ପଞ୍ଚାୟତ ଭୋଟ୍:ଆଶାୟୀଙ୍କ ଲବି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ପଞ୍ଚାୟତ ଭୋଟ ପାଇଁ ଚିଠା ସଂରକ୍ଷଣ ତାଲିକା ଜାରି ହୋଇଛି । ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇପଡ଼ିଛି । ଗାଁ ଗଣ୍ଡାରେ ରାଜନୈତିକ ପାଣିପାଗ ବେଶ୍ ତତଲା ଧରିଛି । ଆଶାୟୀ ପ୍ରାର୍ଥୀମାନେ ଦଳୀୟ ସମର୍ଥନ ପାଇଁ ଉଦ୍ୟମକୁ ଜୋରଦାର କରିଛନ୍ତି । ଅବଶ୍ୟ କେବଳ ଜିଲ୍ଲା ପରିଷଦ ସଭ୍ୟଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ପଦବି ପାଇଁ ଦଳୀୟ ଚିହ୍ନ ମିଳିବ ନାହିଁ । ମାତ୍ର ଚିହ୍ନ ନମିଳିଲେ ବି ଦଳର ସମର୍ଥନ ପାଇବାକୁ ପ୍ରାର୍ଥୀମାନଙ୍କ ମଧ୍ୟରେ ଆରମ୍ଭ ହୋଇଛି ଲବି ରାଜନୀତି । ନିଜ ଅଞ୍ଚଳର ବିଧାୟକ, ପ୍ରଭାବଶାଳୀ ନେତାଙ୍କ ସମର୍ଥନ ହାତେଇବାକୁ ଇଛୁକ ପ୍ରାର୍ଥୀମାନେ ଲବି ରାଜନୀତିକୁ ଜୋରଦାର କରିଛନ୍ତି । ଶାସକ ବିଜେଡି ସହ ବିଜେପି ଓ କଂଗ୍ରେସରୁ ଟିକଟ ପାଇବାକୁ ଏବେ ଆରମ୍ଭ ହୋଇଯାଇଛି ଛକାପଞ୍ଝା । ନିଜ ସମର୍ଥକଙ୍କୁ ଧରି ଅଶାୟୀମାନେ ମେଳି ବାନ୍ଧିଲେଣି । ବିଧାୟକ ଓ ମନ୍ତ୍ରୀଙ୍କ ନିକଟରେ ଚକ୍କର କାଟିଲେଣି । ସେହିଭଳି ବିଜେପି ଓ କଂଗ୍ରେସ ନେତାଙ୍କ ଆଶୀର୍ବାଦରେ ଟିକଟ ହାତେଇବାକୁ ମଧ୍ୟ ବହୁ ଆଶାୟୀ କମର କଷିଛନ୍ତି ।
ଆଶାୟୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ସ୍ଥାନୀୟ ନେତାମାନେ ଏବେ ଟେନ୍ସନରେ । ମୁଣ୍ଡବ୍ୟଥା ଆରମ୍ଭ ହେଲାଣି । କାହାକୁ ସମର୍ଥନ ଦେବେ? ଅନ୍ୟ ଆଶାୟୀ ଯଦି ବିଦ୍ରୋହୀ ଭାବେ ଛିଡ଼ା ହୋଇ ବାଜି ମାରିନେଲେ କ’ଣ ହେବ ରଣକୌଶଳ? ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦକୁ ଆଖିରେ ରଖି ଜିଲ୍ଲାସ୍ତରୀୟ ନେତାମାନେ ଗୋଟି ଚାଳନା ଆରମ୍ଭ କରିଛନ୍ତି । ଏପଟେ ଚିଠା ସଂରକ୍ଷଣ ତାଲିକାକୁ ନେଇ ବିରୋଧୀ ଶାସକ ଦଳର ଷଡ଼ଯନ୍ତ୍ରକୁ ଦାୟୀ କରିଥିଲା ବେଳେ ସରକାରୀ ଦଳ ଦର୍ଶାଇଛି ଭୋଟ ପ୍ର୍ରକ୍ରିୟାରେ ସରକାର ହସ୍ତକ୍ଷେପ କରୁନାହାନ୍ତି ।
ଯଦି ସବୁକିଛି ଠିକ୍ଠାକ୍ ହୁଏ ତେବେ ଆସନ୍ତା ବର୍ଷ ଫେବ୍ରୁଆରୀ ୧୨ରୁ ଅନୁÂିତ ହେବ ତୃଣମୂଳସ୍ତରର ରାଜନୀତି ମହାପର୍ବ ପଞ୍ଚାୟତ ଭୋଟ । ଏ ଭୋଟ୍କୁ ଆଖିରେ ରଖି ଆଶାୟୀମାନେ ପ୍ରାୟ ବର୍ଷକ ତଳୁ ବେଶ କସରତ ଆରମ୍ଭ କରିଛନ୍ତି । ବିଧିବଦ୍ଧ ଭାବେ ରାଜନୀତିର ଏ ପ୍ରଥମ ପାହାଚ ଚଢ଼ିବାକୁ ଆଶାୟୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ମାତ୍ର ଏ ରାଜନୈତିକ କ୍ୟାରିୟର ଗଢ଼ିବାକୁ ସଂରକ୍ଷଣ ତାଲିକା ବେଶ ଗୁରୁତ୍ୱପୂର୍ଣ୍ଣ । ସରକାରୀ ଚିଠା ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବହୁ ଆଶାୟୀ ଉତ୍ସାହିତ ଥିଲା ବେଳେ ଅନେକ ନିରାଶ ହୋଇଛନ୍ତି । ଅସନ୍ତୋଷ ଜୋର୍ ଧରିଛି । ତେବେ ଆପତ୍ତି ଅଭିଯୋଗ ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ମାତ୍ର ଚୂଡ଼ାନ୍ତ ତାଲିକା ପୂର୍ବରୁ ଦଳୀୟ ସମର୍ଥନ ପାଇଁ ଏବେ ଆଶାୟୀମାନେ ନିଜ ଅଞ୍ଚଳର ଦଳୀୟ ନେତାଙ୍କ ଘରେ ଡେରା ପକାଇଛନ୍ତି ।
କିଏ ଜିଦ୍ ଧରୁଛି ସଂରକ୍ଷଣ ତାଲିକା ବଦଳାଅ, ଆଉ କିଏ କହୁଛି ମୋତେ ଦଳୀୟ ଟିକଟ କରାଅ । ଗୋଟିଏ ଗୋଟିଏ ପଞ୍ଚାୟତରୁ ସରପଞ୍ଚ ଓ ସମିତିସଭ୍ୟ ପାଇଁ ଡଜନେରୁ ଅଧିକ ଆଶାୟୀ ରହୁଛନ୍ତି । ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ମଧ୍ୟ କାକୁତି ମିନତି ଆଉ ଚାପ ।
ଆସନ୍ତା ୨୦୨୨ ମାର୍ଚ୍ଚ ୫ରେ ଚଳିତ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର କାର୍ଯ୍ୟକାଳ ଶେଷ ହେବ । ତେଣୁ ନିୟମ ଅନୁସାରେ ତା’ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ସାରିବାକୁ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସରକାରୀ ପ୍ରସ୍ତୁତି ଜୋର ଧରିଛି । ଚଳିତ ଅକ୍ଟୋବର ୩୦ ସୁଦ୍ଧା ସଂରକ୍ଷଣ ପ୍ରକିୟା ଚୂଡ଼ାନ୍ତ ଶେଷ କରି ରାଜ୍ୟ ନିର୍ବାଚନ କମିଶନଙ୍କୁ ତାଲିକା ହସ୍ତାନ୍ତର କରାଯିବ । ରାଜ୍ୟରେ ୬୭୯୮ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ସହ ୮୫୩ ଜିଲ୍ଲା ପରିଷଦ ଜୋନ୍ ପାଇଁ ଭୋଟ ହେବ । ସେହିଭଳି ୯୨ ହଜାର ୱାର୍ଡମେମ୍ବର ସହ ୩୧୪ ବ୍ଲକ ଅଧ୍ୟକ୍ଷ ଏବଂ ୩୦ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବି ପାଇଁ ମଧ୍ୟ ନିର୍ବାଚନ ଅନୁÂିତ ହେବ । ଏ ସବୁ ପଦବିରେ ଲଢ଼ିବାକୁ ଚିଠା ସଂରକ୍ଷଣ ତାଲିକା ଜାରି ହେବା ପରେ ହଠାତ୍ ରାଜନୈତିକ ପାଣିପାଗ ଉଷ୍ମ ଧରିଛି ।
ପ୍ରାର୍ଥୀ ଚୟନ ପାଇଁ ଢେର ସମୟ ଥିଲା ବେଳେ ଏବେଠାରୁ କିନ୍ତୁ ଛକି-ଶୂନ ଖେଳ ଆରମ୍ଭ ହୋଇଛି । ଆଶାୟୀଙ୍କ ମଧ୍ୟରୁ କିଏ ସେ ଅଙ୍କ ଛିଣ୍ଡୁନି । ଜଣେ ସୁପାରିଶ କଲା ବେଳକୁ ଆଉ ଜଣେ ବିରୋଧ କରୁଛି । କିଏ ଲବି ଜୋରଦାର କଲାଣି ତ, ଆଉ କିଏ ଲୋକବଳ ଦେଖାଇଲାଣି । ଏପରିକି ଟିକଟ ନପାଇଲେ ଆଉ କିଏ ଦଳତ୍ୟାଗ କରିବାକୁ ନାଲିଆଖି ମଧ୍ୟ ଦେଖାଉଛନ୍ତି । ଲାଗି ରହିଛି ଛକାପଞ୍ଝା । ମାଳ ମାଳ ଆଶାୟୀ ପ୍ରାର୍ଥୀଙ୍କୁ ନେଇ ନେତାଙ୍କ ମୁଣ୍ଡ ଘୂରିଲାଣି । ସରପଞ୍ଚ ଓ ସମିତି ସଭ୍ୟ ପାଇଁ ଦଳୀୟ ଚିହ୍ନ ନଥିଲେ ମଧ୍ୟ ଶାସକ ବିଜେଡି ସହ ବିରୋଧୀ ବିଜେପି ଓ କଂଗ୍ରେସ ଭିତିିରିଆ ସମର୍ଥନ ଦେବେ । ତେଣୁ ଆଶାୟୀମାନେ ଗୋଟିଏ କ୍ୟାମ୍ପରୁ ନିରାଶ ହେଲେ ଅନ୍ୟ କ୍ୟାମ୍ପକୁ ଯିବାକୁ ଗୋଡ଼ ଟେକିଲେଣି । ତ୍ରିସ୍ତରୀୟ ପଞ୍ଚାୟତ ଭୋଟ୍ ପୂର୍ବରୁ ପ୍ରାର୍ଥୀ ଚୟନର ଝାମେଲା ନେତାଙ୍କ ରକ୍ତଚାପ ବଢ଼ାଇଛି ।
ଆଶାୟୀ ପ୍ରାର୍ଥୀଙ୍କ ସହ ଦଳୀୟ ନେତାମାନେ ଘନ ଘନ ବୈଠକ କରୁଛନ୍ତି । ପ୍ରାର୍ଥୀଙ୍କ ବିଜୟର ସମ୍ଭାବନାକୁ ଆକଳନ କରୁଛନ୍ତି । ୨୦୨୪ ସାଧାରଣ ନିର୍ବାଚନର ଫାଇନାଲ୍ ପୂର୍ବରୁ ଆସନ୍ତା ପଞ୍ଚାୟତ ଭୋଟ୍ ସେମିଫାଇନାଲ୍ ହୋଇଥିବାରୁ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଚୟନକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ୨୦୧୭ ଭୋଟରେ ବିଜେଡିକୁ ଚେକମେଟ୍ ଦେଇଥିବା ବିଜେପି ମଧ୍ୟ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଫୋକସ୍ କରିବ ବୋଲି ଜଣାପଡ଼ିଛି । ଶାସକ ବିଜେଡି ଓ କଂଗ୍ରେସ ମଧ୍ୟ ସମାନ ଫର୍ମୁଲା ଆପଣାଇବେ । ମାତ୍ର ଆଶାୟୀମାନେ କେହି କାହାକୁ ବାଟ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି । କଳି କେମିତି ତୁଟାଇବେ ତାହା ଏବେ ନେତାଙ୍କ ପାଇଁ ପ୍ରଚଣ୍ଡ ଆହ୍ୱାନ ଛିଡ଼ା କରାଇଛି ।
ଚିଠା ସଂରକ୍ଷଣ ତାଲିକାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ ହୋଇଛନ୍ତି । ବରିÂ କଂଗ୍ରେସ ନେତା ପଞ୍ଚାନନ କାନୁନ୍ଗୋ କହିଛନ୍ତି, ଠିକ ଭାବରେ ସଂରକ୍ଷଣ ହୋଇନାହିଁ । ଶାସକ ଦଳକୁ ସୁହାଇବା ଭଳି ସଂରକ୍ଷଣ କରାଯାଇଛି । ଏ ନେଇ ଆମେ ଆପତ୍ତି କରିଛୁ । ସେହିଭଳି ବିଜେପି ନେତା ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି, ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଚାରିଆଡେ଼ ତୀବ୍ର ଅସନ୍ତୋଷ । ନିଜ ଦଳକୁ ସୁହାଇବା ଭଳି ବିଜେଡି ସରକାର ସଂରକ୍ଷଣ ତାଲିକା କରିଛନ୍ତି । ଯେଉଁଠି ବିଜେଡି ଆପତ୍ତି କରିବ ସେଠି କେବଳ ସଂଶୋଧନ ହେବ । ଏହାର ପାଲଟା ଜବାବ ଦେଇ ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ଗଣତାନ୍ତ୍ରିକ ବ୍ୟବସ୍ଥାରେ ଚିଠା ତାଲିକା ପ୍ରସ୍ତୁତ ହୋଇଛି । ଆଇନର ପରିଧି ଭିତରେ ବ୍ୟବସ୍ଥା ହୋଇଛି । ଅଭିଯୋଗ ଆସିଲେ ପ୍ରତ୍ୟାହାର କରିହେବ । ଏ ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିବା ଠିକ୍ ନୁହେଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons