ଟୋଲପ୍ଲାଜାରେ ଘଣ୍ଟାଏ ଅଟକିଲା ଜିଲ୍ଲା ପରିଷଦ ସଭାପତିଙ୍କ ଗାଡ଼ି

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ): କେନ୍ଦୁଝର ଜିଲ୍ଲା ପରିଷଦର ସଭାପତି କମଳିନୀ ପାତ୍ର ସରକାରୀ ଗସ୍ତରେ ଯାଉଥିବା ସମୟରେ ଢେଙ୍କିକୋଟ ଟୋଲପ୍ଲାଜାରେ ଘଣ୍ଟାଏ କାଳ ଅଟକିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଶ୍ରୀମତୀ ପାତ୍ର ସରକାରୀ ଗାଡିରେ ଗସ୍ତ କରୁଥିବା ସମୟରେ ଟୋଲପ୍ଲାଜା କର୍ମଚାରୀମାନେ ଟିକସ ନଦେଲେ ଛାଡିବେ ନାହିଁ ବୋଲି ରୋକଠୋକ୍ ଜଣାଇଥିଲେ । ଏହି ଘଟଣାକୁ ନେଇ ଜିଲ୍ଲା ପରିଷଦ ସଭାପତି କ୍ଷୋଭ ପ୍ରକାଶ କରିଛନ୍ତି । ଜଣେ ଜିଲ୍ଲା ପରିଷଦ ସଭାପତି ସରକାରୀ ଗାଡିରେ ଓ ସରକାରୀ ଗସ୍ତରେ ଯାଉଥିବା ବେଳେ ଟୋଲପ୍ଲାଜା କର୍ମଚାରୀ ନିଜର କ୍ଷମତା ବଳରେ ଜଣେ ମହିଳା ଲୋକ ପ୍ରତିନିଧିଙ୍କୁ ଦୀର୍ଘ ସମୟ ଅଟକ ରଖିବା ସହିତ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି । ଜିଲ୍ଲାପାଳ ଆଶିଷ ଠାକ୍ରେ ଓ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ ପରେ ବିନା ଶୁଳ୍କରେ ଜିଲ୍ଲା ପରିଷଦ ସଭାପତି ମୁକୁଳିଥିବା ଜଣାପଡିଛି ।
ଜିଲ୍ଲା ପରିଷଦ ସଭାପତି ଟିକସ ଛାଡ ତାଲିକାରେ ନଥିବା ଦର୍ଶାଇ ଟୋଲପ୍ଲାଜା କର୍ତ୍ତୃପକ୍ଷ ସରକାରୀ ନିୟମକୁ ଦେଖାଇଥିଲେ । ମାତ୍ର ଜିଲ୍ଲା ମଧ୍ୟରେ ସରକାରୀ କାର୍ଯ୍ୟକ୍ରମରେ ଏକାଧିକ ଥର ତାଙ୍କୁ ଯିବାକୁ ପଡୁଥିବାରୁ ଟିକସ ଦେବାକୁ ଶ୍ରୀମତୀ ପାତ୍ର ଅରାଜି ହୋଇଥିଲେ । ଏ ସମ୍ପର୍କରେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ପାତ୍ର କୁହନ୍ତି, ସେ ଜଣେ ଜିଲ୍ଲାସ୍ତରର ଲୋକ ପ୍ରତିନିଧି ହୋଇଥିବା ସମୟରେ ଜିଲ୍ଲା ମଧ୍ୟରେ ସରକାରୀ କାର୍ଯ୍ୟକ୍ରମରେ ଗସ୍ତ କରିଥାନ୍ତି । ମାତ୍ର ସରକାରୀ ଗାଡିରେ ସେ ଯାଉଥିବା ସମୟରେ ଢେ଼ଙ୍କିକୋଟରେ ତାଙ୍କ ଗାଡିକୁ ଦୀର୍ଘ ସମୟ ଅଟକ କରାଯାଇଥିଲା । ପରିଚୟ ଦେବାପରେ ମଧ୍ୟ କର୍ମଚାରୀମାନେ ତାଙ୍କୁ ଛାଡିନଥିଲେ । ଟିକସ ଦେବାକୁ ସେ ସକ୍ଷମ ଥିଲେ ମଧ୍ୟ ଟୋଲପ୍ଲାଜା କର୍ମଚାରୀଙ୍କ ବ୍ୟବହାର ତାଙ୍କୁ ଆଚମ୍ବିତ କରିଛି । ଏହି ଘଟଣା ପରେ ସେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ସହିତ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିଥିଲେ । ଜିଲ୍ଲାପାଳ ଘଟଣା ସମ୍ପର୍କରେ ତ୍ୱରିତ୍ ପଦକ୍ଷେପ ନେଇ ରାଜପଥ କର୍ତ୍ତୃପକ୍ଷଙ୍କ ସହିତ କଥାବାର୍ତ୍ତା ହେବା ସହିତ ଏଭଳି ଦାୟିତ୍ୱହୀନ କର୍ମଚାରୀ ଜିଲ୍ଲା ପରିଷଦ ସଭାପତିଙ୍କୁ ଅଟକାଇଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ପରେ ଘଣ୍ଟାଏ ବିଳମ୍ବରେ ଟୋଲପ୍ଲାଜା କର୍ମଚାରୀ ଜିଲ୍ଲା ପରିଷଦଙ୍କ ନିକଟରେ ଦୁଃଖ ପ୍ରକାଶ କରିବା ପରେ ବିନା ଟିକସରେ ଗାଡିକୁ ଛାଡିବାକୁ ବାଧ୍ୟ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons