ପଞ୍ଚାକ୍ଷର ମନ୍ତ୍ରରେ ପ୍ରକମ୍ପିତ ଶୈବ ପୀଠ

Get real time updates directly on you device, subscribe now.

ଚନ୍ଦନେଶ୍ୱର,(ବି.ବି.ନୁ୍ୟଜ): ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଚନ୍ଦନେଶ୍ୱର ଚଡ଼କ ପର୍ବର ମଙ୍ଗଳବାର ଥିଲା ଦ୍ୱିତୀୟ ଅର୍ଘ୍ୟ ଏବଂ ନୀଳ ପର୍ବ । ଭକ୍ତ, ଶ୍ରଦ୍ଧାଳୁଙ୍କ ଗହଳି ଏବଂ ପଞ୍ଚାକ୍ଷର ମନ୍ତ୍ରରେ ପ୍ରକମ୍ପିତ ହୋଇ ଉଠିଥିଲା ଶୈବପୀଠ । ଏହି ଅବସରରେ ପୂର୍ବ ଭାରତର ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ୱର ଓ ଏସିଆର ସର୍ବ ବୃହତ ଶିବଲିଙ୍ଗ କୁମ୍ଭୀରଗଡ଼ିର ବାବା ଭୁଷଣ୍ଡେଶ୍ୱର ପୀଠ ହୋଇ ଉଠିଥିଲା ଚଳଚଞ୍ଚଳ । ନୀଳ ପର୍ବ ଅବସରରେ ଚନ୍ଦନେଶ୍ୱରରେ ପାଟଭକ୍ତ ହରିଶ୍ଚନ୍ଦ୍ର ସାହୁ, ଶ୍ରୀବେକଡ଼ି ନିରଞ୍ଜନ ଲେଙ୍କା, ଗୋପାଳ ଚନ୍ଦ୍ର ଲେଙ୍କା ଓ ଦେଉଳିଆ ଅଜିତ ପାତ୍ର, ହେମନ୍ତ ରାଉଳ ସମେତ ୧୪ଜଣ ଉପବୀତଧାରୀ ଭକ୍ତ, ସେବାୟତ ତପନ କୁମାର ପଣ୍ଡା, ବୁଦ୍ଧଦେବ ପଣ୍ଡା, ନିମାଇଁ ପଣ୍ଡା, ମାଳାକାର, ନାପିତ ଓ ବାଦ୍ୟକାର ବାଡ଼ସରିଷା ଗାଁର ହାକାଣ୍ଡ ପୋଖରୀ ନିକଟକୁ ଯାଇ ବେକଡ଼ା ନୃତ୍ୟ ପରିବେଷଣ କରିଥିଲେ । ସେଠାରେ ମନ୍ଦିରକୁ ଫେରି ଶିବ, ଦୁର୍ଗାଙ୍କ ପ୍ରତିଭୂ କୁହାଯାଉଥିବା ଥମ୍ବି କାଠ ଦ୍ୱୟକୁ ନୀଳ ପୋଖରୀରୁ ଉଦ୍ଧାର ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା । ପରେ ନେତ୍ରକୁଣ୍ଡ ଠାରେ ଶେଷ ବେକଡ଼ି ପ୍ରଦର୍ଶନ ହୋଇ ଅର୍ଘ୍ୟଦାନ ଶେଷ ହୋଇଥିଲା । ବୁଧବାର ଅନୁÂିତ ହେବ ମହାପାଟ ପର୍ବ । ଅପରପକ୍ଷରେ ନୀଳ ପର୍ବ ଅବସରରେ ବହୁ କାଉଡ଼ିଆ ବିଭିନ୍ନ ଜଳାଶୟରୁ ପାଣି ଭାର ନେଇ କେତେକ ଶୈବପୀଠରେ ଜଳାଭିଷେକ କରୁଥିବା ନଜରକୁ ଆସୁଥିଲା ।
ବିଭିନ୍ନ ଶୈବପୀଠ ମଧ୍ୟରୁ ଭୋଗରାଇର ଚନ୍ଦନେଶ୍ୱର ପୀଠ ଅନ୍ୟତମ । ଚୈତ୍ର ଚଡ଼କ ପର୍ବରେ ଏଠି ବହୁ ଭକ୍ତ ଉପବୀତ ଧାରଣ କରି ମାନସିକ ପୂରଣ କରିଥା’ନ୍ତି । ବେକରେ ପଇତା ଧାରଣ କରିବା ସହ ଦିନ ତମାମ ଉପବାସ ରହିଥା’ନ୍ତି । ଏପରିକି ଛେପ ମଧ୍ୟ ଢୋକନ୍ତି ନାହିଁ । ରାତିରେ ଅର୍ଘ୍ୟଦାନ ପରେ ସମ୍ପୂର୍ଣ୍ଣ ନିରାମିଷ ଭୋଜନ କରିଥା’ନ୍ତି । ଏହାଛଡ଼ା ବହୁ ନୀତି ନିୟମ ମଧ୍ୟ ମାନିଥା’ନ୍ତି । ନୀଳ ପର୍ବ ଦିନ ସେମାନେ ଫଳ ଆହାର କରିଥା’ନ୍ତି । ସୋମବାର ନୀଳ ପର୍ବ ଅବସରରେ ଭୋର ୪ଟାରୁ ଭକ୍ତ, ଶ୍ରଦ୍ଧାଳୁମାନେ ମନ୍ଦିର ସମ୍ମୁଖରେ ଭିଡ଼ ଜମାଇଥିଲେ । ବାହାରେ ପୂଜାର୍ଚ୍ଚନା କରିବା ପରେ ମନ୍ଦିରର ଦକ୍ଷିଣ ଦ୍ୱାର ଦେଇ ଗର୍ଭ ଗୃହକୁ ପ୍ରବେଶ କରି କ୍ଷୀର, ପଇଡ଼ ଅର୍ପଣ କରିଥିଲେ । ଏନେଇ ତାଳସାରୀ ସାମୁଦ୍ରିକ ଥାନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ସ୍ଥାନୀୟ ଅଞ୍ଚଳର ପ୍ରତିଘରେ ଉଭୟ ମହିଳା, ପୁରୁଷ ଏହି ବ୍ରତ ରଖିଥା’ନ୍ତି । ସେହିଭଳି ଭୁଷଣ୍ଡେଶ୍ୱରଙ୍କ ପୀଠରେ ମଧ୍ୟ ଏହି ପର୍ବରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଏକତ୍ର ହୋଇଥିଲା । ଶ୍ରଦ୍ଧାଳୁମାନେ ମହାଦେବଙ୍କୁ ଶ୍ରଦ୍ଧା ନୈବେଦ୍ୟ ଅର୍ପଣ କରିଥିଲେ । ବହୁ ଶ୍ରଦ୍ଧାଳୁ ନୂତନ ମନ୍ଦିର ନିର୍ମାଣ ପାଇଁ ଦାନ କରୁଥିବା ନଜରକୁ ଆସିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons