ନଦୀବନ୍ଧରେ ବୀଭତ୍ସ ହତ୍ୟା

Get real time updates directly on you device, subscribe now.

ଅସ୍ତରଙ୍ଗ,(ବି.ବି.ନୁ୍ୟଜ): ଛେଳିକୁ ବାଇକ୍ ଧକ୍କା ଦେବା ପରେ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ଏହାପରେ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ । ଅସ୍ତରଙ୍ଗ ଥାନା ଅନ୍ତର୍ଗତ ପାଟସୁନ୍ଦରପୁର ଗ୍ରାମରେ ଶୁକ୍ରବାର ଘଟିଛି ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ । ହତ୍ୟା ପରେ ହତ୍ୟାକାରୀ ମୃତଦେହକୁ ନଦୀ ବନ୍ଧରୁ ଘୋଷାରି ନେଇ ନଦୀ ଟାପ ମଧ୍ୟରେ ଫିଙ୍ଗି ଦେଇଥିଲା । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଫେରାର ଥିବାବେଳେ ଦୁଇ ସହଯୋଗୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
ଘଟଣାରୁ ପ୍ରକାଶ ଯେ ଦଶହରା ଦିନ ପାଟସୁନ୍ଦରପୁର ଗ୍ରାମର କନକ ଦାସ (୫୦) ଦେବୀ ନଦୀ ବନ୍ଧ ଉପରେ ଛେଳି ଚରାଇବାକୁ ନେଇ ଯାଉଥିଲେ । ସେହି ସମୟରେ ଗ୍ରାମର ଶରତ ଦାସଙ୍କ ପୁଅ କାଳିଆ ଦାସ (୧୮) ବାଇକ୍ ନେଇ ଯାଉଥିବା ସମୟରେ ଛେଳିକୁ ଧକ୍କା ଦେଇଥିଲା । ଏହାକୁ କେନ୍ଦ୍ରକରି କନକ ଓ କାଳିଆ ମଧ୍ୟରେ ବଚସା ହୋଇଥିଲା । କନକ କାଳିଆକୁ ଗାଳିଗୁଲଜ କରିଥିଲେ । ଏଥିରେ କାଳିଆ କ୍ରୋଧାନ୍ୱିତ ହୋଇ ଗ୍ରାମକୁ ଯାଇ ପରିବାରର ଚକ୍ରଧର ଦାସ(୧୭) ଓ ରାଜକିଶୋର ଦାସ(୩୫)ଙ୍କୁ ଘଟଣାସ୍ଥଳକୁ ଡାକିଆଣି କନକ ସହିତ ହାତାହାତି ହୋଇଥିଲେ ।
ଖବର ପାଇ କନକଙ୍କ ସ୍ୱାମୀ ଅକ୍ଷୟ ଦାସ(୫୮) ଓ ପୁଅ ଦୀପକ ଦାସ(୩୦) ଘଟଣାସ୍ଥଳରେ ପହଞ୍ଚିବା ପରେ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ଘଟିଥିଲା । ରାଜୁଆ ଓରଫ ରାଜକିଶୋର ଦାସ ଉତ୍ତେଜିତ ହୋଇ ଅକ୍ଷୟ ଦାସଙ୍କ ପେଟକୁ ଭୁଜାଲିରେ ହାଣି ଦେଇ ନଦୀବନ୍ଧରୁ ଘୋଷାରି ଘୋଷାରି ପାଖ ନଦୀ ଟାପକୁ ଫିଙ୍ଗି ଦେଇଥିଲା । ସେଠାରେ ତାଙ୍କ ପେଟରୁ ଅନ୍ତବୁଜୁଳା ବାହାରି ପଡ଼ିଥିଲା । ସେଠାରେ ଅକ୍ଷୟଙ୍କ ମୃତୁ୍ୟ ଘଟିଥିଲା ।
ପରେ କନକର ଡାହାଣ ପଟ କାନ୍ଧକୁ ହାଣି ଗୁରୁତର କରିଦେଇଥିଲା ରାଜୁଆ । ପରିବାର ଲୋକେ ଉଭୟ ଅକ୍ଷୟ ଓ କନକଙ୍କୁ ଅସ୍ତରଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଅକ୍ଷୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । କନକଙ୍କ ଅବସ୍ଥା ଏବେ ବି ଗୁରୁତର ରହିଛି ।
ଥାନା ଅଧିକାରୀ ବାମଦେବ ନନ୍ଦ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ କରି ତିନି ଜଣଙ୍କୁ ଅଟକ ରଖିଛନ୍ତି । ସନ୍ଧ୍ୟାରେ ରାଜୁଆର ସହଯୋଗୀ ନାବାଳକ ପପୁ ଓରଫ ଚକରାକୁ ଆଳସାହି ଛକରୁ ଗିରଫ କରାଯାଇଥିଲା । ଗିରଫ ଚକରାକୁ ଶନିବାର ପୁରୀ ଜୁଭେନାଲ କୋର୍ଟରେ ହାଜର କରାଯାଇଥିଲା । ନାବାଳକ ହୋଇଥିବାରୁ ତାକୁ ବ୍ରହ୍ମପୁର ଜେଲ୍କୁ ପଠାଯିବ ।
ହତ୍ୟାକାଣ୍ଡ ସ୍ଥଳକୁ ପୁରୀ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ନିମାପଡ଼ା ଏସ୍ଡିପିଓ ଦେବାଶିଷ ମିଶ୍ର ଓ ସାଇଣ୍ଟିଫିକ୍ ଟିମ ଯାଇ ତଦନ୍ତ କରିଛନ୍ତି । ଘଟଣାସ୍ଥଳରୁ ପୁଲିସ ହତ୍ୟାକାଣ୍ଡରେ ବ୍ୟବହୃତ ୩ଟି ଠେଙ୍ଗା ଜବତ କରିଥିବା ବେଳେ ଭୁଜାଲି ମିଳିନାହିଁ ।
ଏହି ହତ୍ୟାକାଣ୍ଡରେ ୪ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି ପୁଲିସ । କେସ ନଂ୧୭୭/୨୦୨୧ରେ ଦଫା ୩୪୧, ୩୨୩, ୩୨୪, ୨୯୪, ୩୦୭, ୩୦୨, ୫୦୬ ଓ ୩୪ ଆଇପିସିରେ ମାମଲା ରୁଜୁ ହୋଇଛି । ମୁଖ୍ୟ ଅଭିଯୁକ୍ତ ରାଜୁଆକୁ ଧରିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି । ଉଲ୍ଲେଖଯୋଗ୍ୟ ଯେ, ଜମିଜମାକୁ ନେଇ ଦୁଇ ପରିବାର ମଧ୍ୟରେ ଦୀର୍ଘ ୮ ବର୍ଷ ଧରି ବିବାଦ ଲାଗି ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons