ନିଅାଁର ଅାଁରେ ଜଙ୍ଗଲ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ): ହୁ ହୁ ହୋଇ ଜଳୁଛି ଜଙ୍ଗଲ ଏବଂ ପୋଡ଼ି ପାଉଁଶ ହୋଇଯାଉଛି ଅନାଦି କାଳର ମୂଲ୍ୟବାନ ଗଛ । ସଚେତନତା ଅଭାବରୁ କେହି କେହି ସାମାନ୍ୟ ଅଙ୍ଗାର ପାଇଁ ତ ଆଉକେହି ମହୁ ଓ ମହୁଲ ପାଇଁ ଜଙ୍ଗଲରେ ନିଅାଁ ଲଗାଉଛନ୍ତି । ଫଳରେ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟି ମୂଲ୍ୟବାନ ବୃକ୍ଷ ସହ ବନ୍ୟପ୍ରାଣୀଙ୍କ ଜୀବନ ବିପନ୍ନ ହେବାରେ ଲାଗିଛି । ଏହି ଚିତ୍ର ସମଗ୍ର ରାୟଗଡ଼ା ଜିଲ୍ଲାରେ ଏବେ ଦେଖିବାକୁ ମିଳୁଛି । ଗାଁଠୁ ସହର ସବୁଠି ନିଆଁର ଆଁରେ ରହିଛି ଜଙ୍ଗଲ । ଏମିତିକି ୨ରୁ ୩ ଦିନ ପର୍ଯ୍ୟନ୍ତ କିଛି ସଂରକ୍ଷିତ ଜଙ୍ଗଲରେ ନିଅାଁ ଲାଗିଥିବା ଦୃଶ୍ୟମାନ ହେଉଛି ।
ରାୟଗଡ଼ା ସହର ଭିତରେ ଥିବା ଜଙ୍ଗଲରେ ବି ନିଅାଁ ଲାଗୁଛି । ଆଜି ରାୟଗଡ଼ା ସହରର ରେଳ ଷ୍ଟେସନ ନିକଟ ଏବଂ ମଝିଘରିଆଣୀ ପୋଲ ତଳ ଝଞ୍ଜାବତୀ ନଦୀ କୂଳରେ ଥିବା ଜଙ୍ଗଲରେ ଦିନତମାମ ନିଅାଁ ଲାଗିଥିଲା । ଏହାକୁ କେହି ଆୟତ୍ତ କରିନଥିଲେ । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ନଦୀକୂଳରେ ନିଅାଁ ଲଗାଇ ଏହାକୁ ସଫା କରାଯାଇଛି । ଫଳରେ ଦିନକୁ ଦିନ ନଦୀକୂଳ ଅସୁରକ୍ଷିତ ହେବାରେ ଲାଗିଛି । ଏଥି ପୂର୍ବରୁ ସହରର ରୟତକଲୋନି, ସାଇପ୍ରିୟାନଗର ଓ ଚେକାଗୁଡ଼ା ଅଂଚଳରେ ବି ନିଅାଁ ଲାଗିଥିଲା । ଦିନ ଦ୍ୱିପହରରେ ଜଙ୍ଗଲ ଜଳୁଥିଲେ ମଧ୍ୟ ନିଅାଁକୁ ଆୟତ୍ତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉନି । ଜଙ୍ଗଲ ଜଳି ପାଉଁଶ ହୋଇଯିବା ପରେ ସେଥିରୁ ଅଙ୍ଗାର ସାଉଁଟି ଜନବସତି ଅଂଚଳକୁ ବିକ୍ରି ପାଇଁ ଆଣୁଥିବା ଲୋକଙ୍କୁ ଜଗି ବନ ବିଭାଗ କର୍ମଚାରୀମାନେ ଜରିମନା ଆଦାୟ କରୁଛନ୍ତି । କିନ୍ତୁ ଜଙ୍ଗଲ ଜଳିବା ପ୍ରତି ସେମାନଙ୍କର ତିଳେମାତ୍ର ଖାତିର ନାହିଁ । ଗୁଣପୁର ରେଞ୍ଜ ଅନ୍ତର୍ଗତ କୈଳାସପୁର, ବାଗୁଡ଼ି, ହାତୀଖମ୍ବା, ରାୟଗଡ଼ା ରେଞ୍ଜ୍ର ଡଙ୍ଗରଲେକାପାଇ, ଲେକାପାଇ, ମୁକୁନ୍ଦପୁର ଏବଂ ଟିକିରି ରେଞ୍ଜ ଅନ୍ତର୍ଗତ ଶଙ୍କରଡ଼ା, ଏସ. ଡଙ୍ଗାସିଲ, କିଚିଖାଲ ଗ୍ରାମ ନିକଟରେ ଥିବା ବହୁ ପୁରୁଣା ଗଛ ନିଅାଁରେ ପୋଡ଼ି ନଷ୍ଟ ହୋଇଗଲାଣି ।
ମୁନିଗୁଡ଼ା ରେଞ୍ଜ ଅନ୍ତର୍ଗତ ଚାଟିକଣା, ସକଟା ସଂରକ୍ଷିତ ଜଙ୍ଗଲରେ ସର୍ବାଧିକ ଔଷଧୀୟ ବୃକ୍ଷ ରହିଛି । ସେଠାରେ ଥିବା ବୃକ୍ଷଗୁଡ଼ିକ ମଧ୍ୟ ପୂର୍ବଭଳି ଆଉ ନଜରକୁ ଆସୁନାହିଁ । ଏହାର ମୁଖ୍ୟ କାରଣ ହେଲା ପ୍ରତିବର୍ଷ ନିଅାଁ ଲାଗିବା । କେବଳ ନଜରରେ ଥିବା ଏହି ସଂରକ୍ଷିତ ଜଙ୍ଗଲ ନୁହଁ, ଜନବସତିରୁ ବହୁ ଦୂରରେ ଥିବା ନିୟମଗିରି, ବାସଙ୍ଗମାଳି, ଇରୁକୁଟି, ହଂସା, କଦାପାଡ଼ୁ ଜଙ୍ଗଲରେ ବି କମ୍ ନିଅାଁ ଲାଗୁନି । ଏକଦା ଏସବୁ ଜଙ୍ଗଲରେ ବାଘ, ହାତୀ, ଭାଲୁ, ହରିଣ, ବାରହା, ଠେକୁଆ, ଝିଙ୍କ, ବଜ୍ରକାପ୍ତା, ପାଟମୂଷା, ମୟୂର ଓ ବଣକୁକୁଡ଼ା ଇତ୍ୟାଦି ପଶୁପକ୍ଷୀ ନିରାପଦରେ ରହିଥିଲେ । ବାରମ୍ବାର ଅଗ୍ନିକାଣ୍ଡ ଯୋଗୁ ଅନେକ ପ୍ରାଣି ଲୋପ ପାଇଯାଇଛନ୍ତି । ହାତଗଣତି କେତେକ ହାତୀ ଓ ବାରହା ଜନବସତି ମୁହାଁ ହେଉଛନ୍ତି । ପ୍ରତିବର୍ଷ ନୂତନ ବୃକ୍ଷ ରୋପଣକୁ ଯେତିକି ଗୁରୁତ୍ୱ ଦିଆଯାଉଛି, ବର୍ଷ ବର୍ଷ ଧରି ଲୋକଙ୍କୁ ଜୀବନ ପ୍ରଦାନ କରୁଥିବା ସର୍ବପୁରାତନ ଗଛଗୁଡ଼ିକର ସଂରକ୍ଷଣ ପ୍ରତି ସେତିକି ଗୁରୁତ୍ୱ ଦିଆଯାଉନି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons