ତହସିଲଦାର ଯୁବକଙ୍କୁ ମାଡ଼ ମାରି ହଟହଟା

Get real time updates directly on you device, subscribe now.

ଗଞ୍ଜାମ, (ଗୋବିନ୍ଦ ଚନ୍ଦ୍ର ଗୌଡ଼ଙ୍କଠାରୁ): ବିଭିନ୍ନ ସମୟରେ ନିଜ ଦବଙ୍ଗଗିରିକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ । ଏପରିକି ଏଥିପାଇଁ ତାଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା କାରଣ ଦର୍ଶାଅ ନୋଟିସ୍ ଜାରି ସହ ଏକ ମାମଲା କୋର୍ଟରେ ବିଚାରାଧୀନ ରହିଛି । ଏଭଳି ସ୍ଥଳେ ତହସିଲଦାର ବୁଧବାର ଗଞ୍ଜାମ ବ୍ଲକ୍ ସିପକୁଦା ଗ୍ରାମରେ ଅରଣ୍ୟ କୁମାର ନାହାକ (୩୦) ନାମକ ଯୁବକଙ୍କୁ ମାଡ଼ ମାରି ପୁଣି ହଟହଟା ହୋଇଛନ୍ତି । ରମ୍ଭା ଥାନା ପୁଲିସ ପହଞ୍ଚି ତହସିଲଦାରଙ୍କୁ ଉଦ୍ଧାର କରିଥିଲା ।
ତହସିଲଦାର ଅରୁଣ କୁମାର ନାୟକ ବୁଧବାର ପୂର୍ବାହ୍ଣ ୧୧ଟା ବେଳେ କୌଣସି ସରକାରୀ କାର୍ଯ୍ୟରେ ଗାଡି ନେଇ ଗଞ୍ଜାମ ବ୍ଲକ୍ ଝାରେଡି ରାଧାଗୋବିନ୍ଦପୁର ପଞ୍ଚାୟତ ସିପକୁଦା ଗ୍ରାମ ଦେଇ ଯାଉଥିଲେ । ଗାଡିର ଗତି ଅଧିକ ଥିବା ବେଳେ ସେହି ସମୟରେ ସ୍କୁଲ ଛାତ୍ରଛାତ୍ରୀ ରାସ୍ତା ଅତିକ୍ରମ କରୁଥିଲେ । ଏଣୁ ସେହି ଗାଁର ଜଣେ ଯୁବକ ଅରଣ୍ୟ କୁମାର ନାହାକ ଗାଡିକୁ ଧୀରେ ଯିବା ପାଇଁ ଇସାରା ଦେଇଥିଲେ । ଏହା ପରେ ତହସିଲଦାରଙ୍କ ରାଗ ପଞ୍ଚମକୁ ଚଢି ଯାଇଥିଲା, ସେ ଗାଡି ପଛକୁ ଆଣି କଣ ପାଇଁ ଏହିପରି ଇସାରା ଦେଲୁ କହି ବାଡେ଼ଇବି ବୋଲି କହିବା ସହ ମୋ ଗାଲକୁ ଚାପୁଡ଼ା ମାରିଥିଲେ ବୋଲି ଅଭିଯୋଗ କରିଛନ୍ତି ଅରଣ୍ୟ । ଏହା ଦେଖି ଗ୍ରାମବାସୀ ଉତ୍କ୍ଷିପ୍ତ ହୋଇ ତହସିଲଦାରଙ୍କ ଗାଡିକୁ ଘେରି ଯାଇଥିଲେ । ତହସିଲଦାରଙ୍କୁ ଗାଳିଗୁଲଜ କରିବା ସହ ମାଡ଼ କାହିଁକି ମାରିଲ ବୋଲି ପ୍ରଶ୍ନ କରିଥିଲେ । ଏହାକୁ ନେଇ ତହସିଲଦାର- ଗ୍ରାମବାସୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏପରିକି ତହସିଲଦାର ଗାଡ଼ିରୁ ଓହ୍ଲାଇ ବାହାରେ ମଧ୍ୟ ବହୁ ସମୟ ଧରି ଯୁକ୍ତିତର୍କ କରିଥିଲେ । କ୍ରମଶଃ ଉତ୍ତେଜନା ଦେଖାଦେବାରୁ ତହସିଲଦାର ରମ୍ଭା ଥାନା ଆଇଆଇସିଙ୍କୁ ଜଣାଇଥିଲେ । ପୁଲିସ ଘଟଣାସ୍ଥଳରୁ ତହସିଲଦାରଙ୍କୁ ଉଦ୍ଧାର କରିଥିଲା । ଏହାର ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।
ତହସିଲଦାର ଅରୁଣ କୁମାର ନାୟକ ଗତବର୍ଷ କରୋନା ସମୟରେ ହୁମ୍ମାର ଏକ ପେଟ୍ରୋଲ ପମ୍ପ୍ରେ ଜଣେ କର୍ମଚାରୀଙ୍କୁ ବସଉଠ କରାଇଥିଲେ । ଉକ୍ତ ଘଟଣାର ଭିଡିଓ ଭାଇରାଲ ହେବା ପରେ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ ଜିଲ୍ଲାପାଳ । ମାନବିକତା କଥା ଉଲ୍ଲେଖ କରି ଘଟଣାରେ ଭୁଲ ହୋଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଉତ୍ତର ରଖିଥିଲେ ତହସିଲଦାର । ତେବେ ଏହା ଗୋଟିଏ ବା ଦୁଇଟି ଘଟଣା ନୁହେଁ, କାର୍ଯ୍ୟଭାର ଗ୍ରହଣ ପର ଠାରୁ ତହସିଲଦାରଙ୍କ ଏହିପରି ବ୍ୟବହାର ଯୋଗୁଁ ବିଭିନ୍ନ ସମୟରେ ବାରମ୍ବାର କୈଫୟତ ତଲବ ସମ୍ମୁଖୀନ ହୋଇ ଉତ୍ତର ଦେବାକୁ ବାଧ୍ୟ ହୋଇଛନ୍ତି । ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ରାଜସ୍ୱ ବିଭାଗକୁ ପଞ୍ଚାୟତ ପ୍ରତିନିଧି, ଜନସାଧାରଣ ଲିଖିତ ଭାବେ ତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଘଟଣା ସମ୍ପର୍କରେ ତହସିଲଦାର ଅରୁଣ କୁମାର ନାୟକଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ତାଙ୍କ ସହ ଯୋଗାଯୋଗ ପ୍ରୟାସ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ । ଏ ସମ୍ପର୍କରେ ରମ୍ଭା ଥାନା ଆଇଆଇସି ଦୀପ୍ତିରଞ୍ଜନ ବେହେରା କହିଛନ୍ତି ଯେ- ତହସିଲଦାରଙ୍କୁ କିଛି ଲୋକ ଅଟକାଇଥିଲେ । ଆମ ଷ୍ଟାଫ୍ ପହଞ୍ଚି ଆଲୋଚନା ତଥା ବୁଝାସୁଝା ପରେ ସେ ଚାଲି ଆସିଥିଲେ ।
ଉଲ୍ଲେଖଯୋଗ୍ୟ ଯେ- ଅରୁଣ ନାୟକ ପୁରୁଷୋତ୍ତମପୁର ତହସିଲଦାର ଥିବା ବେଳେ କୁମ୍ଭାରୀ ଗ୍ରାମର ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ସମ୍ପୃକ୍ତ ମହିଳା ଥାନାରେ ଅଭିଯୋଗ କରିଥିଲେ ହେଁ କେସ୍ ରୁଜୁ ନହେବାରୁ ସେ ଗଞ୍ଜାମ ଏସ୍ପିଙ୍କ ନିକଟରେ ଅଭିଯୋଗ କରିବା ସହ ପୁରୁଷୋତ୍ତମପୁର ଏସ୍ଡିଜେଏମ୍ କୋର୍ଟରେ ୧-ସିସି କେସ୍ ରୁଜୁ କରିଥିଲେ । ମାମଲା ଏବେବି କୋର୍ଟରେ ବିଚାରାଧୀନ ରହିଛି । ସେହିପରି ସେହି ସମୟରେ ନିଜ କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀଙ୍କୁ ପୁରୁଷୋତ୍ତମପୁର ତହସିଲଦାର ଅସଦାଚରଣ କରିଥିବା ଅଭିଯୋଗ ଉଠିଥିଲା । ଏ ନେଇ ଜିଲ୍ଲାପାଳ ତଦନ୍ତ ନିଦେ୍ର୍ଧଶ ଦେଇଥିଲେ । ଜିଲ୍ଲାସ୍ତରୀୟ ବିଭାଗୀୟ କମିଟି ତଦନ୍ତ କରିଥିଲା । ଉଭୟ ତହସିଲଦାର ଓ ସମ୍ପୃକ୍ତ ମହିଳା କର୍ମଚାରୀଙ୍କୁ ଡାକି କମିଟି ପଚରାଉଚୁରା କରିଥିଲା । ତେବେ ତଦନ୍ତ ଫଳ ସ୍ପଷ୍ଟ ହୋଇପାରିନି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons