ଥାନାରେ ପିଟି ପିଟି ମାରିଦେଲେ:ଶବ ନେବାକୁ ୨ ପତ୍ନୀ ମୁହାଁମୁହିଁ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କମିଶନରେଟ୍ ପୁଲିସ୍ର ବଡ଼ଗଡ଼ ଥାନାରେ ଘଟିଛି ଅଭାବନୀୟ ଘଟଣା । ଚୋରି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଥାନା ହାଜତରେ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି । ମୃତବ୍ୟକ୍ତି ହେଲେ ଚିଲିକା ଭୁଷଣ୍ଡପୁରସ୍ଥିତ ବାଲିପାଟପୁରର ପ୍ରଦୀପ ସାହୁ (୪୮) । ସେ କିଛି ବର୍ଷ ତଳେ ଦ୍ୱିତୀୟ ବିବାହ କରି ଏୟାରଫିଲ୍ଡ ଥାନା କପିଳପ୍ରସାଦ ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ । ସେଠାରେ ନିଜକୁ ଦେବେନ୍ଦ୍ର ଚୌଧୁରୀ ନାମରେ ପରିଚୟ ଦେଇଥିଲେ । ଏନେଇ ବଡ଼ଗଡ଼ ଥାନା ପୁଲିସ୍ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅପରାହ୍ଣରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ପ୍ରଦୀପଙ୍କ ପ୍ରଥମ ପତ୍ନୀଙ୍କର ୨ପୁଅ । ପୁରୀରେ ଫଳ ଦୋକାନ କରି ସେଠାରେ ସପରିବାର ରହୁଥିଲେ । ପୁରୀରେ ଅନେକ ଚୋରି ମାମଲାରେ ଛନ୍ଦି ହେବାପରେ ପରିବାରକୁ ଛାଡି ୮ ବର୍ଷ ତଳେ ଭୁବନେଶ୍ୱର ପଳାଇ ଆସିଥିଲେ । ଏଠାରେ ପ୍ରଥମେ ସତ୍ୟନଗର, ରସୁଲଗଡ଼ ଓ ତା’ପରେ କପିଳପ୍ରସାଦ ଅଞ୍ଚଳରେ ଘରଭଡ଼ା ନେଇ ରହୁଥିଲେ । ଏହି ସମୟରେ ବନିତା ଚୌଧୁରୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ମୂଳ ପରିଚୟ ଲୁଚାଇବା ପାଇଁ ଦେବେନ୍ଦ୍ର ଚୌଧୁରୀ ନାଁରେ ଆଧାର କାର୍ଡ କରିଥିଲେ ।
ଦୁଇ ବର୍ଷ ହେବ ସୁନ୍ଦରପଦା କପିଳଳପ୍ରସାଦ ପ୍ଲଟ୍ ନଂ-୧୨୧୮ରେ ଦ୍ୱିତୀୟ ପତ୍ନୀ ବନିତା ଓ ୪ ଟି ପିଲାଙ୍କ ସହ ଘର ଭଡ଼ା ନେଇ ରହୁଥିଲେ ପ୍ରଦୀପ । ବିଭିନ୍ନ ଛୋଟ ମୋଟ ଚୋରି କରି ଚଳନ୍ତି । ଚୋରି ମାମଲାରେ ପୂର୍ବରୁ ବଡ଼ଗଡ଼, ଲକ୍ଷ୍ମୀସାଗର ଥାନା ପୁଲିସ୍ ତାଙ୍କୁ ଗିରଫ କରି ଜେଲ୍ ପଠାଇଛି । ରବିବାର ରାତି ପ୍ରାୟ ସାଢେ଼ ୮ଟା ବେଳେ ପ୍ରଦୀପ ଓ ଅନ୍ୟ କିଛି ଅସାମାଜିକ ଯୁବକ ବ୍ରହ୍ମେଶ୍ୱରପାଟଣା ପଡ଼ିଆରେ ଥିଲେ । ଏହି ସମୟରେ ପାଟ୍ରୋଲିଂ କରୁଥିବା ପିସିଆର ଭ୍ୟାନ୍ ଘଟଣାସ୍ଥଳରେ ପହଞ୍ଚିଯିବାରେ ସମସ୍ତେ ଏଣେତେଣେ ଧାଇଁଥିଲେ । ପ୍ରଦୀପ ସାଇକେଲ୍ରେ ଖସି ପଳାଉଥିଲେ । ପିସିଆର ଭ୍ୟାନ୍ରେ ଥିବା କର୍ମଚାରୀମାନେ ପ୍ରଦୀପଙ୍କୁ ଧରି ନିସ୍ତୁକ ପିଟିଥିଲେ । ତା’ପରେ ଥାନାକୁ ଆଣି ହାଜତରେ ମଧ୍ୟ ମାଡ଼ ମାରିଥିଲେ । କିଛି ସମୟ ପରେ ପ୍ରଦୀପ ତାଙ୍କର ଦେହ ଭଲ ଲାଗୁନାହିଁ କହି ପାଣି ମାଗିଥିଲେ । ପ୍ରଥମେ ତାଙ୍କ କଥାକୁ ଥାନା କର୍ମଚାରୀମାନେ ଶୁଣିନଥିଲେ । ଏହାପରେ ସେ ହାଜତରେ ପଡ଼ି ଯାଇଥିଲେ । ଏହାଦେଖି ସମସ୍ତଙ୍କ ଅକଲଗୁଡୁମ୍ ହୋଇଯାଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ କ୍ୟାପିଟାଲ୍ ହସ୍ପିଟାଲ୍ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ବଡ଼ଗଡ଼ ଥାନା ପୁଲିସ୍କୁ ଅକଳରେ ପକାଇ ଦେଇଥିଲା ।
ବଡ଼ଗଡ଼ ପୁଲିସ୍ ମୃତ ପ୍ରଦୀପଙ୍କ ଫଟୋ ଧରି ପହଞ୍ଚିଥିଲା କପିଳପ୍ରସାଦ ପ୍ଲଟ୍ ନଂ-୧୨୧୮ରେ ଘରେ । ଘର ମାଲିକଙ୍କୁ ଫଟୋ ଦେଖଇ ପଚାରିଥିଲେ ପ୍ରଦୀପ କେଉଁଠି ରହୁଛନ୍ତି । ଘର ମାଲିକ କହିଥିଲା ଏହି ଫଟୋରେ ଥିବା ବ୍ୟକ୍ତି ହେଉଛନ୍ତି ଦେବେନ୍ଦ୍ର ଚୌଧୁରୀ । ଏହା ଶୁଣି ପୁଲିସ୍ର ମୁଣ୍ଡ କାମ କରିନଥିଲା । ପୁଲିସ୍ କହିଥିଲା ଏହି ବ୍ୟକ୍ତିଙ୍କ ମୃତୁ୍ୟ ହୋଇ ସାରିଛି । ମୃତଦେହ ହସ୍ପିଟାଲ୍ରେ ଅଛି । ଏହା ଶୁଣି ତାଙ୍କ ପରିବାର ଲୋକ ହସ୍ପିଟାଲ୍ ଆସିଥିଲେ । ହେଲେ ଶବଗୃହ ବନ୍ଦ ଥିବାରୁ ସେମାନେ ଫେରି ଯାଇଥିଲେ । ସୋମବାର ସକାଳେ ହସ୍ପିଟାଲ୍ରେ ପହଞ୍ଚିଥିଲେ ତାଙ୍କ ପତ୍ନୀ ବନିତା ଓ ଅନ୍ୟମାନେ । ହେଲେ ପୁଲିସ୍ ମୃତଦେହ ଦେଖିବାକୁ ଦେଇନଥିଲା । ଶବ ବ୍ୟବଚ୍ଛେଦ ପରେ ମୃତଦେହ ଦେଖିବାକୁ ଦିଆଯିବ ବୋଲି ପୁଲିସ୍ କହିଥିଲା । ସାଢେ଼ ୫ ଟା ପରେ ଶବ ବ୍ୟବଚ୍ଛେଦ ସରିଥିଲା । ଏହି ସମୟରେ ହସ୍ପିଟାଲ୍ରେ ପହଞ୍ଚିଥିଲେ ପ୍ରଦୀପଙ୍କ ପ୍ରଥମ ପତ୍ନୀ ଓ ତାଙ୍କ ପୁଅ ।
ପ୍ରଦୀପଙ୍କ ଶବ ପ୍ରଥମ ପତ୍ନୀ ନେବେ ବୋଲି ଅଡ଼ି ବସିଥିଲେ । ଏହାକୁ ନେଇ ସେଠାରେ ୨ ପତ୍ନୀଙ୍କ ମଧ୍ୟରେ ତୁମ୍ୱିତୋଫାନ ଦେଖା ଦେଇଥିଲା । ମୃତକଙ୍କୁ ନିଜର ସ୍ୱାମୀ ବୋଲି କହି ଦୁଇ ପତ୍ନୀଙ୍କ ମଧ୍ୟରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । ଶେଷରେ ଦୁଇ ପତ୍ନୀ ଶବ ନେବାକୁ ରାଜି ହୋଇଥିଲେ । ପୁଲିସ୍ ଦୁଇ ପତ୍ନୀଙ୍କ ସହ ଯାଇ ସତ୍ୟନଗର ଶ୍ମଶାନରେ ଶବଦାହ କରିଥିଲା । ଇତିମଧ୍ୟରେ ପୁଲିସ୍ ପ୍ରଦୀପଙ୍କ ତୃତୀୟ ପତ୍ନୀ ଥିବା ଜାଣି ତାଙ୍କ ସହ ଯୋଗାଯୋଗ କରିଥିଲା । ହେଲେ ଆସିବାକୁ ମନା କରି ଦେଇଥିଲେ ।
ଦ୍ୱିତୀୟ ପତ୍ନୀ କହିଛନ୍ତି, ମୋ’ ସ୍ୱାମୀ ହେଉଛନ୍ତି ଦେବେନ୍ଦ୍ର ଚୌଧୁରୀ । ପୁଲିସ୍ କହୁଥିବା ପ୍ରଦୀପ ସାହୁଙ୍କୁ ଆମେ ଜାଣିନଥିଲୁ । ଗତକାଲି ରାତି ୧୧ଟାରେ ପୁଲିସ୍ ଘରକୁ ଆସିଥିଲା । ଘର ମାଲିକଙ୍କୁ ଗୋଟିଏ ଫଟୋ ଦେଖାଇ ଚାଲିଯାଇଥିଲା । ଏହାପରେ ରାତି ଗୋଟାଏରେ ପୁଣି ଆସି କ୍ୟାପିଟାଲ ହସ୍ପିଟାଲ ଯିବାକୁ କହିଥିଲା । ହେଲେ ସେଠାରେ ସ୍ୱାମୀଙ୍କୁ ପାଇ ନଥିଲି । ପୁଲିସ୍ କହିଲା ସେ ଆଇସିୟୁରେ ଅଛନ୍ତି । ଏହାପରେ ସ୍ୱାମୀଙ୍କ ମୃତୁ୍ୟଖବର ପାଇଥିଲୁ ।
ଏହି ଘଟଣାକୁ ନେଇ ଏବେ ରାଜନୀତି ଜୋର ଧରିଛି । ଥାନା ସିସିଟିଭି ରେକର୍ଡ ଦେଖାଇବାକୁ ପ୍ରଥମେ ରାଜିଥିବା ପୁଲିସ୍ ପରେ ମନା କରିଦେଇଥିବା ଅଭିଯୋଗ କରିଛନ୍ତି ବିଜେପି ନେତା ବାବୁ ସିଂହ । ସେ କହିଛନ୍ତି, ସିସିଟିଭି ଦେଖାଇବାକୁ ଉପରୁ ଅର୍ଡର ମିଳି ନ ଥିବା ଆଇଆଇସି କହିଛନ୍ତି । ପୁଲିସ୍ ସମ୍ପୃକ୍ତ ବ୍ୟକ୍ତିଙ୍କୁ ହାଜତରେ ମାରିଛି । ଏହାକୁ ଘଣ୍ଟ ଘୋଡ଼ାଇବାକୁ ଭିନ୍ନ ନାଟକ କରୁଛି । ତୁରନ୍ତ ଏହାର ତଦନ୍ତ କରି ସତ ପଦାକୁ ନ ଆସିଲେ ଥାନା ସହ ଡିସିପି ଅଫିସ ଘେରାଉ କରାଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons