ଟ୍ରକ୍ ଧକ୍କାରେ ବାପ ମୃତ, ଝିଅ ଗୁରୁତର

Get real time updates directly on you device, subscribe now.

ଅନୁଗୁଳ,(ବି.ବି.ବୁ୍ୟରୋ): ମୃତୁ୍ୟର ଫାଶ ଧରି ବସିଛି ୫୫ ନମ୍ବର ଜାତୀୟ ରାଜପଥ । ବଡ଼କେରାଠାରୁ ବଅଁରପାଳ ଛକ ପର୍ଯ୍ୟନ୍ତ କଦର୍ଯ୍ୟ ଜାତୀୟ ରାଜପଥରେ ଲୋକ ପ୍ରତିଟି ମୁହୂର୍ତ୍ତରେ ବିପଦ ଗଣୁଛନ୍ତି । ଦୁର୍ଘଟଣା ଘଟୁଛି, ଧନଜୀବନ ହାନି ଘଟୁଛି । ହେଲେ ଲୋକଙ୍କ ଗୁହାରି ଶୁଣିବାକୁ କେହି ନାହିଁ । ଅନୁଗୁଳ ସହର ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ତୁରଙ୍ଗଠାରେ ବୁଧବାର ପୂର୍ବାହ୍ଣରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଇକ୍କୁ ଧକ୍କା ଦେଇଛି ଟ୍ରକ୍ । ବାଇକ୍ ଆରୋହୀ ବାପାଙ୍କ ମୃତୁ୍ୟ ହୋଇଥିବା ବେଳେ ଝିଅ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଅନୁଗୁଳ ସହର ମିଶ୍ରପଡ଼ାର ବିଶ୍ୱ ନାଏକ(୫୫) ଏବଂ ଗୁରୁତର ହେଲେ ତାଙ୍କ ଝିଅ ସୁପ୍ରଭା ନାଏକ(୧୯) । ଗୁରୁତର ସୁପ୍ରଭାଙ୍କୁ କଟକ ବଡ଼ ମେଡିକାଲ୍କୁ ସ୍ଥାନନ୍ତର କରାଯାଇଛି । ଏହି ଦୁର୍ଘଟଣାକୁ କେନ୍ଦ୍ର କରି ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଦୟନୀୟ ରାସ୍ତାରେ ନିଇତି ଦୁର୍ଘଟଣା ଘଟି ଜୀବନ ଯାଉଛି । ଆଉ କେତେ ଜୀବନ ଗଲେ, ଜିଲ୍ଲା ପ୍ରଶାସନ, ଜାତୀୟ ରାଜପଥ ପ୍ରାଧିକରଣ, ଠିକା ସଂସ୍ଥା ଚେତିବେ ବୋଲି ଲୋକ ପ୍ରଶ୍ନ କରିଛନ୍ତି ।
ସୂଚନା ମୁତାବକ, ମିଶ୍ରପଡ଼ାର ସୁପ୍ରଭା କାଣ୍ଡସରଠାରେ ଥିବା ଏକ କାର୍ ସୋରୁମ୍ରେ ଚାକିରି କରନ୍ତି । ତାଙ୍କୁ ପ୍ରତିଦିନ ବାଇକ୍ରେ ବାପା ବିଶ୍ୱ ଛାଡ଼ିବାକୁ ଯାଆନ୍ତି । ବୁଧବାର ପୂର୍ବାହ୍ଣ ୯ଟା ବେଳେ ସେ ଝିଅକୁ ବାଇକ୍ରେ ବସାଇ କାର୍ ସୋରୁମ୍କୁ ଯାଉଥିଲେ । ତେବେ ତୁରଙ୍ଗଠାରେ ଥିବା ବୁଲେଟ୍ ସୋରୁମ୍ଠାରେ ଘଟିଥିଲା ହୃଦୟ ବିଦାରକ ଦୁର୍ଘଟଣା । କଦର୍ଯ୍ୟ ରାସ୍ତାକୁ ଠିକା ସଂସ୍ଥା ମରାମତି କରିବା ପରିବର୍ତ୍ତେ କ୍ରସର ଗୁଣ୍ଡ ପକାଇ କାମ ସାରି ଦେଇଛି । ଏହି କ୍ରସର ଗୁଣ୍ଡରେ ବାଇକ୍ ହଡ଼ବଡେ଼ଇ ଯାଇଥିବା ବେଳେ ବାପ-ଝିଅଙ୍କୁ ଧକ୍କା ଦେଇଥିଲା ନାଲ୍କୋ ପଟୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ । ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ କଟକ ସ୍ଥାନାନ୍ତର କରିଥିଲେ ଡାକ୍ତର । ମାତ୍ର କଟକ ସ୍ଥାନାନ୍ତର ବେଳେ ବାପା ବିଶ୍ୱ ନାଏକଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ୍ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ୍୍କୁ ପୁଲିସ ଜବତ କରିଛି । ଡ୍ରାଇଭର ଫେରାର୍ ହୋଇଯାଉଥିବା ବେଳେ ପୁଲିସ୍ ପିଛା କରି ତାଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଝାଡ଼ଖଣ୍ଡର କାମେଶ୍ୱର ଯାଦବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons