ଜୁନ୍ ସୁଦ୍ଧା ଭୁବନେଶ୍ୱରକୁ ଉଡ଼ିବ ବିମାନ

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ଆସନ୍ତା ଜୁନ୍ ଶେଷ ସୁଦ୍ଧା ଜୟପୁର ଏୟାରଷ୍ଟି୍ରପ୍ରୁ ଭୁବନେଶ୍ୱର ଏବଂ ବିଶାଖାପାଟଣାକୁ ଉଡ଼ିବ ବିମାନ । ଏ ଦିଗରେ ସମସ୍ତ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଡିଜିସିଏଙ୍କ ଅନୁମତି ମିଳିବା ପରେ ବିମାନ ଚଳାଚଳ ଲାଗି ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ପୂର୍ବରୁ ଭୁବନେଶ୍ୱରରୁ ୫ ଜଣିଆ ବିଶେଷଜ୍ଞ ଦଳ ସ୍ଥାନୀୟ ଏୟାରପୋର୍ଟ ପରିଦର୍ଶନ କରିଥିଲେ । ଏପ୍ରିଲ ୫ରେ ସୁରକ୍ଷା ଟିମ୍ ସମସ୍ତ କାର୍ଯ୍ୟକମ ତଦାରଖ କରଥିଲା । ନିରାପତ୍ତା(ସେଫ୍ଟି) ଟିମ୍ ଏଠାକୁ ତୃତୀୟ ସପ୍ତାହରେ ଆସିବା କାର୍ଯ୍ୟକ୍ରମ ରହିଛି । ଡିଜିସିଏ(ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍) ଅନୁମତି ଦେଲେ ଏୟାରଷ୍ଟ୍ରିପ୍ରୁ ୧୯ ସିଟ୍ ବିଶିଷ୍ଟ ବିମାନ ଉଡ଼ିପାରିବ । ଅନ୍ୟପକ୍ଷେ ୯ ସିଟ୍ କ୍ଷମତା ବିଶିଷ୍ଟ ବିମାନ ଚଳାଚଳ ଲାଗି ଇଣ୍ଡିଆ ୱାନ୍ ଏୟାର୍ଲାଇନ୍ସକୁ ଅନୁମତି ମିଳିଛି । ଡିଜିସିଏର ସବୁଜ ସଙ୍କେତ ମିଳିବା ପରେ ଇଣ୍ଡିଆ ୱାନ୍ ଏୟାର୍ଲାଇନ୍ସ ପକ୍ଷରୁ ବିମାନ ଉଡ଼ାଣ ଆରମ୍ଭ ହେବ । ଏଠାରୁ ବ୍ୟବସାୟିକ ବିମାନ ଚଳାଚଳ(୩-ସି କାଟେଗୋରି) ଲାଗି ଏୟାରଷ୍ଟ୍ରିପ୍ର ଅଧିକ ଉନ୍ନତିକରଣ କରାଯାଉଛି । ୩-ସି କ୍ୟାଟାଗୋରି ଲାଗି ରନ୍ୱେର ଓସାର ୩୦ ମିଟର ଏବଂ ଲମ୍ବ ୨ ହଜାର ୭୦୦ ମିଟର ଆବଶ୍ୟକ । ଏବେ ରନ୍ୱେର ଲମ୍ବ ୧ ହଜାର ୨୦୦ ମିଟର ଏବଂ ପ୍ରସ୍ଥ ୩୦ ମିଟର ରହିଛି ।
ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଗସ୍ତ ସାରି ନିର୍ଦ୍ଧାରିତ ସମୟର ପ୍ରାୟ ୨ ଘଣ୍ଟା ବିଳମ୍ବରେ ଏୟାରଷ୍ଟ୍ରିପ୍ରେ ପହଞ୍ଚିଥିଲେ ଶ୍ରୀ ମହାପାତ୍ର । ଅପରାହ୍ନ ସାଢେ ୫ଟାରେ ପହଞ୍ଚିବା ପରେ ଜିଲ୍ଲାପାଳ ଅବଦଲ୍ ମହମ୍ମଦ ଅଖତର, ଏସ୍ପି ବରୁଣ ଗୁଣ୍ଟୁପଲ୍ଲୀ, ପୂର୍ତ୍ତବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅରୁଣ କୁମାର ସାହୁ, ଅଧୀକ୍ଷଣ ଯନ୍ତ୍ରୀ ଭାସ୍କରଚନ୍ଦ୍ର ସାମନ୍ତରାୟ ପ୍ରମୁଖଙ୍କ ସହ ଏୟାରଷ୍ଟ୍ରିପ୍ ବୁଲି ଦେଖିଥିଲେ । ୧୦ ମିନିଟ୍ ମଧ୍ୟରେ ତଦାରଖ କାମ ସାରି ବାହାରିଥିଲେ ଜିଲ୍ଲା ହସପିଟାଲ ଅଭିମୁଖେ । ଡାକ୍ତରଖାନା ପରିସରରେ ଚାଲିଥିବା ୭ ମହଲା ବିଶିଷ୍ଟ ନୂଆ ମେଡିକାଲ କୋଠା ନିର୍ମାଣସ୍ଥଳରେ ପହଞ୍ଚିଥିଲେ । କୋଠାର ପାଇଲିଂ, ମାଟି ପରୀକ୍ଷା, ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ଲାଗି ବ୍ୟବସ୍ଥା, ଏଟିଏମ୍ ବାବଦରେ ପଚାରି ବୁଝିଥିଲେ । ନକ୍ସା ଦେଖାଇ ନିର୍ମାଣାଧୀନ କୋଠାରେ କି କି ସୁବିଧା ଉପଲବ୍ଧ ହେବ ଅଧିକାରୀମାନେ ସୂଚନା ଦେଇଥିଲେ । କାମର ମାନ ବଜାୟ ରଖିବାକୁ ଠିକାସଂସ୍ଥା କର୍ତ୍ତୃପକ୍ଷ ଏବଂ ପୂର୍ତ୍ତବିଭାଗ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ବାର୍ଷିକ ହାରାହାରି ୧୫୦ ମିମି ବର୍ଷା ହେଉଥିବାରୁ ଛାତର ଗ୍ରେଡିଂ ଠିକ୍ ରଖିବା ଲାଗି ଜିଲ୍ଲାପାଳ ଶ୍ରୀ ଅଖତର ତାଗିଦ କରିଥିଲେ । ଏଥିସହ ଝରକା ଦେଇ କୋଠାରୀର ଯେଭଳି ପାଣି ନପଶିବ ସେ ବାବଦରେ ଅଧିକ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ସମୟ ଅଭାବରୁ ଡାକ୍ତରଖାନାରେ ରଖାଯାଇଥିବା ରିଭୁ୍ୟ ମିଟିଂ ବାତିଲ କରାଯାଇଥିଲା ।
ଜଗନ୍ନାଥ ସାଗର ପରିଦର୍ଶନ ଲାଗି ଜୟନଗର ଚିତ୍ତବିନୋଦନ ପାର୍କରେ ପହଞ୍ଚିଥିଲେ ମୁଖ୍ୟ ଶାସନ ସଚିବ । ପୂର୍ବରୁ ଅପେକ୍ଷା କରିଥିଲେ ବିଧାୟକ ତାରାପ୍ରସାଦ ବାହିନୀପତି । ସାଗରର ଆକାର, କେତେ ଅଞ୍ଚଳରେ ମାଛ ଚାଷ ହେଉଛି, କେତେ ଏକରରେ ଜଳସଚେନ କରାଯାଉଛି ସେ ସମ୍ପର୍କରେ କ୍ଷୁଦ୍ର ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଅରବିନ୍ଦ ରାଉତ ଏବଂ ନିର୍ବାହୀ ଯନ୍ତ୍ରୀ ସୁଭାଷଚନ୍ଦ୍ର ସେଠୀ ସୂଚନା ଦେଇଥିଲେ । ପୂର୍ବରୁ ସାଗରର ଅବସ୍ଥା କ’ଣ ଥିଲା, ଏବର ସ୍ଥିତି ସମ୍ପର୍କରେ ବିଧାୟକ ଶ୍ରୀ ବାହିନୀପତି ବୁଝାଇଥିଲେ । ସାଗରର ଉନ୍ନତିକରଣ, ଡ୍ରେନେଜ୍, ପାଦଚଲା ରାସ୍ତା, ପାର୍କ, ଆବର୍ଜନା ପାଣି ନମିଶିବା ଲାଗି ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ । ସାଗରର ଚାରିକଡ଼ ନକ୍ସା ମାଧ୍ୟମରେ ପଦର୍ଶିତ କରାଯାଇଥିଲା । ଏହାପରେ ଶ୍ରୀ ବାହିନୀପତି, ପିଡ଼ି ଡିଆରଡିଏ ହେମକାନ୍ତ ସୟ, ପୌର ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପ;ନାୟକ, ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ପ୍ରମୁଖ ମୁଖ୍ୟ ଶାସନ ସଚିବଙ୍କ ସହ ସାଗର ସମ୍ପର୍କରେ ଅଧିକ ଆଲୋଚନା କରିଥିଲେ । ତେବେ ସହରର ଭାବାବେଗ ସହ ଜଡ଼ିତ ଜଗନ୍ନାଥ ସାଗର ସମ୍ପର୍କରେ ନିର୍ଦ୍ଧିଷ୍ଟ କିଛି ସୂଚନା ଦେଇନଥିଲେ ବି ଏହାର ଉନ୍ନତିକରଣ ଲାଗି ପଦକ୍ଷେପ ନିଆଯିବ ବୋଲି ଗଣମାଧ୍ୟମକୁ କହିଥିଲେ ଶ୍ରୀ ମହାପାତ୍ର । ପରିଦର୍ଶନ ସମୟରେ ଉପଜିଲ୍ଲାପାଳ ବେଦବର ପ୍ରଧାନ, ଏସଡିପିଓ ଅରୂପ ଅଭିଷେକ ବେହେରା, ଡିଏସ୍ପି(ପ୍ରୋବେସନ୍) ବିରଞ୍ଚି ନାରାୟଣ ଜଗତ, ଅତିରିକ୍ତ ତହସିଲଦାର ଅଶ୍ୱିନୀ କୁମାର ମହାପାତ୍ର, ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଚିରଞ୍ଜୀବୀ ମାହାଳି, ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ବେହେରା, ସଦର ଥାନା ଆଇଆଇସି ଇଶ୍ୱର ତାଣ୍ଡି, ଟାଉନ ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଯଶୋଦା ଗାଦବା ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons