ତିନି ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ପୁଲିସ

Get real time updates directly on you device, subscribe now.

ଆଠଗଡ଼,(ବି.ବି.ନୁ୍ୟଜ): ଏଟିଏମ୍ରେ ଟଙ୍କା ଭର୍ତ୍ତି କରିବାକୁ ଯାଉଥିବା ଭ୍ୟାନ୍ରୁ ଆଠଗଡ଼ ମହୀଧରପୁର ପାଖରେ ପ୍ରାୟ କୋଟିଏ ଟଙ୍କା ଲୁଟ୍ ହେବା ଓ ପରେ ଅଭିଯୁକ୍ତମାନେ ଧରାପଡ଼ିବା ଘଟଣାରେ ପୁଲିସ ତଦନ୍ତକୁ ଜୋରଦାର କରିଛି । କଟକ ଗ୍ରାମାଞ୍ଚଳ ପୁଲିସ ପକ୍ଷରୁ ଦୁଇଟି ସ୍ପେସାଲ୍ ଟିମ୍ ଗଠନ କରାଯାଇ ତନାଘନା ଚାଲିଛି । ଫେରାର୍ ଥିବା ମାଷ୍ଟର୍ମାଇଣ୍ଡ୍ ସମେତ ଦୁଇ ଅଭିଯୁକ୍ତଙ୍କୁ ଧରିବା ଓ ଲୁଟ୍ ଟଙ୍କା ଜବତ କରିବା ପାଇଁ ପୁଲିସ ଟିମ୍ ଜୋରଦାର ଉଦ୍ୟମ କରୁଥିବା ବିଷୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି । ତେବେ ଘଟଣାରେ ଗିରଫ ହୋଇଥିବା ୩ ଜଣଙ୍କୁ ରିମାଣ୍ଡ୍ରେ ଆଣି ତଦନ୍ତକୁ ଆଗକୁ ବଢ଼ାଇବା ପାଇଁ ପୁଲିସ ଯୋଜନା କରିଥିବା ସୂଚନା ଦେଇଛି । ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏହି ସାମ୍ୱାଦିକ ସମ୍ମିଳନୀରେ ସେ ତଦନ୍ତର ଦିଗ ବାବଦରେ ବିସ୍ତୃତ ଭାବେ ଜଣାଇଛନ୍ତି ।
ପୁଲିସର କହିବାନୁସାରେ, ଟଙ୍କା ନେଇଯାଉଥିବା ସଂସ୍ଥାର କର୍ମଚାରୀ ଶ୍ରୀରାମ ଚନ୍ଦ୍ର ଦାସଙ୍କ ଏତଲା ଅନୁସାରେ ଆଠଗଡ଼ ଥାନାରେ ୨୨୮/୨୧ ନମ୍ବର କେସ୍ ରୁଜୁ ହୋଇଛି । ଆଇପିସିର ଦଫା ୩୯୫, ୩୯୭ ଏବଂ ଆର୍ମସ ଆକ୍ଟର ଧାରା ୨୫ ଓ ୨୭ରେ ଏହି ମାମଲା ରୁଜୁ ହୋଇଛି । ଲୁଟ୍ ହୋଇଥିବା ୧ କୋଟି ୨୯ ଲକ୍ଷ ଟଙ୍କାରୁ ଗତକାଲି ୧ କୋଟି ୫ ଲକ୍ଷ ୬୩ ହଜାର ଟଙ୍କା ପୁଲିସ ଜବତ କରିଛି । ଏହି ଘଟଣାରେ ପାଞ୍ଚ ଜଣଙ୍କ ସଂପୃକ୍ତି ରହିଛି । ସେଥିରୁ ତିନି ଜଣ ଗିରଫ ହୋଇଥିବା ବେଳେ ଆଉ ଦୁଇ ଜଣ ଫେରାର ଅଛନ୍ତି । ଫେରାର୍ ଥିବା ଦୁଇ ଜଣଙ୍କ ମଧ୍ୟରେ ଜଣେ ମାଷ୍ଟରମାଇଣ୍ଡ୍ ରହିଛି । ଲୁଟ୍ରେ ବ୍ୟବହାର କରାଯାଇ ପରେ ଜବତ ହୋଇଥିବା ମାରୁତି ସ୍ୱିଫ୍ଟ ଡିଜାୟର କାର ଢେଙ୍କାନାଳ ଅଞ୍ଚଳର ବୋଲି ଜଣାପଡ଼ିଛି । ସେଥିରେ ଏକ ନକଲି ନମ୍ୱର ପ୍ଲେଟ୍ (ଓଡ଼ି-୦୨-ଏଜେଡ୍-୪୨୯୪) ଲଗାଯାଇଥିଲା । ଏହାର ପ୍ରକୃତ ନମ୍ୱର ହେଉଛି (ଓଡି-୦୫-ଏଭି-୦୩୩୦) । ଏହି ଗାଡ଼ିକୁ ଗତ ସେପ୍ଟେମ୍ୱର ମାସ ୨୪ ତାରିଖରେ ଗୁରୁଡ଼ିଝାଟିଆ ଥାନା ଅଧୀନ ବାଳି ଠାରୁ କାର୍ର ଡ୍ରାଇଭର ସଞ୍ଜୀବ କୁମାର ପାତ୍ରକୁ ଭୟଭୀତ କରାଇ ଜଣେ ଅଭିଯୁକ୍ତ ଚୋରି କରି ନେଇଥିଲା । ଏନେଇ କେସ୍ ନମ୍ବର ୧୦୫/୨୧ ମଧ୍ୟ ରୁଜୁ ହୋଇଥିଲା । ଗତକାଲି ଅଭିଯୁକ୍ତମାନେ ଧରାପଡ଼ିବା ବେଳେ ଘଟଣାସ୍ଥଳରୁ ୪ଟି ବନ୍ଧୁକ ସହିତ ଏକ ଖେଳନା ବନ୍ଧୁକ, କଟୁରି ଓ ଖଣ୍ଡା ଜବତ କରାଯାଇଛି । ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ହରି ଓରଫ ହରେକୃଷ୍ଣ ସ୍ୱାଇଁ ଏବଂ ବିବେକ ଓରଫ ବିବେକାନନ୍ଦ ବିଭିନ୍ନ ସଙ୍ଗିନ ମାମଲାରେ ସଂଶ୍ଳିଷ୍ଟ ଥାଇ ଭୁବନେଶ୍ୱର କମିଶନରେଟ ପୁଲିସ ଦ୍ୱାରା ଗିରଫ ହୋଇ ଜେଲ୍ରେ ଥିଲା । ବର୍ତ୍ତମାନ ପୁଲିସ ଦୁଇଟି ଟିମ୍ କରି ଘଟଣାର ମାଷ୍ଟର୍ମାଇଣ୍ଡ୍ ଏବଂ ଅନ୍ୟାନ୍ୟ ସହଯୋଗୀ ମାନଙ୍କୁ ଖୋଜୁଛି । ଖୁବ୍ ଶୀଘ୍ର ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ ଲୁଟ୍ ଟଙ୍କା ଉଦ୍ଧାର କରାଯିବ ବୋଲି ଆଇଜି ଶ୍ରୀ ଭୋଳ ସୂଚନା ଦେଇଛନ୍ତି ।
ଅନ୍ୟ ପକ୍ଷରେ ଏଟିଏମ୍ ଭ୍ୟାନ୍ର କର୍ମଚାରୀ ମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବା ନେଇ ପୁଲିସ କହିଛି । ତେବେ ଗିରଫ ତିନି ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଜେରା କରିବା ପାଇଁ ଆସନ୍ତାକାଲି କୋର୍ଟରେ ଆବେଦନ କରାଯିବ । ପ୍ରାୟ ୫ ଦିନିଆ ରିମାଣ୍ଡ୍ ପାଇଁ ଆବେଦନ କରାଯିବ ବୋଲି ପୁଲିସ ସୂଚନା ଦେଇଛି । ରିମାଣ୍ଡ୍ରେ ଆସିବା ପରେ ଲୁଟ୍ର ଗୁମର ଖୋଲିବ । ଆଜିର ଏହି ସାମ୍ୱାଦିକ ସମ୍ମିଳନୀରେ ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କେ.ଶିବା ସୁବ୍ରମଣ୍ୟମ, କଟକ ଜିଲ୍ଲା ଗ୍ରାମାଞ୍ଚଳ ଆଡିସନାଲ ଏସ୍ପି ଅଲେଖ ଚନ୍ଦ୍ର ପହି, ଚୌଦ୍ୱାର ଏସ୍ଡିପିଓ ସତ୍ୟବ୍ରତ ଲେଙ୍କା, ଆଠଗଡ଼ ଏସ୍ଡିପିଓ ଦେବେନ୍ଦ୍ର କୁମାର ମଲ୍ଲିକ, ଆଠଗଡ଼ ଥାନା ଅଧିକାରୀ ଶୁଭ୍ରାଂଶୁ ଶେଖର ପରିଡ଼ା, ଢେଙ୍କାନାଳ ସଦର ଥାନା ଅଧିକାରୀ ଅଭିନ୍ନ ଡାଳୁଆ ଓ ଗୁରୁଡ଼ିଝାଟିଆ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons