ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବିଶିଷ୍ଟ ଲେଖିକା ଅଧ୍ୟାପିକା ମନୋରମା ମହାପାତ୍ର ଆଉ ନାହାନ୍ତି । ଆଜି (ଶନିବାର) ସନ୍ଧ୍ୟାରେ ୮୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏସ୍ସିବି ମେଡିକାଲ୍ କାଜୁଆଲ୍ଟିକୁ ଅଣାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଥିଲା ।
ଜଣେ ମାନବବାଦୀ କବି, ବଳିÂ ସ୍ତମ୍ଭକାର ତଥା ଓଜସ୍ୱିନୀ ସୁବକ୍ତା ଭାବେ ସ୍ୱତନ୍ତ୍ର ପରିଚୟର ଅଧିକାରୀ ହୋଇପାରିଥିବା ଶ୍ରୀମତୀ ମହାପାତ୍ର ଦୀର୍ଘ ଦିନ ଧରି ‘ସମାଜ’ର ସଂପାଦିକା ଭାବେ କାର୍ଯ୍ୟ କରିଥିଲେ । ‘ଶତାକ୍ଷୀ’ ନାଁରେ ସେ ଲେଖୁଥିବା ସ୍ତମ୍ଭ ‘ଝିଟିପିଟି କହେ’ ଏକଦା ବେଶ ଲୋକପ୍ରିୟତା ହାସଲ କରିଥିଲା । ତେବେ ସଂପାଦନା ଓ ସ୍ତମ୍ଭ ଲେଖନର ଊଦ୍ଧ୍ୱର୍ରେ, ଜଣେ ଦରଦୀ, ମାନବବାଦୀ, ଆଧ୍ୟାତ୍ମବାଦୀ ତଥା ସଂସ୍କାରବାଦୀ କବୟିତ୍ରୀ ଭାବେ ସେ ଅଧିକ ପ୍ରସିଦ୍ଧି ହାସଲ କରିଥିଲେ । ତାଙ୍କ ବିୟୋଗ ଖବର ସବୁ ମହଲରେ ଶୋକ ଖେଳାଇ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରୀମତୀ ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଜଣେ ଶିକ୍ଷାବିତ, ସାହିତି୍ୟକା ତଥା ସୁବକ୍ତା ଭାବେ ଓଡ଼ିଶାର ସାରସ୍ୱତ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିବା ଶ୍ରୀମତୀ ମହାପାତ୍ରଙ୍କ ବିୟୋଗ ରାଜ୍ୟ ପାଇଁ ଅପୂରଣୀୟ କ୍ଷତି ବୋଲି ଉଭୟ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।
୧୯୩୪ ମସିହା ଜୁନ୍ ୧୦ ରେ କଟକ ଜିଲ୍ଲାର ଆଠଗଡ଼ ରାଧାନାଥପୁର ଶାସନରେ ମନୋରମାଙ୍କ ଜନ୍ମ । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥ ଓ ସାବିତ୍ରୀ ଦେବୀଙ୍କର ସେ ଥିଲେ ଚତୁର୍ଥ ସନ୍ତାନ । ମାତ୍ର ୧୩ ବର୍ଷ ବୟସରେ କଲମ ଚାଳନା ଆରମ୍ଭ କରିଥିବା ଶ୍ରୀମତୀ ମହାପାତ୍ର ଦୀର୍ଘ ୭୦ ବର୍ଷ ଧରି କବିତା, ଶିଶୁସାହିତ୍ୟ, ଏକାଙ୍କିକା, ରମ୍ୟରଚନା, ଅନୁବାଦ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ଲେଖି ପ୍ରସିଦ୍ଧି ଅର୍ଜନ କରିଛନ୍ତି । ତାଙ୍କର ବହୁ ରଚନା ବିଭିନ୍ନ ଭାରତୀୟ ଭାଷାରେ ଅନୂଦିତ ହେବା ସହ ପାଠକୀୟ ସ୍ୱୀକୃତି ଲାଭ କରିଛି । ତାଙ୍କ କବିତା ସଂକଳନ ଜୁଆର ଯେଉଁଠି ଉଠେ, ଅର୍ଦ୍ଧନାରୀଶ୍ୱର, ବୈଦେହୀ ବିସର୍ଜିତା, ଝଡ଼ ପରେ ସୂର୍ଯେ୍ୟାଦୟ, ଆମେ ସବୁ ନିରବ ଦର୍ଶକ, ସଂହତିର ସଂହିତା, ରୂପମ୍ ରୂପମ୍ ପ୍ରତିରୂପମ୍, ସ୍ମୃତିଚନ୍ଦନ, ଶକ୍ତି ରୂପେଣ ସଂସ୍ଥିତା, ସମୟ ପୁରୁଷ, ସ୍ମୃତିର ନୈମିଷାରଣ୍ୟ, ବଂଗଳା କବିତା ପୁସ୍ତକ ଅରୂପ ଆଲୋ ଆଦି ତାଙ୍କୁ ଅଜସ୍ର ପାଠକୀୟ ସମ୍ମାନ, ଶ୍ରଦ୍ଧା ଓ ସ୍ୱୀକୃତି ଦେଇଛି । ଜଣେ ଛାତ୍ରବତ୍ସଳ ଅଧ୍ୟାପିକା ତଥା ଅର୍ଥନୀତି ବିଶାରଦ ଭାବେ ମଧ୍ୟ ସେ ପରିଚିତ ଥିଲେ । ତେବେ ବାପା ସ୍ୱର୍ଗତ ଡ. ରାଧାନାଥ ରଥ ଓ ସ୍ୱାମୀ ସ୍ୱର୍ଗତ ପଦାରବିନ୍ଦ ମହାପାତ୍ରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ସମାଜସେବାରେ ବ୍ରତୀ ହୋଇଥିଲେ । ସାରସ୍ୱତ ସାଧନା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶ୍ରୀମତୀ ମହାପାତ୍ରଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ସାରଳା ସାହିତ୍ୟ ସଂସଦର ସର୍ବୋଚ୍ଚ ସମ୍ମାନ ସାରଳା ସମ୍ମାନ ସମେତ ବହୁ ମର୍ଯ୍ୟାଦାଜନକ ପୁରସ୍କାର ପ୍ରଦାନ କରାଯାଇଛି । ତାଙ୍କ ମରଶରୀରକୁ କଟକ ଶ୍ରୀବିହାର କଲୋନୀସ୍ଥିତ ତାଙ୍କ ବାସଭବନ ‘ପଦାରବିନ୍ଦ ନିଳୟ’କୁ ନିଆଯିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଶ୍ରୀମତୀ ମହାପାତ୍ରଙ୍କର ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି । ବଡ଼ ପୁଅ ସନ୍ଦୀପ ମହାପାତ୍ର ଏବଂ ସାନ ପୁଅ ପ୍ରଦୀପ ମହାପାତ୍ର ଭୁବନେଶ୍ୱରରେ ରହୁଛନ୍ତି । ବଡ଼ ଝିଅ ଜ୍ୱାଇଁ ଶ୍ୱେତପଦ୍ମା ଦାଶ ଏବଂ ଜ୍ଞାନ ଦାଶ ଆମେରିକାରେ ରହୁଥିବା ବେଳେ ସାନ ଝିଅ ଜ୍ୱାଇଁ ସୁଚିସ୍ମିତା ମିଶ୍ର ଏବଂ ଅରୁଣ ମିଶ୍ର ଦିଲ୍ଲୀରେ ରହୁଛନ୍ତି । ପାଖରେ ତାଙ୍କର ସଂପର୍କୀୟ ଆତ୍ମୀୟ ସିଲୁ ଶତପଥୀ ରହୁଛନ୍ତି । ଆଜି ସନ୍ଧ୍ୟାରେ ସ୍ୱର୍ଗର୍ତା ମହାପାତ୍ରଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଶ୍ରୀ ଶତପଥୀ ତାଙ୍କୁ ଏସ୍ସିବିକୁ ନେଇଥିଲେ । ସେଠାରେ ତାଙ୍କର ହୃଦ୍ଘାତରେ ପରଲୋକ ହୋଇଥିବା ଡାକ୍ତରମାନେ ଘୋଷଣା କରିଥିଲେ । ଖବର ପାଇ ସାନ ପୁଅ, ବୋହୂ, ନାତିନାତୁଣୀମାନେ କଟକରେ ପହଞ୍ଚିଥିବା ବେଳେ ବଡ଼ ପୁଅ ବମ୍ବେ ଯାଇଥିବାରୁ ଆସି ପାରିନାହାନ୍ତି । ଆସନ୍ତାକାଲି ସେ ଆସି ପହଞ୍ଚିବା ପରେ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଶେଷକୃତ୍ୟ ସଂପନ୍ନ କରାଯିବ ବୋଲି ପରିବାର ପକ୍ଷରୁ କୁହାଯାଇଛି ।
Comments are closed, but trackbacks and pingbacks are open.