ପିତ୍ତଳରେ ୪ ଭାଇଙ୍କୁ ହତ୍ୟା

Get real time updates directly on you device, subscribe now.

ହିଞ୍ଜିଳି, (ବି.ବି.ବୁ୍ୟରୋ): ସାମାନ୍ୟ ଘଟଣା ନେଲା ଉଗ୍ରରୂପ । ଗଡ଼ିଲା ୪ ମୁଣ୍ଡ । କମେଣ୍ଟମରାକୁ କେନ୍ଦ୍ର କରି ଶେରଗଡ଼ ବ୍ଲକ୍ ହିଞ୍ଜିଳି ଥାନାନ୍ତର୍ଗତ ପିତ୍ତଳ ଛକରେ ଚାରି ଭାଇଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଘଟଣା ଘଟିଛି ଗତକାଲି ବିଳମ୍ବିତ ରାତିରେ । ନରେନ୍ଦ୍ରପୁର ଗ୍ରାମର ମଙ୍ଗୁଳୁ ସ୍ୱାଇଁଙ୍କ ପୁଅ ରାଜା(୨୮), ଶମ୍ଭୁ(୨୫), ପାଣ୍ଡବ(୨୩) ଓ ପାଳିତ ପୁଅ(ପୁତୁରା) ଚନ୍ଦନ(୧୬)କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୃର୍ବୃତ୍ତ । ହତ୍ୟାକାରୀଙ୍କୁ ଗିରଫ ଓ କଠୋର ଦଣ୍ଡ ଦାବିରେ ଆଜି ପିତ୍ତଳରେ ବ୍ରହ୍ମପୁର-ଆସିକା ରୋଡ଼ ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକ । ଗଞ୍ଜାମ ଏସ୍ପି ବ୍ରିଜେଶ ରାୟ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ପରେ ପରିବାର ଲୋକଙ୍କୁ ଭେଟି ଦୁଃଖ ପ୍ରକାଶ କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗାଁରେ ପହଞ୍ଚି ମୃତକଙ୍କ ପରିବାରକୁ ସାକ୍ଷାତ କରି ଦୁଃଖ ପ୍ରକାଶ କରିବା ସହ ଉକ୍ତ ପରିବାରକୁ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ଓ ସହାୟତା ଯୋଗାଇଦିଆଯିବ ବୋଲି କହିଛନ୍ତି । ଚାରି ଭାଇଙ୍କୁ ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଅଣାଯାଇଥିଲା । ଡାକ୍ତର ମୃତ ଘୋଷଣା କରିବା ପରେ ଆଜି ସମସ୍ତଙ୍କ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଆସିକା ଏସ୍ଡିପିଓ ଉମା ଶଙ୍କର ସିଂହ କହିଛନ୍ତି । ଦୁଇଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି ଏବଂ ଅନ୍ୟ ଜଣେ ଅଭିଯୁକ୍ତ ରାମଚନ୍ଦ୍ରପୁରର ସାଧୁ ଓରଫ ଅମୀୟ ସ୍ୱାଇଁ ଆହତ ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି ।
ଏସ୍ଡିପିଓ ସିଂହଙ୍କ ସୂଚନା ପ୍ରକାରେ ମଙ୍ଗଳୁ ସ୍ୱାଇଁଙ୍କ ପୁଅ ରାଜା ଓ ତାଙ୍କ ମାଉସୀ ପୁଅ ବୋଉଳଘାଇ ଗ୍ରାମର ଚନ୍ଦନ ପିତ୍ତଳ ଛକରେ ଫାଷ୍ଟଫୁଡ୍ ଦୋକାନ କରିଛନ୍ତି । ଦ୍ୱିତୀୟ ଭାଇ ଶମ୍ଭୁ ପାଠ ପଢ଼ୁଥିବା ବେଳେ ତୃତୀୟ ଭାଇ ପାଣ୍ଡବ ଡାଲା ଅଟୋ ଚଳାଉଛି । ପ୍ରତିଦିନ ରାତି ୧୧ରୁ ୧୨ଟା ମଧ୍ୟରେ ଏକତ୍ରିତ ହୋଇ ଗାଁକୁ ଯାଆନ୍ତି । ଗତକାଲି ୯ଟାରେ ଫାଷ୍ଟଫୁଡ୍ ଦୋକାନ ଆଗରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଛକରେ ଉପସ୍ଥିତ ଥିବା ସାଧୁ ସ୍ୱାଇଁ ଓ ଆଉ କେତେଜଣ ବାଇକ୍ ଆରୋହୀ ଓ ତାଙ୍କ ସହ ଥିବା ଜଣେ ମହିଳାଙ୍କୁ ଉଦ୍ଧାର କରିଥିଲେ । ସେହି ସମୟରେ ଫାଷ୍ଟଫୁଡ୍ ଦୋକାନରେ ଥିବା ଚାରି ଭାଇଙ୍କ ମଧ୍ୟରୁ ଜଣେ କୁଆଡେ଼ କିଛି ଖରାପ କଥା କମେଣ୍ଟ୍ କରିଥିଲେ । ଏହି ଘଟଣାକୁ ନେଇ କିଛି ସମୟ ଯୁକ୍ତି ହୋଇଥିଲା । ପରେ ସାଧୁ ସେଠାରୁ ଚାଲି ଯାଇଥିଲେ ।
ରାତି ପ୍ରାୟ ୧୧ଟାରୁ ସାଢେ଼ ୧୧ରେ ସାଧୁ ଓ ତାଙ୍କର କିଛି ସହଯୋଗୀ ଲୁହା ଏଙ୍ଗଲର୍, ଠେଙ୍ଗା ନେଇ ଫାଷ୍ଟଫୁଡ୍ ଦୋକାନକୁ ଆସି ଆକ୍ରମଣ କରିଥିଲେ । ରାଜା, ଶମ୍ଭୁ, ପାଣ୍ଡବ ଓ ଚନ୍ଦନକୁ ଲୁହା ରଡ୍ରେ ଆକ୍ରମଣ କରିବାରୁ ସେଠାରେ ଟଳି ପଡିଥିଲେ । ଧସ୍ତାଧସ୍ତି ମଧ୍ୟରେ ସାଧୁ ମଧ୍ୟ ଆହତ ହୋଇଥିଲା । ହିଞ୍ଜିଳ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପୁଲିସ ଗାଡ଼ିରେ ସମସ୍ତ ଆହତଙ୍କୁ ହିଞ୍ଜିଳି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । ସେଠାରୁ ସମସ୍ତଙ୍କୁ ଏମ୍କେସିଜି ସ୍ଥାନାନ୍ତର କରାଯାଇଥିବା ବେଳେ ରାସ୍ତାରେ ରାଜା, ଶମ୍ଭୁ, ପାଣ୍ଡବର ମୃତୁ୍ୟ ହୋଇଥିଲା । ଏମ୍କେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ଚନ୍ଦନର ମୃତୁ୍ୟ ହୋଇଥିବା ପୁଲିସ ପ୍ରକାଶ କରିଛି । ଏହି ସଂଘର୍ଷରେ ଅଭିଯୁକ୍ତ ସାଧୁ ସ୍ୱାଇଁ ମଧ୍ୟ ଆହତ ହୋଇଛି । ତା’ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତା’କୁ ଏମ୍କେସିଜିରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ସାଧୁ କମେଣ୍ଟମରାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିବା କହିଛନ୍ତି । ତେବେ ତାଙ୍କ ମୁଣ୍ଡରେ ଆଘାତ ଲାଗିବା ପରେ ସେ ସେଠାରେ ଅଚେତ ହୋଇ ଯାଇଥିଲେ ଓ ସକାଳୁ ଡାକ୍ତରଖାନାରେ ନିଜକୁ ଦେଖିଲେ ବୋଲି କହିଛନ୍ତି । ଆଜି ସକାଳୁ ଚାରିଜଣଙ୍କ ମୃତ ଖବର ଶୁଣିଥିବା ସେ କହିଛନ୍ତି । ଆଜି ସକାଳୁ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରିଛି ।
ଗୋଟିଏ ପରିବାରରୁ ଚାରିଜଣଙ୍କୁ ହତ୍ୟା ନରେନ୍ଦ୍ରପୁର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି । ସାରା ଗାଁ କାନ୍ଦି ଉଠୁଛି । ହତ୍ୟାକାଣ୍ଡ ପ୍ରତିବାଦରେ ଗାଁ ଲୋକ ପିତ୍ତଳ ଛକରେ ରାସ୍ତା ଅବରୋଧ କରି ବସିଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ନରେନ୍ଦ୍ରପୁର ଗ୍ରାମର ୫ଶହରୁ ଉଦ୍ଧ୍ୱର୍ ମହିଳା ଓ ପୁରୁଷ ରାସ୍ତାରେ ବସି ମଦ ଦୋକାନ ବନ୍ଦ କରିବା ସହ ସେଠାରେ ଫାଣ୍ଡି ନିର୍ମାଣ, ଦୋଷୀଙ୍କୁ କଠୋର ଦଣ୍ଡ ଏବଂ ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି । ଗଞ୍ଜାମ ଏସ୍ପି ବି୍ରଜେଶ ରାୟ ବୁଝାସୁଝା କରିବା ସତ୍ତେ୍ୱ ଲୋକ ସନ୍ଧ୍ୟା ପର୍ଯ୍ୟନ୍ତ ରାସ୍ତାରୁ ହଟିନଥିଲେ ।
ହିଞ୍ଜିଳି ଥାନା ପୁଲିସ କେସ୍ ନମ୍ବର ୧୪୧/୨୦୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ରାସ୍ତାରୁ ଲୋକଙ୍କୁ ହଟାଇବା ପାଇଁ ବୁଝାସୁଝା କରୁଛି । ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ପ୍ରୋବେସନ ଆପିଏସ ଅଫିସର ନଚିକେତ ଶେଲ୍କା, ଶେରଗଡ଼ ତହସିଲଦାର ଡ.ଦୟାସିନ୍ଧୁ ପରିଡ଼ା, ଆସିକା ଆଇଆଇସି ପ୍ରଶାନ୍ତ ସାହୁ, ଶେରଗଡ଼ ଥାନା ଆଇଆଇସି ମନୋଜ କୁମାର ପ୍ରଧାନ, ହିଞ୍ଜିଳି ଥାନା ଆଇଆଇସି ଅଭିମନୁ୍ୟ ଦାଶ, ପାଟପୁର ଥାନା ଆଇଆଇସି ସବ୍ୟସଚୀ ମଲ୍ଲ, ଧରାକୋଟ ଓ ବଡ଼ଗଡ଼ ଥାନା ପୁଲିସ ମଧ୍ୟ ଉପସ୍ଥିତ ଅଛି । ଅଧିକ ୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛି । ଆଜି ସକାଳୁ ରାସ୍ତାରୋକ ହୋଇଥିବାର ବ୍ରହ୍ମପୁର-ଆସିକା ଗାଡ଼ି ଯାତାୟାତ ହୋଇପାରିନଥିଲା । ସନ୍ଧ୍ୟା ପର୍ଯ୍ୟନ୍ତ ଗାଁରେ ଶବ ପହଞ୍ଚିନଥିବାରୁ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ଗୋଟିଏ ପରିବାରରେ ଚାରିଜଣକ ହତ୍ୟା ହୋଇଛି । ମଙ୍ଗଳବାର ରାତିରୁ ଶବ ଏମ୍କେସିଜିରେ ରହିଥିଲେ ମଧ୍ୟ ବ୍ୟବଚ୍ଛେଦ ହୋଇ ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ଗାଁରେ ପହଞ୍ଚି ନଥିବା କୁହାଯାଇଛି । ସନ୍ଧ୍ୟାରେ ପୁଣି ଗଞ୍ଜାମ ଏସ୍ପି ବ୍ରିଜେଶ ରାୟ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ କଠୋର ଦଣ୍ଡ କରାଇବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା । ଦିନତମାମ୍ ରାସ୍ତା ବନ୍ଦ ଥିବା ବେଳେ ସନ୍ଧ୍ୟାରୁ ଗାଡ଼ି ଚଳାଚଳ ସ୍ୱଭାବିକ ସ୍ଥିତିକୁ ଫେରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons