ନରେନ୍ଦ୍ର ଗିରିଙ୍କ ଜନ୍ମସ୍ଥାନ ଭୋଗରାଇ ବ୍ଲକର ପାଣିଷଣ୍ଡା

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ): ଉତ୍ତର ପ୍ରଦେଶ ପ୍ରୟାଗରାଜଠାରେ ଥିବା ବାଗାମ୍ବରୀ ମଠର ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଆଜି ଏକ ରୋଚକ ଖବର ହସ୍ତଗତ ହୋଇଛି । ମହନ୍ତ ନରେନ୍ଦ୍ର ଗିରି ଜଣେ ଓଡ଼ିଆ ଏବଂ ତାଙ୍କ ଜନ୍ମସ୍ଥାନ ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ପାଣିଷଣ୍ଡା ଗ୍ରାମ ବୋଲି ପରିବାର ଲୋକେ ଦାବି କରିଛନ୍ତି ।
ଅଦ୍ୟାବଧି କୌଣସି ଗଣମାଧ୍ୟମ ମହନ୍ତ ନରେନ୍ଦ୍ରଙ୍କ ଜନ୍ମସ୍ଥାନ କେଉଁଠି ବୋଲି ଠାବ କରିପାରିନଥିବା ବେଳେ ଆଜି ରାତିରେ ତାଙ୍କ ପରିବାର ତରଫରୁ ଏଭଳି ସୂଚନା ମିଳିଛି । ପାଣିଷଣ୍ଡା ଗ୍ରାମର ସନାତନ ଗିରି ଓ ରମାମଣି ଗିରିଙ୍କ ଛଅ ଜଣ ପୁଅ-ଝିଅଙ୍କ ମଧ୍ୟରୁ ନରେନ୍ଦ୍ର ଥିଲେ ସବୁଠାରୁ ବଡ଼ । ନରେନ୍ଦ୍ରଙ୍କର ଆଉ ଦୁଇ ଭାଇ ଲକ୍ଷ୍ମୀକାନ୍ତ ଗିରି ଓ ପୂର୍ଣ୍ଣଚନ୍ଦ୍ର ଗିରି ଏବେ ନିଜ ଗାଁ ପାଣିଷଣ୍ଡାରେ ରହୁଛନ୍ତି । ତିନି ଭଉଣୀ ବାସନ୍ତୀ ବେହେରା, ଗୁରୁବାରୀ ଜେନା ଓ ସନିଆ ପାତ୍ର । ପ୍ରାୟ ୫୨ ବର୍ଷ ତଳେ କୌଣସି ଏକ କାରଣରୁ ଗାଁ ଏବଂ ପରିବାର ଛାଡ଼ି ବାହାରକୁ ପଳାଇ ଯାଇଥିଲେ ନରେନ୍ଦ୍ର । ତା’ ପରେ ପରିବାର ଲୋକ ଯେତେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା । ଏଇ ପ୍ରାୟ ୧୦ ବର୍ଷ ତଳେ ବାଗାମ୍ବରୀ ମଠର ମହନ୍ତ ହେବା ପୂର୍ବରୁ ସେ ନିଜ ଗାଁକୁ ଆସିଥିଲେ । ଗାଁରେ ପ୍ରାୟ ୧୫ ଦିନ କାଳାତିପାତ କରିଥିଲେ । ଏହି ସମୟରେ ସାନଭାଇ ପୂର୍ଣ୍ଣଚନ୍ଦ୍ରଙ୍କ ସ୍ତ୍ରୀ ତାଙ୍କର ସମସ୍ତ ସେବା ଯତ୍ନ କରିଥିଲେ । ଏଭଳିକି ସେହି ଗ୍ରାମରେ ବିବାହ ହୋଇଥିବା ଭଉଣୀ ବାସନ୍ତୀ ବେହେରାଙ୍କ ଘରକୁ ମଧ୍ୟ ଯାଇ ୩ ଦିନ ରହିଥିଲେ । ବାଗାମ୍ବରୀ ମଠର ମହନ୍ତ ହେବା ନେଇ ମଧ୍ୟ ଗ୍ରାମରେ ସେ ପୂର୍ବରୁ ସୂଚନା ଦେଇଥିଲେ । ମହନ୍ତ ଦାୟିତ୍ୱ ମିଳିବା ପରେ ସେ ଆଉ ପରିବାର ବା ଗାଁକୁ ଆସି ପାରିବେ ନାହିଁ ବୋଲି କହି ଯାଇଥିଲେ ବୋଲି ଭାଇ ପୂର୍ଣ୍ଣଚନ୍ଦ୍ର ଗିରି, ଭଉଣୀ ବାସନ୍ତୀ ବେହେରା ଓ ପୂର୍ଣ୍ଣଚନ୍ଦ୍ରଙ୍କ ପୁଅ ଜୟନ୍ତ ଗିରି ଏ ସଂପର୍କରେ ସୂଚନା ଦେଇଛନ୍ତି ।
ପ୍ରକାଶଯୋଗ୍ୟ, ଅଖିଳ ଭାରତୀୟ ଅକ୍ଷର ପରିଷଦର ସଭାପତି ତଥା ବାଗାମ୍ବରୀ ମଠର ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ ତାଙ୍କ କୋଠରୀ ଭିତରୁ ଠାବ କରାଯାଇଥିଲା । ଏଭଳିକି ମୃତ୍ୟୁ ଶଯ୍ୟା ନିକଟରୁ ଏକ ମୃତ୍ୟୁକାଳୀନ ଲିଖିତ ଜମାନବନ୍ଦୀ ମଧ୍ୟ ପୁଲିସ ଉଦ୍ଧାର କରିଥିଲା । ଏହି ଘଟଣାକୁ ନେଇ ଉତ୍ତର ପ୍ରଦେଶ ପୁଲିସ ଏବଂ ସିବିଆଇ ମଧ୍ୟ ଖୋଳତାଡ଼ କରୁଛି । ଏହା ଏବେ ଜାତୀୟ ଖବରରେ ପରିଣତ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons