ପୂର୍ବତନ ଉପବାଚସ୍ପତିଙ୍କ ଦେହାନ୍ତ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ): ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ତଥା ଚିତ୍ରକୋଣ୍ଡା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରହଲ୍ଲାଦ ଦୋରାଙ୍କ ଦେହାନ୍ତ ହୋଇଯାଇଛି । ପେଟ ଓ ଶ୍ୱାସଜନିତ ରୋଗରେ ପୀଡ଼ିତ ହୋଇ ସେ ୪ ମାସ ହେଲା ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିିତ୍ସାଧୀନ ଥିଲେ । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଗତ ମଙ୍ଗଳବାର ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଆଜି ଅପରାହ୍ଣ ୫ଟାରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି । ଗୁରୁବାର ମାଥିଲି ବ୍ଲକ ପାଙ୍ଗାମ ଅଞ୍ଚଳରେ ଥିବା ତାଙ୍କ ବାସଭବନକୁ ମୃତଦେହ ଅଣାଯିବା ପରେ ଅନ୍ତିମ ସଂସ୍କାର କରାଯିବ । ଶ୍ରୀ ଦୋରାଙ୍କ ମୃତୁ୍ୟ ଖବର ପ୍ରଚାର ପରେ ଜିଲ୍ଲାର ବହୁ ବରିÂ ନେତା, ବିଶିଷ୍ଟ ବ୍ୟକ୍ତି, ସରକାରୀ ଅଧିକାରୀ, ଓକିଲ ସଂଘ କର୍ମକର୍ତ୍ତା ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।
ସୂଚନାଥାଉକି, ଶ୍ରୀ ଦୋରା ୧୯୪୬ ସେପ୍ଟେମ୍ବର ୧୮ରେ ମାଲକାନଗିରିରେ ଜନ୍ମ ହୋଇଥିଲେ । ଦୁଇଥର ବିଧାନସଭା ଉପବାଚସ୍ପତି ମନୋନୀତ ହୋଇଥିଲେ । ମାତ୍ର କେଇ ମାସ ପାଇଁ ବାଚସ୍ପତି ଦାୟିତ୍ୱ ତୁଲାଇଥିଲେ । ଚିତ୍ରକୋଣ୍ଡା ଆସନରୁ ସେ ୩ ଥର ବିଧାୟକ ନିର୍ବାଚିତ ହୋଇଥିଲେ । ତକ୍ରାଳୀନ ମାଲକାନଗିରି ସବ୍ଡିଭିଜନକୁ ଜିଲ୍ଲା ମାନ୍ୟତା ଦେବାରେ ତାଙ୍କ ବିଶେଷ ଭୂମିକା ଥିଲା । ସେ ଜିଲ୍ଲା ଓକିଲ ସଂଘ ସଭାପତି ମଧ୍ୟ ଥିଲେ । କିଛି ଦିନ ତଳେ ପତ୍ନୀ ରତ୍ନମାଳା ଦୋରାଙ୍କ ଦେହାନ୍ତ ହୋଇଥିଲା ।
ଶ୍ରୀ ଦୋରାଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକପ୍ରକାଶ କରିଛନ୍ତି । ଶ୍ରୀ ପ୍ରଧାନ ଶୋକବାର୍ତ୍ତାରେ କହିଛନ୍ତି, ପ୍ରହଲ୍ଲାଦ ଦୋରାଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସାମାଜିକ ଓ ରାଜନୈତିକ ଜୀବନରେ ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇ ରହିବ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଧର୍ମେନ୍ଦ୍ର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons