ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ମାଡ଼!

Get real time updates directly on you device, subscribe now.

ପଟ୍ଟାମୁଣ୍ଡାଇ, (ବି.ବି.ନୁ୍ୟଜ): ବେଆଇନ ଇଟାଭାଟି ନିଆଁ ଲିଭାଇବା ପ୍ରସଙ୍ଗକୁ କେନ୍ଦ୍ର କରି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟ ପରିସରରେ ଆଜି ଅପରାହ୍ଣରେ ତୁମୂଳ କାଣ୍ଡ ଘଟିଛି । ଇଟାଭାଟି ନିଆଁ ଲିଭାଇବା ନେଇ ଚାଷୀମାନଙ୍କ ସହ ପଟ୍ଟାମୁଣ୍ଡାଇ ଭାରପ୍ରାପ୍ତ ତହସିଲଦାର ଦିଲ୍ଲୀପ କୁମାର ସେଠୀଙ୍କ ଆଲୋଚନା କ୍ରମେ ବଚସା ଓ ପରେ ମାର୍ପିଟ୍ ଆଡ଼କୁ ଯାଇଥିଲା । ଘଟଣାସ୍ଥଳରେ ଦୁଇ ପକ୍ଷ ମଧ୍ୟରେ ବେଶ୍ କିଛି ସମୟ ଧସ୍ତାଧସ୍ତି ହୋଇଥିଲା । ଚାଷୀ ଆନେ୍ଦାଳନର ନେତୃତ୍ୱ ନେଉଥିବା ନବନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଂଯୋଜକ ଦୋଳଗୋବିନ୍ଦ ସାହୁ ଓ ଉଦୟଭାନୁ ସାହୁ ମିଳିତ ଭାବେ ତହସିଲଦାରଙ୍କ ଉପରେ ଆକ୍ରମଣ କରିଥିଲେ । ଘଟଣା ସମ୍ପର୍କରେ ତହସିଲଦାର ଶ୍ରୀ ସେଠୀ ପଟ୍ଟାମୁଣ୍ଡାଇ ଥାନାରେ ଏତଲା ଦେବା ପରେ ପୁଲିସ ଦୋଳଗୋବିନ୍ଦ ଓ ଉଦୟଭାନୁ ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ମିଳିଥିବା ସୂଚନା ଅନୁସାରେ, ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ବଡ଼ମୋହନପୁର ପଞ୍ଚାୟତରେ ବେଆଇନ ଭାବେ ଅନେକ ଇଟାଭାଟି ଗଢ଼ିଉଠିଛି । ପ୍ରଶାସନ ନିକଟରେ ଏ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁÂାନ ହେଉନାହିଁ । ବଡ଼ମୋହନପୁର ପଞ୍ଚାୟତର ଚାଷୀମାନେ ନଈପଠାରେ ପନିପରିବା ଚାଷ କରିଛନ୍ତି । ଜନବସତି ମଧ୍ୟରେ, ନଈପଠାରେ ଗଢ଼ି ଉଠିଥିବା ଇଟାଭାଟିରେ ନିଆଁ ଲାଗୁଥିବା ବେଳେ ପାଖକୁ ଲାଗିଥିବା ଘର, ପନିପରିବା ଫସଲ ଇଟାଭାଟି ନିଆଁ ଓ ଧୂଆଁ ଧାସରେ ନଷ୍ଟ ହେଉଛି । ତେଣୁ ଇଟାଭାଟି ଗୁଡ଼ିକରୁ ନିଆଁ ଲିଭାଇବା ପାଇଁ ୧୫ ଦିନ ତଳେ ଚାଷୀମାନେ ତହସିଲ ଅଫିସ୍ ସମ୍ମୁଖରେ ଧାରଣାରେ ବସିଥିଲେ । ଦୁଇ ଦିନ ଆଗରୁ ତହସିଲଦାର ଓ ସ୍ଥାନୀୟ ଥାନାଧିକାରୀ ମିଳିତ ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଧାରଣାରୁ ଉଠିଥିଲେ । ତହସିଲ କର୍ତ୍ତୃପକ୍ଷ ଉଚିତ୍ ସମୟରେ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ପରୋକ୍ଷରେ ପ୍ରୋତ୍ସାହିତ ହୋଇ ଇଟା ମାଫିଆମାନେ ଗତକାଲି ଇଟାଭାଟି ଆଞ୍ଚରେ ନିଆଁ ଲଗାଇଥିଲେ । ଫଳରେ ଚାଷୀ ଅସନ୍ତୋଷ ଉଗ୍ର ରୂପ ନେଇଥିଲା ।
ଆଜି ଅପରାହ୍ଣରେ ଚାଷୀମାନେ ତହସିଲଦାରଙ୍କୁ ଭେଟି ଇଟାଭାଟି ବନ୍ଦ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲେ ହେଁ ଭାଟିଗୁଡ଼ିକରେ କିଭଳି ନିଆଁ ଲାଗିଲା ବୋଲି ପ୍ରଶ୍ନ କରିଥିଲେ । ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଚାଷୀ ଓ ତହସିଲଦାରଙ୍କ ମଧ୍ୟରେ କଥା କଟାକଟି ଓ ପରେ ଧସ୍ତାଧସ୍ତି ହୋଇଥିଲା । ଚାଷୀମାନେ ଆଜି ଯାଇ ଇଟାଭାଟି ନିଆଁ ଲିଭାଇବାକୁ ଜିଦ୍ ଧରିଥିଲେ । ହେଲେ ତହସିଲଦାର ଆସନ୍ତାକାଲି ଯିବେ ବୋଲି କହିବାରୁ ବିବାଦ ବଢ଼ିଥିଲା । ଘଟଣାସ୍ଥଳରେ ଉପସ୍ଥିତ ଥିବା କଣିପାଳ ଗ୍ରାମର ଦୋଳଗୋବିନ୍ଦ ସାହୁ ଓ ଉଦୟଭାନୁ ସାହୁ ମିଳିତ ଭାବେ ତହସିଲଦାରଙ୍କୁ ଆକ୍ରମଣ କରିଥିଲେ । କିଛି ସମୟ ମଧ୍ୟରେ ଘଟଣାସ୍ଥଳରେ ଏକପ୍ରକାର ଖଣ୍ଡଯୁଦ୍ଧ ହୋଇଥିଲା । ତହସିଲଦାରଙ୍କ ଉପରେ ଆକ୍ରମଣ ପରେ ଚାଷୀ ଓ ତହସିଲ କର୍ମଚାରୀଙ୍କ ମଧ୍ୟରେ ମାରପିଟ୍ ଆରମ୍ଭ ହୋଇଯାଇଥିଲା । ଚାଷୀମାନେ ତହସିଲ ଅଫିସ୍ରେ ପଶି ଆକ୍ରମଣ କରିଥିଲେ । ତହସିଲଦାର ଶ୍ରୀ ସେଠୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଦୋଳଗୋବିନ୍ଦ ଓ ଉଦୟନାଥଙ୍କୁ ଆଣି ଥାନାରେ ପଚରାଉଚରା କରୁଛି । ଅପରପକ୍ଷରେ ତହସିଲଦାର ଓ ତହସିଲ କାର୍ଯ୍ୟାଳୟର କର୍ମଚାରୀମାନେ ଚାଷୀମାନଙ୍କୁ ଆକ୍ରମଣ କରିଥିବା ଚାଷୀମାନଙ୍କ ପକ୍ଷରୁ ପୁଲିସରେ ଅଭିଯୋଗ କରାଯାଇଛି । ଏହି ଘଟଣାକୁ କେନ୍ଦ୍ର କରି ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons