ଜବରଦଖଲରେ ବାଙ୍କମଠ ପରିସର

Get real time updates directly on you device, subscribe now.

ଜୟପୁର,(ସତ୍ୟ ନାରାୟଣ ସାହୁଙ୍କଠାରୁ): ଜବରଦଖଲକାରୀଙ୍କ ନଜରରୁ ବାଦ୍ ପଡ଼ିନି ମନ୍ଦିର । ନିଜ ବ୍ୟବସାୟ ଲାଗି ମନ୍ଦିର ପରିସରକୁ କବ୍ଜା କରାଯାଇଛି । ଏବେ ନୁହେଁ, ୧୦ ବର୍ଷ ହେଲା ସ୍ଥାନୀୟ ବାଙ୍କମଠ ପରିସରରେ ହୋଇଛି ଏହି ଜବରଦଖଲ । ଜଣେ ବ୍ୟକ୍ତି ଏହାର ପରିସରକୁ ଟେଣ୍ଟ ହାଉସ୍ରେ ପରିଣତ କରିଦେଇଛନ୍ତି । ନିଜ ବ୍ୟବସାୟ ବଢାଇବା ଲାଗି ପରିସରରେ ରଖିଛନ୍ତି ଟେଣ୍ଟ୍ ହାଉସ ସାମଗ୍ରୀ । ଯାହାକୁ ନେଇ ଶ୍ରଦ୍ଧାଳୁ, ପୂଜକ ଏବଂ ଜନ ସାଧାରଣଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ । ଦେବୋତ୍ତର ବିଭାଗ କର୍ମଚାରୀଙ୍କ ସଲାସୁତରରେ ଏସବୁ ଚାଲିଥିବା ଅଭିଯୋଗ ହୋଇଛି ।
ବାଙ୍କମଠ ପରିସରେ ରହିଛି ଗୋପୀନାଥ ଏବଂ ବାଙ୍କେଶ୍ୱର ଶିବ ମନ୍ଦିର । ତା ସହିତ ଏକାଧିକ ପାଶ୍ୱର୍ ଦେବଦେବୀ ମନ୍ଦିର । ବାଙ୍କମଠକୁ ସାଧାରଣତଃ ଗୁଣ୍ଡିଚାବାଡି କୁହାଯାଏ । ରଥଯାତ୍ରାରେ ମହାପ୍ରଭୁ ରଥରେ ଆସି ଏଠାରେ ନବଦିନାତ୍ମକ ପୂଜା ପାଆନ୍ତି । ସେତେବେଳେ ଏଠାରେ ପ୍ରବଳ ଭକ୍ତ ସମାଗମ ହୋଇଥାଏ । କେବଳ ରଥଯାତ୍ରା ନୁହେଁ, ଗଜଲକ୍ଷ୍ମୀ ପୂଜା, ଶିବରାତ୍ରୀ ଏବଂ କାର୍ତ୍ତିକ ସୋମବାରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । ରାଜାରାଜୁଡ଼ା ଅମଳର ଏହି ମନ୍ଦିର ପରିସର ଗତ ୧୦ ବର୍ଷରୁ ଅଧିକ ଦିନ ହେବ ଜବରଦଖଲକାରୀଙ୍କ କବଳରେ ଅଛି । ଜଣେ ବ୍ୟକ୍ତି ଏହାକୁ ଟେଣ୍ଟ ହାଉସ୍ରେ ପରିଣତ କରିଦେଇଛନ୍ତି । ଗୁଣ୍ଡିଚା ମଣ୍ଡପ, ପତିତପାବନ ଆସ୍ଥାନ, ସିଂହଦ୍ୱାର, କୋଠରୀ ସହ ପରିସରର ଖୋଲା ସ୍ଥାନକୁ ବି ଛାଡ଼ିନାହାନ୍ତି । ଯେଉଁଠି ଦେଖିବ ବ୍ୟାରିକେଡ୍, ତୋରଣ, ବାଉଁଶ, ହଣ୍ଡା, ବିଭିନ୍ନ ପ୍ରକାରର ଚେୟାର, ଲୁହା ପାଇପ ଇତ୍ୟାଦି । ବାବା ସାହେବ ସ୍ମୃତି ସଦନ, ଠାକୁରଙ୍କ ରୋଷଘରେ ବି ନାନା ସାମଗ୍ରୀ ରଖାଯାଇଥିବା ଅଭିଯୋଗ ହୋଇଛି । କିଛି ଦିନ ତଳେ ଟେଣ୍ଟ ହାଉସ୍ କର୍ମଚାରୀ ସାମଗ୍ରୀ ବାହାର କରୁଥିବା ବେଳେ ଶ୍ରଦ୍ଧାଳୁଙ୍କ ଉଦେ୍ଧଶ୍ୟରେ ଥିବା ପାଣି ପାଇପ ଭାଙ୍ଗି ଯାଇଥିଲା । ଯାହାକୁ ନେଇ ପରିସରରେ ଶ୍ରଦ୍ଧାଳୁ, ପୂଜକ ଏବଂ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଭଙ୍ଗା ପାଇପ ମରାମତି କରାଯାଇଥିଲା ।
ଅଭିଯୋଗ ହୋଇଛି, ଏଭଳି କାରବାର ପଛରେ କେତେକ ଦେବୋତ୍ତର ବିଭାଗ କର୍ମଚାରୀଙ୍କ ହାତ ରହିଛି । ପରିସରରେ ଥିବା ଘରକୁ କୁଆଡେ ୧ ହଜାର ୫୦୦ ଟଙ୍କା ଭଡ଼ାରେ ଦିଆଯାଇଛି । ବିଭାଗ ପକ୍ଷରୁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସାଜସଜ୍ଜା ସମ୍ପୃକ୍ତ ଟେଣ୍ଟ ହାଉସ୍ ମାଲିକ କରୁଛନ୍ତି । ଏଥିଲାଗି ବିଭାଗ ତାଙ୍କୁ କୁଆଡେ଼ କିଛି ପାରିଶ୍ରମିକ ଦେଉନି । ମାଲିକ ମଧ୍ୟ ବର୍ଷତମାମ ସାମାନ ରଖିବାକୁ ସୁରକ୍ଷିତ ଗୋଦାମ ଘର ପାଇଯାଉଥିବାରୁ ଚୁପ୍ ରହୁଛନ୍ତି । ଯଦି ଏଭଳି ହୋଇଥାଏ, ତେବେ ସାଂଘାତିକ । ଏବେ ଦଶହରା ଚାଲିଛି । ବିଭିନ୍ନ ପୀଠରୁ ଦେବୀଙ୍କ ଲାଠି ଆସିବ । ଲାଠିଧାରୀମାନେ ମନ୍ଦିର ପରିସରରେ ରହିବେ । ମଣ୍ଡପରେ ବିଭିନ୍ନ ସାମଗ୍ରୀ ଜମା ରହିଥିବାରୁ ସମସ୍ୟା ହେବ । ଦଶହରା ପରେ ଲକ୍ଷ୍ମୀପୂଜା ଏବଂ ପବିତ୍ର ଦେବମାସ କାର୍ତ୍ତିକ । ପ୍ରଶାସନ ଏଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି ।
ଦେବୋତ୍ତର କମିଟି ସଭାପତି ଲାଲମୋହନ ମିଶ୍ର କହିଛନ୍ତି, ପରିସରର ମଣ୍ଡପ ଏବଂ କୋଠରୀର ଟିଣ ଛାତ ନଷ୍ଟ ହେବାକୁ ବସିଲାଣି । ନୂଆ ଟିଣ ପକାଇବାକୁ ଏକ ଆକଳନ ଲାଗି ସେ ଆଜି ବାଙ୍କମଠକୁ ଯାଇଥିଲେ । ପରିସର ଅବସ୍ଥା ଦେଖି କଷ୍ଟ ଲାଗିଲା । ପରିସରରେ ଟେଣ୍ଟ ହାଉସ ସାମାନ ରହିଛି । ସମ୍ପୃକ୍ତ ଟେଣ୍ଟ ହାଉସ ମାଲିକଙ୍କୁ ତାଗିଦ କରାଯାଇଛି । ତୁରନ୍ତ ପରିସର ଖାଲି କରିବାକୁ ଚେତାବନୀ ଦିଆଯାଇଛି । ଅନ୍ୟପକ୍ଷରେ ତହସିଲଦାର ପ୍ରଧାନ ଟୁଲିଆମ୍ମା କହିଛନ୍ତି, ମନ୍ଦିର ପରିସରରେ ଥିବା କୋଠରୀ ଭଡାରେ ଦିଆଯାଇଛି କି ନାହିଁ କହିପାରିବେ ନାହିଁ । କର୍ମଚାରୀଙ୍କ ସହ ଆଲୋଚନା ପରେ ଭଡ଼ା ଏବଂ ଜବରଦଖଲ ବାବଦରେ ଜାଣି ହେବ । ଯଦି କିଛି ଅନିୟମିତତା ହୋଇଥିବ ଦୃଢ କାର୍ଯ୍ୟାନୁÂାନ ନିଆଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons