ଜମି ଭାଗବଣ୍ଟାକୁ ନେଇ ହତ୍ୟା ମାମଲା:ବାପା-୩ ପୁଅଙ୍କୁ ଆଜୀବନ ଜେଲ୍

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କଠାରୁ): ଏକ ହତ୍ୟା ମାମଲାର ବିଚାରକରି ଜିଲ୍ଲା ଦୌରଜାଜ୍ ସଞ୍ଜୀବ ଦୁବେ ୪ ଦୋଷୀଙ୍କୁ ଆଜୀବନ ଜେଲ୍ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ୨୦ ହଜାର ଟଙ୍କା ଲେଖାଏଁ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ଅଧିକ ୧ ବର୍ଷ ଲେଖାଏଁ ଜେଲଦଣ୍ଡ ଭୋଗିବାକୁ ପଡ଼ିବ । ଦଣ୍ଡାଦେଶ ପାଇଥିବା ଆସାମୀ ହେଲେ କୋଷାଗୁମୁଡ଼ା ଥାନା ବି. ଗୁମଣ୍ଡଲି ଗାଁର ଦାମୋଦର ନାୟକ ଓ ତାଙ୍କ ୩ ପୁଅ ପ୍ରେମନାଥ ନାୟକ, ଶ୍ରୀଧର ନାୟକ ଓ ଶ୍ୟାମସୁନ୍ଦର ନାୟକ ।
୨୦୧୯ ଏପ୍ରିଲ୍ ୪ ତାରିଖରେ ଏହି ହତ୍ୟା ଘଟଣା ଘଟିଥିଲା । ବି.ଗୁମଣ୍ଡଲି ଗାଁର ଦାମୋଦରଙ୍କ ପରିବାର ନାଁରେ ୪ ଏକର ଚାଷ ଜମି ରହିଥିଲା । ଏହି ଜମି ଭାଗବଣ୍ଟାକୁ ନେଇ ବାପା ଓ ୪ ପୁଅଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଗାଁ ବୈଠକରେ ଏହାର ସମାଧାନ ପାଇଁ ଉଦ୍ୟମ କରାଯାଇଥିଲା । କିନ୍ତୁ କୌଣସି ବୁଝାମଣା ହୋଇପାରିନଥିଲା । ଶେଷରେ ୩ ପୁଅ ପ୍ରେମନାଥ, ଶ୍ରୀଧର ଓ ଶ୍ୟାମ ସୁନ୍ଦର ସହ ମିଶି ଦାମୋଦର ତାଙ୍କ ସାନପୁଅ ପଦ୍ମନଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ମାରିଥିଲେ । ଗୁରୁତର ଅବସ୍ଥାରେ ପଦ୍ମନଙ୍କୁ ତାଙ୍କ ସ୍ତ୍ରୀ ଦଶମୀ ନାୟକ କୋଟପାଡ଼ ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ପଦ୍ମନଙ୍କୁ ମୃତ ଘୋଷଣା କରିଥିଲେ ।
ଏ ସମ୍ପର୍କରେ ଦଶମୀ କୋଷାଗୁମୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୁଲିସ୍ ଅଭିଯୁକ୍ତ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ୨୨ଜଣଙ୍କ ସାକ୍ଷ୍ୟ ଏବଂ ପୁଲିସ୍ର ତଦନ୍ତ ରିପୋର୍ଟକୁ ଭିତ୍ତିକରି ମାନ୍ୟବର ଅଦାଲତ ଉପରୋକ୍ତ ରାୟ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ଆଇନଜୀବୀ ସଚିନନ୍ଦନ ସ୍ୱାଇଁ ମାମଲା ପରିଚାଳନା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons