ପିତଳରେ ୪ ଭାଇଙ୍କୁ ହତ୍ୟା ଘଟଣା :ମୁଖ୍ୟ ଅଭିଯୁକ୍ତ ସମେତ ୫ ଗିରଫ, ଜଣେ ଫେରାର

Get real time updates directly on you device, subscribe now.

ଗଞ୍ଜାମ, (ବି.ବି.ନୁ୍ୟଜ): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ତଥା ଶେରଗଡ଼ ବ୍ଲକ୍ ପିତଳ ଛକରେ ଗତ ୨୨ ତାରିଖ ରାତିରେ ୪ ଭାଇଙ୍କୁ ନିର୍ମମ ଭାବେ ପିଟି ହତ୍ୟା କରାଯାଇଥିଲା । ଏକ ସାମାନ୍ୟ ଘଟଣାରେ କମେଣ୍ଟ ମରା ପରେ ବଚସାକୁ ନେଇ ମୁଖ୍ୟ ଅଭିଯୁକ୍ତ ଓ ତାଙ୍କ ସହଯୋଗୀମାନେ ସଂଘବଦ୍ଧ ଭାବେ ୪ ଭାଇଙ୍କୁ ହତ୍ୟା କରିଛନ୍ତି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି । ତେବେ ଆଉ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି । ହତ୍ୟାରେ ବ୍ୟବହୃତ ୬ଟି କାଠ ଫାଳିଆ, ଲୁହା ରଡ୍, ବିଭିନ୍ନ ମାରଣାସ୍ତ୍ର ଓ ୨ ସ୍କୁଟିକୁ ଜବତ କରାଯାଇଛି । ମଙ୍ଗଳବାର ମଧ୍ୟାହ୍ଣରେ ହିଞ୍ଜିଳିକାଟୁ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଏସ୍ପି ବ୍ରିଜେଶ ରାଏ ଏ ବାବଦରେ ସୂଚନା ଦେଇଛନ୍ତି ।
ଉକ୍ତ ଘଟଣାରେ ହିଞ୍ଜିଳିକାଟୁ ଥାନା ନରେନ୍ଦ୍ରପୁର ଗ୍ରାମର ମଙ୍ଗୁଳୁ ସ୍ୱାଇଁଙ୍କ ୩ ପୁଅ ରାଜା ସ୍ୱାଇଁ (୨୫), ପାଣ୍ଡବ ସ୍ୱାଇଁ (୨୨), ଶମ୍ଭୁ ସ୍ୱାଇଁ (୧୯) ଓ ସେମାନଙ୍କ ମାଉସୀ ପୁଅ ଭାଇ ଚନ୍ଦନ ସ୍ୱାଇଁ (୧୬)ଙ୍କ ମୃତୁ୍ୟ ଘଟିଥିଲା । ମୃତକଙ୍କ ପିତା ମଙ୍ଗୁଳୁ ସ୍ୱାଇଁଙ୍କ ଅଭିଯୋଗକ୍ରମେ ଥାନାରେ କେସ୍ ନମ୍ବର ୧୪୧/୨୦୨୨ ହତ୍ୟା ମାମଲା ରୁଜୁ ହୋଇଥିଲା । ହତ୍ୟାକାଣ୍ଡରେ ଜଡ଼ିତ ମୁଖ୍ୟ ଅଭିଯୁକ୍ତ ତଥା ହିଞ୍ଜିଳିକାଟୁ ଥାନା ରାମଚନ୍ଦ୍ରପୁର ଗ୍ରାମର ସାଧୁ ଓରଫ୍ ଅମିୟ କୁମାର ସ୍ୱାଇଁ (୩୬), ବାହାନପତି ଓରଫ୍ ବାହାନ ବେହେରା (୨୮), ବଳିଆ ଓରଫ୍ ଦିପୁ ସେଠି (୧୯), ଚିତ୍ର ଓରଫ୍ ଚିତ୍ରସେନ ସେଠି (୧୯) ଓ ସନ୍ତ ଓରଫ୍ ସନ୍ତୋଷ ସ୍ୱାଇଁ (୨୩)ଙ୍କୁ ଗିରଫ କରାଯାଇଛି । ଘଟଣାରେ ମୁଖ୍ୟ ଅଭିଯୁକ୍ତ ସାଧୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିିତ୍ସିତ ହେଉଥିଲା । ଡାକ୍ତରଖାନାରୁ ସୋମବାର ଡିସ୍ଚାର୍ଜ ହେବା ପରେ ପୁଲିସ ତାଙ୍କୁ ଗିରଫ କରିଛି । ଅଭିଯୁକ୍ତମାନଙ୍କୁ ମଙ୍ଗଳବାର ହିଞ୍ଜିଳିକାଟୁ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଶେରଗଡ଼ କୋର୍ଟ ଚାଲାଣ କରାଯାଇଛି । ଘଟଣାରେ ଜଡ଼ିତ ଅନ୍ୟ ଜଣେ ଅଭିଯୁକ୍ତ ରାଜ୍ୟ ବାହାରକୁ ଚମ୍ପଟ ମାରିଥିବା ସନେ୍ଦହ କରାଯାଉଛି । ତାକୁ କାବୁ କରିବା ପାଇଁ ପୁଲିସ ସ୍ୱତନ୍ତ୍ର ଟିମ୍ ଗଠନ କରିଛି ଓ ଉକ୍ତ ଟିମ୍ ବିଭିନ୍ନ ସ୍ଥାନରେ ତନାଘନା ଚଳାଇଥିବା ଏସ୍ପି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ମୁଖ୍ୟ ଅଭିଯୁକ୍ତ ସାଧୁ ଜଣେ ଦୁର୍ଦ୍ଧାନ୍ତ ଅପରାଧୀ । ତାଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ହତ୍ୟା, ହତ୍ୟା ଉଦ୍ୟମ, ଡକାୟତି, ଦାଦାବଟି ପାଇଁ ଧମକ ଆଦି ମାମଲା ରହିଛି । ସେ ୨୦୦୯ ଅଗଷ୍ଟ ମାସରେ ହିଞ୍ଜିଳିକାଟୁରେ ସଂଘଟିତ ଜୟ- ଗୌରୀ ଡବଲ ମର୍ଡର୍ କେଶର ଅନ୍ୟତମ ଅଭିଯୁକ୍ତ ଥିଲା ।
ଏସ୍ପି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ- ମୃତ ୪ ଭାଇ ମିଶି ପିତଳ ଛକରେ ଏକ ଫାଷ୍ଟଫୁଡ଼ ଦୋକାନ ଖୋଲିଥିଲେ । ୨୨ ତାରିଖ ସଂଧ୍ୟାରେ ମୁଖ୍ୟ ଅଭିଯୁକ୍ତ ସାଧୁ ସ୍ୱାଇଁ ଓ ବାହନପତି ସେଠାକୁ ଯାଇଥିଲେ । ସେଠାରେ ଶମ୍ଭୁ ଓ ରାଜାଙ୍କ ସହ ସେମାନଙ୍କ ବଚସା ହୋଇଥିଲା । ୨ ଭାଇଙ୍କୁ ପ୍ରାଣରେ ମାରିବା ଧମକ ଦେଇ ସାଧୁ ଓ ବାହନପତି ଘଟଣାସ୍ଥଳରୁ ଚାଲି ଯାଇଥିଲେ । ମଧ୍ୟରାତ୍ରରେ ୪ ଭାଇ ଦୋକାନ ବନ୍ଦ କରୁଥିବା ବେଳେ ପୂର୍ବ ଯୋଜନା ମୁତାବକ ସାଧୁ ଓ ଅନ୍ୟ ୫ ଅଭିଯୁକ୍ତ ୨ଟି ସ୍କୁଟିରେ କାଠ ଫାଳିଆ, ଲୁହା ରଡ୍ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ଫାଷ୍ଟଫୁଡ୍ ଦୋକାନ ନିକଟରେ ପହଞ୍ଚି ଅତର୍କିତ ଆକ୍ରମଣ କରିଥିଲେ । ୪ ଭାଇଙ୍କ ମୁଣ୍ଡକୁ ପିଟି ରକ୍ତାକ୍ତ ଅବସ୍ଥାରେ ଛାଡି ଆକ୍ରମଣକାରୀମାନେ ଚମ୍ପଟ ମାରିଥିଲେ । ୩ ଭାଇଙ୍କ ଘଟଣାସ୍ଥଳରେ ଓ ନାବାଳକ ଭାଇ ଚନ୍ଦନଙ୍କ ବ୍ରହ୍ମପୁର ବଡ ଡାକ୍ତରଖାନାରେ ମୃତୁ୍ୟ ଘଟିଥିଲା । ଗୋଟିଏ ପରିବାରର ୪ ଭାଇଙ୍କୁ ନିର୍ମମ ହତ୍ୟା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ଏକାଥରକେ ୪ ଭାଇଙ୍କୁ ହତ୍ୟା ପର ଠାରୁ ଉକ୍ତ ଅଞ୍ଚଳରେ ବ୍ୟବସାୟୀ ମହଲରେ ଭୟର ବାତାବରଣ ଦେଖାଦେଇଛି । ଛକର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଆଇନଗତ କାର୍ଯ୍ୟାନୁÂାନ ଗ୍ରହଣ, ଛକରେ ଥିବା ୨ଟି ମଦ ଦୋକାନ ଉଚ୍ଛେଦ ପାଇଁ ଲୋକେ ଅଡ଼ି ବସିଛନ୍ତି । ୪ ଭାଇଙ୍କୁ ହତ୍ୟା ପରେ ୨୩ ତାରିଖରେ ଉତ୍ତେଜିତ ଲୋକେ ଜାତୀୟ ରାଜପଥ-୫୯ ଅବରୋଧ କରିଥିଲେ । ଅଞ୍ଚଳରେ ଏକ ଫାଣ୍ଡି ସ୍ଥାପନ ପାଇଁ ଦାବି ହୋଇଥିଲା । ଫାଣ୍ଡି ସ୍ଥାପନ ନିମନ୍ତେ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଆସିକା ଏସ୍ଡିପିଓଙ୍କୁ ଉକ୍ତ ଅଂଚଳରେ ଶାନ୍ତି କମିଟି ଗଠନ ନିମନ୍ତେ ନିଦେ୍ର୍ଧଶ ଦିଆଯାଇଛି । ସେ ପର୍ଯ୍ୟନ୍ତେ ସେଠାରେ ଅସ୍ଥାୟୀ ଭାବେ ପୁଲିସ ମୁତୟନ ବ୍ୟବସ୍ଥା କରାଯାଇଛି ବୋଲି ଏସ୍ପି କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଆସିକା ଏସ୍ଡିପିଓ ଉମାଶଙ୍କର ସିଂ, ହିଞ୍ଜିଳିକାଟୁ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନୁ୍ୟ ଦାସ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons