ଚାଲିଥିଲା ବାଘନଖ, ହାତୀଦାନ୍ତ, ହୀରା ପଥର କାରବାର

Get real time updates directly on you device, subscribe now.

ସିନାପାଲି,(ବି.ବି.ନୁ୍ୟଜ): ନୂଆପଡ଼ା ଜିଲ୍ଲା ବୋଡେ଼ନ ଥାନାଞ୍ଚଳରେ ବାଘନଖ, ହାତୀଦାନ୍ତ ଓ ହୀରା ପଥର କଳା ସାମ୍ରାଜ୍ୟର ପର୍ଦ୍ଧାଫାସ କରିଛି ସ୍ପେସାଲ୍ ଟାସ୍କଫୋର୍ସ (ଏସ୍ଟିଏଫ୍)ର କ୍ରାଇମ୍ ବ୍ରାଞ୍ଚ ଟିମ୍ । କ୍ରାଇମ୍ ବ୍ରାଞ୍ଚର ମହିଳା ଏଏସ୍ପି ନିଜେ ଗ୍ରାହକ ସାଜି ଚୋରା କାରବାରକୁ ଧରିଛନ୍ତି । ଚଢ଼ଉ ବେଳେ ଏହି କାରବାରର କିଙ୍ଗ୍ପିନ୍ ଫେରାର ହୋଇଥିବା ବେଳେ ତା’ର ପୁଅକୁ କାବୁ କରିଛିି ପୁଲିସ । ଚଢ଼ଉ ବେଳେ ଏଏସ୍ପି ଆକ୍ରମଣର ଶିକାର ହୋଇଛନ୍ତି ।
ସୂଚନାମତେ, ବୋଡେ଼ନ ଥାନାଞ୍ଚଳର ବରଗାଁଠାରେ ବାଘନଖ, ହାତୀଦାନ୍ତ ଓ ହୀରା ପଥର ଚୋରା କାରବାର ଚାଲୁଥିବା ବିଶେଷ ସୂତ୍ରରୁ ଖବର ପାଇ ଏସ୍ଟିଏଫ୍ କ୍ରାଇମ୍ ବ୍ରାଞ୍ଚ ଏଏସ୍ପି ବିଲାସିନୀ ନାଏକଙ୍କ ନେତୃତ୍ୱରେ ବୋଡେ଼ନ ଏବଂ ସିନାପାଲିର ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଚଢ଼ଉ କରିଥିଲା । କଳା ସାମ୍ରାଜ୍ୟର ମୁଖ୍ୟ ଆକବର ମେହେର(୪୫)ଙ୍କ ଘରକୁ ପ୍ରଥମେ ଜଣେ ଗ୍ରାହକ ସାଜି ଯାଇଥିଲେ ମହିଳା ଏଏସ୍ପି । କିଛି ସମୟ କଥାବାର୍ତ୍ତା ପରେ ଆକବରର ବିଶ୍ୱାସ ଜିତିବାରେ ସମର୍ଥ ହୋଇଥିଲେ । ଏହାପରେ ଡିଲ୍ ସମ୍ପର୍କରେ ଆଲୋଚନା ହୋଇଥିଲା ଏବଂ ଶେଷରେ ହୀରା ଦେଖାଇଥିଲେ ଆକ୍ବର । କିନ୍ତୁ କ୍ରାଇମବ୍ରାଞ୍ଚ ଅଧିକାରୀ ବୋଲି ଜାଣିବା ପରେ ସେଠାରେ ହୋହଲ୍ଲା ଆରମ୍ଭ ହୋଇଥିଲା । ମହିଳା ଏସ୍ପିଙ୍କ ଉପରକୁ ହଠାତ୍ ପନିକିରେ ଆକ୍ରମଣ କରିଥିଲା ଆକ୍ବରର ପୁଅ ଦୁଷ୍ମନ୍ତ (୧୯) । ବେକରେ ପନିକି ଲଗାଇ କାଟିବାକୁ ଉଦ୍ୟମ କରୁଥିବାବେଳେ ଉପସ୍ଥିତ ଅନ୍ୟ ଅଧିକାରୀମାନେ ମାଡିି ବସିଥିଲେ । ଏଥିରେ ମହିଳା ଏଏସ୍ପିଙ୍କ ଡାହାଣ ହାତରେ କ୍ଷତ ହୋଇଛି । ଏସବୁ ଭିତରେ ସୁଯୋଗ ପାଇ ଏକ ବ୍ୟାଗ୍ରେ ଡାଇମଣ୍ଡ ଧରି ଫେରାର୍ ହୋଇଥିଲା ଆକ୍ବର । ହେଲେ ତା’ ପୁଅ ଦୁଷ୍ମନ୍ତକୁ ବାକୁ କରି ନେଇଥିଲା ପୁଲିସ ଟିମ୍ । ବର୍ତ୍ତମାନ ତାକୁ ଜେରା କରାଯାଉଛି । ଚଢ଼ଉ ବେଳେ ଘରୁ ବିପୁଳ ସାମଗ୍ରୀ ଜବତ ହୋଇଛି । କ’ଣ ସବୁ ସାମଗ୍ରୀ ଜବତ ହୋଇଛି ସେନେଇ ପୁଲିସ କିଛି ସ୍ପଷ୍ଟ କରିନାହିଁ । କିନ୍ତୁ ହୀରା ପଥର ସାଙ୍ଗକୁ ବାଘ ନଖ, ହାତୀ ଦାନ୍ତ ମଧ୍ୟ ଜବତ ହୋଇଥିବା ଜଣାପଡିଛି । ପୁଲିସ ଏବେ ଛାନ୍ଭିନ୍ ଚଲାଇଛି । ଆକ୍ବରର ଭାଇଙ୍କ ଘରେ ମଧ୍ୟ ପୁଲିସ ଯାଞ୍ଚ କରିଛି ।
ଚଢ଼ଉରେ କ୍ରାଇମବ୍ରାଞ୍ଚ ଏଏସ୍ପି ବିଳାସିନୀ ନାଏକଙ୍କ ସହ ବାଡେନ ଥାନା ଅଧିକାରୀ ଦିଲୀପ ଲାକ୍ରା, ସିନାପାଲି ଏସ୍ଆଇ ବବିତାରାଣୀ ପୁହାଣ, ସୁଦର୍ଶନ ନାଏକ, କୁଳମଣି ବରାଦା, ସୁଜିତ ସାମନ୍ତରାୟ ପ୍ରମୁଖ ସାମିଲ ଥିଲେ । ଏନେଇ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ତଦନ୍ତ ଚାଲିଛି, ପରେ ସୂଚନା ଦିଆଯିବ ବୋଲି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons