ଜମିଜମା ବିବାଦକୁ କେନ୍ଦ୍ର କରି ୫ ଜଣଙ୍କୁ ହତ୍ୟା, ବଡ଼ ଭାଇର ପରିବାରକୁ ସମୂଳେ ନାଶ କଲା ସାନ ଭାଇ

Get real time updates directly on you device, subscribe now.

ମାହାଙ୍ଗା : ଭାଇ ସଫା କରି ଦେଲା ଭାଇର ସଂସାର। ବଡ଼ ଭାଇ ସମେତ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ମାରି ଦେଲା ସାନ ଭାଇ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁରରେ। ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିଛି। ମୃତକମାନେ ହେଉଛନ୍ତି ଅଲେଖ ସାହୁ, ତାଙ୍କ ପତ୍ନୀ ରଶ୍ମି ସାହୁ, ଦୁଇ ପୁଅ ସ୍ମୃତି ସୌରଭ ଓ ଋଷି ଏବଂ ଝିଅ ପାୟଲ। ଅଭିଯୁକ୍ତଙ୍କ ନାଁ ଶିବ ସାହୁ। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିବା ପୂର୍ବରୁ ଅଭିଯୁକ୍ତ ଏକ ଭିଡିଓ କରିଥିଲେ। ଆଉ ଏହି ଭିଡିଓରେ ସେ ଯାହା କହିଛନ୍ତି, ସେଥିରୁ ସ୍ପଷ୍ଟ ହୋଇଛି ଯେ ପାରିବାରିକ କଳହ ଯୋଗୁ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଶିବ ସାହୁ କହିଛନ୍ତି, ଭାଇ ଓ ମୋ ମଧ୍ୟରେ ତିକ୍ତତା ଥିଲା। ସେ ଓ ତା’ ପରିବାର ମୋତେ ସବୁବେଳେ ହଇରାଣ କରୁଥିଲେ। ଗତକାଲି ରାତିରେ ଭାଇ, ଭାଉଜ ଓ ସେମାନଙ୍କ ତିନି ଛୁଆ ମୋତେ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ। ଏହା ପରେ ମୁଁ ମାନସିକ ଭାରସାମ୍ୟ ହରାଇ ବସିଲି ଓ ସେମାନଙ୍କୁ ମାରିଦେଲି। ଆଇନ ଯାହା ଦଣ୍ଡ ଦେବ, ତାକୁ ଗ୍ରହଣ କରିବି। ଏହି ଭିଡିଓରେ ସେ ଆହୁରି କହିଛନ୍ତି ଯେ ତାଙ୍କର ସମ୍ବଳ ନଥିବାରୁ ସେ ମାହାଙ୍ଗା ନଯାଇ ବାଲିଚନ୍ଦ୍ରପୁର ଯାଇ ଆତ୍ମସମର୍ପଣ କରିବେ। ସୂଚନାଯୋଗ୍ୟ, କୁସୁପୁର ଠାରୁ ବାଲିଚନ୍ଦ୍ରପୁର ଥାନା ପାଖ। ମିଳିଥିବା ସୂଚନା ଅନୁଯାୟୀ, ଅଲେଖ ଗାଁରେ ଏକ ଛୋଟ ଦୋକାନ କରିଥିଲେ। ସେହିପରି ଶିବ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଘର ଓ ଜାଗାବାଡ଼ି ନେଇ ଦୁଇ ଭାଇଙ୍କ ମଧ୍ୟରେ ଦୀର୍ଘ ବର୍ଷରୁ ଝଗଡ଼ା ଲାଗି ରହିଥିଲା। ତେବେ ଗତକାଲି ରାତିରେ ତାହା ଉଗ୍ରରୂପ ନେଇଥିଲା। ଯାହା ସୂଚନା ମିଳିଛି, ରାତି ପ୍ରାୟ ଅଢ଼େଇଟା ବେଳେ ଶିବ ସମସ୍ତଙ୍କୁ ମାରିଛି। କୌଣସି ଧାରୁଆ ଅସ୍ତ୍ରରେ ସେ ସେମାନଙ୍କୁ ହାଣି ଦେଇଛି। ଆଜି ସକାଳ ସାଢ଼େ ଆଠଟା ପର୍ଯ୍ୟନ୍ତ ଶିବ ଗାଁରେ ଥିଲେ। ଲୋକେ ବି ତାଙ୍କୁ ଦେଖିଛନ୍ତି। ତା’ପରେ ସେ ବାଲିଚନ୍ଦ୍ରପୁର ଯାଇ ଆତ୍ମସମର୍ପଣ କରିଥିଲେ। ପୁଲିସ୍ ଓ ମାଜିଷ୍ଟ୍ରେଟ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। 

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons