ବଲାଙ୍ଗିର,(ଗୁପ୍ତେଶ୍ୱର ପୁଷ୍ଟିଙ୍କଠାରୁ): ଅତିରିକ୍ତ ଜିଲ୍ଲାପାଳଙ୍କ ଚ୍ୟାମ୍ବରରେ ଚାଲିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଉ ସେହି ସମୟରେ ଛାତରୁ କଂକ୍ରିଟ୍ ଖସି ଭାଙ୍ଗି ଗଲା ସିଲିଂ। ଅତିରିକ୍ତ ଜିଲ୍ଲାପାଳ ଅଳ୍ପକେ ବର୍ତ୍ତି ଯାଇଥିଲେ ବି ଆହତ ହୋଇଛନ୍ତି ଜଣେ ମହିଳା ଅଧିକାରୀ। ଏହି ଘଟଣା ଘଟିଛି ବଲାଙ୍ଗିର କଲେକ୍ଟୋରେଟ୍ ଭିତରେ ଥିବା ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ୍ରେ। ଆଉ ଏହି ଘଟଣା ପରେ ଜିଲ୍ଲା ମୁଖିଆଙ୍କ କାର୍ୟ୍ୟାଳୟ ମଧ୍ୟ ସୁରକ୍ଷିତ ନୁହେଁ ବୋଲି ଆଲୋଚନା ହେଉଛି। ଆଜି ଅପରାହ୍ଣରେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ସିଂ ଲାଗୁରୀଙ୍କ ଚ୍ୟାମ୍ବରରେ ଏହି ଘଟଣା ଘଟିଛି। ସିଲିଂ ଭାଙ୍ଗି ଯାଇ ଜଣେ ମହିଳା ଅଧିକାରୀଙ୍କ ମୁଣ୍ଡରେ ପଡ଼ିଥିଲା। ତାଙ୍କ ନାଁ ଦମୟନ୍ତୀ ସିଂ। ସେ ଡିଆରସିଏସ୍ ଅଛନ୍ତି। ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେ ଘରେ ଅଛନ୍ତି। ସୂଚନାଯୋଗ୍ୟ, ବଲାଙ୍ଗିର କଲେକ୍ଟୋରେଟ୍ର କୋଠା ବହୁ ବର୍ଷ ପୁରୁଣା। ତେବେ ଏହାକୁ ମରାମତି କରାଯାଇଥିଲା। ଏହା ସତ୍ତ୍ୱେ ଛାତରୁ କଂକ୍ରିଟ୍ ପଡ଼ିବା ଓ ସିଲିଂ ଖସିବା ଏହି କୋଠାର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
Comments are closed, but trackbacks and pingbacks are open.