମା ପାର ହୋଇ ବାଂଲାଦେଶ ପଳାନ୍ତି ।
ଏଭଳି ଅନେକ ଘଟଣାରେ ପୁଲିସ୍ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଛି । ହେଲେ ଚୋରି ସମ୍ପତ୍ତି ଜବତ କରିବାରେ ଫେଲ୍ ମାରୁଛି । ଭୁବନେଶ୍ୱର ଅଞ୍ଚଳର ପ୍ରମୁଖ ଡକାୟତି ଓ ଚୋରି ଘଟଣା ଦେଖିଲେ ଜଣାପଡ଼ୁଛି ପୁଲିସ୍ କାହାଠୁ ୧ଟଙ୍କା ବି ଜବତ କରିନି । ୨୦୧୭ ସେପ୍ଟେମ୍ବର ୨୮ ତାରିଖ ସକାଳ ୧୧ଟା ବେଳେ ରାଜମହଲ ଛକରେ ଥିବା ୟୁକୋ ବ୍ୟାଙ୍କରୁ ଡକାୟତମାନେ ୧୩ ଲକ୍ଷ ଟଙ୍କା, ଦୁଇ କେଜିରୁ ଅଧିକ ସୁନା ନେଇଗଲେ । ପୁଲିସ୍ ୩ ମାସ ପରେ ୨ଜଣଙ୍କୁ ଗିରଫ କରିଥିଲା । ହେଲେ କୌଣସି ସମ୍ପତ୍ତି ଜବତ କରି ପାରିନଥିଲା । ଧଉଳି ଏଟିଏମ୍ ଚୋରି ଘଟଣାରେ ମଧ୍ୟ ପୁଲିସର ହାତ ଖାଲି ।
ଏହି ଘଟଣାକୁ ପର୍ଦ୍ଧାଫାସ କରିବା ଜଟିଳ ଏବଂ ଅସମ୍ଭବ କାର୍ଯ୍ୟ ଥିଲା । କାରଣ ଘଟଣାରେ ସମ୍ପୃକ୍ତ ୫ ଅଭିଯୁକ୍ତ ବାଂଲାଦେଶୀ । ସେମାନେ ସୀମା ଡେଇଁ ବାଂଲାଦେଶରୁ ଭାରତକୁ ପଶି ଆସି ଅପରାଧ ଘଟାଇ ପୁଣି ସେମାନେ ବାଂଲାଦେଶ ପଳାଇ ଯାଇଥାନ୍ତି । ତେଣୁ ଏଭଳି ଅପରାଧୀଙ୍କୁ ଧରିବା ଆମ ପାଇଁ ବଡ଼ ଚାଲେଞ୍ଜ୍ ଥିଲା ବୋଲି ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । ସେ କହିଛନ୍ତି ଯେ ଏହି ଘଟଣାରେ ସମୁଦାୟ ୬ଜଣ ଅପରାଧୀ ସମ୍ପୃକ୍ତ ଥିବାବେଳେ ସେମାନଙ୍କ ମଧ୍ୟରୁ ୨ ମୁଖ୍ୟ ଅପରାଧୀଙ୍କୁ ଗିରଫ କରିବାରେ ଆମେ ସଫଳ ହୋଇଛୁ । ଚୋରି କରିବା ପରେ ଟଙ୍କାକୁ ତାଙ୍କ ସହଯୋଗୀ ଓ ଦଲାଲଙ୍କ ଜରିଆରେ ବାଂଲାଦେଶକୁ ପଠାଇ ଦେଇଥିବା ଜଣାପଡ଼ିଛି । ଫେରାର ଥିବା ବାକି ଅପରାଧୀଙ୍କୁ ଖୋଜି ବାହାର କରିବା ପାଇଁ ଆମ ଟିମ୍ ଅନବରତ ପ୍ରୟାସ ଜାରି ରଖିଛି । ଗିରଫ ୨ ଅପରାଧୀଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ । ଅଧିକ ତଥ୍ୟ ହାସଲ ନିମନ୍ତେ ସେମାନଙ୍କୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି କମିଶନର କହିଛନ୍ତି ।
ଏଟିଏମ୍ ଚୋରି କରିବା ପୂର୍ବରୁ ଏମାନେ ଭୁବନେଶ୍ୱର ଖାରବେଳନଗର ଥାନା ଆଞ୍ଚଳରେ ଥିବା ୨ ଟି ହୋଟେଲ୍ରେ ରହିଥିଲେ । ସେଠାରେ ବ୍ଲୁ-ପ୍ରିଣ୍ଟ ତିଆରି କରିଥିଲେ । ହେଲେ ହୋଟେଲ୍ କର୍ମଚାରୀଙ୍କ ଚରମ ଅବହେଳା ପାଇଁ ଏଠାରୁ ଏଟିଏମ୍ ଉଠାଇ ଟଙ୍କା ଚୋରି କରି ଖସିଯିବାରେ ସଫଳ ହେଲେ । ସେଥିପାଇଁ ପୁଲିସ୍ ମଙ୍ଗଳା ହୋଟେଲ୍ ମାଲିକ ଓ ଭୁବନେଶ୍ୱର ସେଣ୍ଟ୍ରାଲ୍ ମ୍ୟାନେଜରକୁ ପୁଲିସ୍ ଅଟକ ରଖିଛି । ଅଟକ ରଖିବାର କାରଣ ହେଲା କମିଶନରେଟ୍ ପୁଲିସ୍ର ନିୟମ ଅନୁସାରେ ହୋଟେଲ୍କୁ ଯେଉଁମାନେ ଆସିବେ ସେମାନଙ୍କ ତଥ୍ୟ ସରାଇ ଆପ୍ରେ ଅପ୍ଲୋଡ୍ କରିବା କଥା । ନ ହେଲେ ସ୍ଥାନୀୟ ଥାନାରେ ସେ ସବୁ ତଥ୍ୟ ଦେବାର ବ୍ୟବସ୍ଥା ରହିଛି । ହେଲେ ଏହି ଚୋରମାନେ ଯେତେବେଳେ ଦୁଇ ହୋଟେଲ୍ରେ ରହିଲେ ସେମାନଙ୍କ ବିଷୟରେ କୌଣସି ତଥ୍ୟ ପୁଲିସ୍କୁ ଦିଆଯାଇ ନ ଥିଲା । ତେଣୁ ଏମାନଙ୍କ ବିରୋଧରେ କାର୍ଯ୍ୟାନୁÂାନ ନିଆଯିବ ବୋଲି ପୁଲିସ୍ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons