କୋଟିଆରେ ଆନ୍ଧ୍ର ବିରୋଧୀ କଡ଼ା ଆଭିମୁଖ୍ୟ :ଜଗିଲେ, ତାଗିଦ୍ କଲେ, ତଡ଼ିଲେ

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ): ଆନ୍ଧ୍ର ବିରୋଧରେ କଡ଼ା ଆଭିମୁଖ୍ୟ ଆପଣାଇଛି ଓଡ଼ିଶା । ଅନୁପ୍ରବେଶ ରୋକିବାକୁ ନିଆଯାଇଛି ସବୁପ୍ରକାର ପଦକ୍ଷେପ । କୋଟିଆ ଭିତରେ ପଶିବା ଆଗରୁ ବାଟ ଓଗାଳୁଛନ୍ତି ଉଭୟ ପୁଲିସ୍ ଓ ପ୍ରଶାସନିକ ଅଧିକାରୀ । କୌଣସି ପରିସ୍ଥିତିରେ ସେମାନଙ୍କ ଉଦ୍ୟମକୁ ସଫଳ କରାଇ ନଦେବାକୁ ଶପଥ ନେଇଛନ୍ତି । ଏଭଳି କଡ଼ା ପଦକ୍ଷେପ ଆରମ୍ଭ ହୋଇଥିବାରୁ ଆଜି ଆନ୍ଧ୍ର ସ୍ୱାସ୍ଥ୍ୟଟିମ୍କୁ ଅଧା ବାଟରୁ ଫେରିବାକୁ ପଡ଼ିଛି । ସେମାନଙ୍କୁ ତାଗିଦ୍ କରି ତଡ଼ିବାରେ ସଫଳ ହୋଇଛି ପ୍ରଶାସନ ।
କୋଟିଆ ଅଞ୍ଚଳରେ ଆନ୍ଧ୍ର ବାରମ୍ବାର ଅନୁପ୍ରବେଶ କରି ଓଡ଼ିଶା ବିରୋଧୀ କାର୍ଯ୍ୟ କରି ଆସୁଥିଲା । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭଣ୍ଡୁର କରିବାକୁ ଉଦ୍ୟମ ଆରମ୍ଭ କରିଥିଲା । ଶୁକ୍ରବାର ପୁଲିସ ଏବଂ ପ୍ରଶାସନିକ ଅଧିକାରୀ ସେମାନଙ୍କୁ କୋଟିଆରେ ବିରୋଧ କରିଥିଲେ । ଦିନଟିଏ ଯାଇନି, ଆଜି ପୁଣିଥରେ ଆନ୍ଧ୍ର ସ୍ୱାସ୍ଥ୍ୟଦଳ ଉପରସେମ୍ବିରେ ସ୍ୱାସ୍ଥ୍ୟ ଶିବିର କରିବାକୁ ଉଦ୍ୟମ କରିଥିଲା । ଖବର ପାଇ ଜିଲ୍ଲା ପୁଲିସ ଓ ଅଧିକାରୀମାନେ ପହଞ୍ଚିଥିଲେ । ଉପରସେମ୍ବି ଗାଁ ମୁଣ୍ଡରେ ସେମାନଙ୍କୁ ଅଟକାଇଥିଲେ । କୋଟିଆରେ କୌଣସି କାର୍ଯ୍ୟକ୍ରମ ନକରିବାକୁ ତାଗିଦ କରିଥିଲେ । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଶେଷରେ ଆନ୍ଧ୍ର ତୋନାମରୁ ଆସିଥିବା ସ୍ୱାସ୍ଥ୍ୟ କର୍ମଚାରୀମାନେ ବାଟରୁ ଫେରିବାକୁ ବାଧ୍ୟ ହୋଇଥିଲେ ।
ଆନ୍ଧ୍ର ଆଧିପତ୍ୟକୁ ବିରୋଧ କରି କୋଟିଆରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ସେମାନେ ଆନ୍ଧ୍ର ଅଧିକାରୀଙ୍କ ଆତଯାତ ଏବଂ ଦଲାଲମାନଙ୍କ କାର୍ଯ୍ୟକ୍ରମ ଉପରେ କଡ଼ା ନଜର ରଖିଛନ୍ତି । ସୁନାବେଡ଼ା ଏସ୍ଡିପିଓ ମନୋଜ ବେହେରା କୋଟିଆ ପଞ୍ଚାୟତ ତଳଗଞ୍ଜେଇପଦର ଗ୍ରାମରେ ନିଯୁକ୍ତ ଆନ୍ଧ୍ର ଏଜେଣ୍ଟ ବିଶୁ ଗେମେଲକୁ ତାଗିଦ କରିଛନ୍ତି । ଓଡ଼ିଶାରେ ରହି, ଓଡ଼ିଶାର ଖାଇ ଓଡ଼ିଶା ମାଟିରେ ଓଡ଼ିଶା ବିରୋଧରେ ଆନ୍ଧ୍ର ପ୍ରତିନିଧି ସାଜି କାମ ନକରିବାକୁ ତାଗିଦ କରିଛନ୍ତି । ଆନ୍ଧ୍ର ଅଧିକାରୀଙ୍କୁ ସହଯୋଗ କରି କୋଟିଆରେ ବିଶୃଙ୍ଖଳା ସୃଷ୍ଟି ନକରିବାକୁ ଚେତାଇ ଦେଇଛନ୍ତି । ଏ ସଂପର୍କରେ ଆମ କୋଟିଆ ସଙ୍ଗଠନ ଆବାହକ ଗଦାଧର ପରିଡ଼ା କହିଛନ୍ତି, ବିଳମ୍ବରେ ହେଉ ପଛେ ଓଡ଼ିଶା ପକ୍ଷରୁ ସ୍ୱାଗତଯୋଗ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି । ଏଭଳି କଡ଼ା ଦୃଷ୍ଟି ରହିଲେ, ଆନ୍ଧ୍ର ପକ୍ଷରୁ ଯଦି କୌଣସି ଅଧିକାରୀ କୋଟିଆ ଆସି କାର୍ଯ୍ୟକ୍ରମରେ ସାମିଲ ହେଲେ ସହଜରେ ଜଣାପଡ଼ିଯିବ । ସେମାନଙ୍କ ବିରୋଧରେ ତ୍ୱରିତ ପଦକ୍ଷେପ ନିଆଯାଇ ପାରିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons