ପୂର୍ବ ଶତ୍ରୁତା: ଗୋଡେ଼ଇ ଗୋଡେ଼ଇ ହାଣିଲେ

Get real time updates directly on you device, subscribe now.

ଛତ୍ରପୁର,(ବି.ବି.ନୁ୍ୟଜ): ସ୍ପଷ୍ଟ ଦିବାଲୋକରେ ଦୁଇ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ଜଣଙ୍କର ମୃତୁ୍ୟ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ପରେ ଉତ୍ତ୍ୟକ୍ତ ଲୋକେ ଆକ୍ରମଣକାରୀଙ୍କ ଘର ପୋଡ଼ି ଦେବା ସହ ଗାଡ଼ି ଭଙ୍ଗାରୁଜା ଓ ରାସ୍ତାରୋକ କରିଛନ୍ତି । ଏଭଳି ଘଟଣା କୋଦଳା ଏନ୍ଏସି ଡାକବଙ୍ଗଳା ନିକଟ ଖଦାଳ ସାହିରେ ରବିବାର ପୂର୍ବାହ୍ଣରେ ଘଟିଯାଇଛି । ମୃତକ କୋଦଳା ଖଦାଳ ସାହିର କାଳିଆ ଦାସ (୩୫) । ଗୁରୁତର ଅବସ୍ଥାରେ ସାଗର ଦାସ (୩୦)ଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ ଏହି ଘଟଣାରେ କିଛି ଲୋକଙ୍କୁ ଅଟକ ରଖିଛି । କୋଦଳାରେ ଚାପା ଉତ୍ତେଜନା ଲାଗି ରହିଥିବାବେଳେ ଫୋର୍ସ ମୁତୟନ ହୋଇଛନ୍ତି ।
କୋଦଳା ଥାନା ଆଇଆଇସି ଦେବାଶିଷ ମହାନ୍ତିଙ୍କ ସୂତ୍ରରୁ ପ୍ରକାଶ ଯେ, କାଳିଆ ରବିବାର ସକାଳ ପ୍ରାୟ ୮ଟାରେ କୌଣସି କାମରେ ଘରୁ ବାଇକ୍ ଯୋଗେ ସାଙ୍ଗ ସାଗର ସହ ମରାଠୀ ସାହିକୁ ଯାଇଥିଲେ । ଫେରିବା ସମୟରେ ରେଞ୍ଜର୍ ବଙ୍ଗଳା ନିକଟରେ କିଛି ଯୁବକ ମାରଣାସ୍ତ୍ରରେ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ କାଳିଆ ଟଳି ପଡ଼ିଥିବା ବେଳେ ସାଗର ଗୁରୁତର ଅବସ୍ଥାରେ ଜୀବନ ରକ୍ଷା ପାଇଁ ଦୌଡ଼ି ପଳାଇଥିଲେ । ଏହି ଖବର ପ୍ରଚାରିତ ହେଲା ପରେ ଶତାଧିକ ଉତ୍ତ୍ୟକ୍ତ ଲୋକ ଆକ୍ରମଣକାରୀଙ୍କ ଘରେ ପହଞ୍ଚିଥିଲେ । ସୂଚନା ପାଇ ପୁଲିସ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଏବଂ ସେମାନଙ୍କ ପରିବାର ଲୋକଙ୍କୁ ଥାନାକୁ ନେଇ ଅଟକ ରଖିଥିଲେ । ସେପଟେ ଉତ୍ତ୍ୟକ୍ତ ଲୋକ ଆକ୍ରମଣକାରୀଙ୍କୁ ନପାଇ ସେମାନଙ୍କ ଘର ଭାଙ୍ଗି ନିଆଁ ଲଗାଇ ଦେଇଥିଲେ । ଏଥିସହ ପ୍ରାୟ ୪ଟି ଗାଡ଼ି ଭଙ୍ଗାରୁଜା କରିଥିଲେ । ପୁଲିସ ପହଞ୍ଚି ବୁଝାସୁଝା କରିଥିବା ବେଳେ ଉତ୍ତ୍ୟକ୍ତ ଲୋକଙ୍କ ସହ ସେମାନଙ୍କ ଯୁକ୍ତିତର୍କ ଓ ଠେଲାପେଲା ହୋଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ନିଅାଁ ଆୟତ୍ତ କରିଥିଲେ ।
ଏହା ପରେ ଉତ୍ତ୍ୟକ୍ତ ଲୋକ କୋଦଳା କୋର୍ଟ ରୋଡ୍ରେ ଟାୟାର୍ ଜାଳି ରାସ୍ତାରୋକ କରିଥିଲେ । ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହେଉଥିବାରୁ ଅତିରିକ୍ତ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ ଏଏସ୍ପି ରମେଶ ଚନ୍ଦ୍ର ସେଠୀ, ପୁରୁଷୋତ୍ତମପୁର ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ, କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁ, ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ଏବଂ ବେଗୁନିଆପଡ଼ା ଫାଣ୍ଡି ପୁଲିସ । ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା । ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ କୋଦଳା ପୂର୍ବତନ ନଗରପାଳ ହରପ୍ରସାଦ ସାହୁ ପହଞ୍ଚି ଉତ୍ତ୍ୟକ୍ତ ଅଞ୍ଚଳବାସୀଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।
କୁହାଯାଉଛି ଯେ, ପ୍ରାୟ ୧୫ ବର୍ଷ ତଳେ ଖଦାଳ ସାହିରେ ରବିବାର ଆକ୍ରମଣର ନେତୃତ୍ୱ ନେଇଥିବା ଯୁବକଙ୍କ ବାପାଙ୍କୁ ଗୁଣି ସନେ୍ଦହରେ ହତ୍ୟା କରାଯାଇଥିଲା । ଏହା ପରେ ସେହି ପରିବାରକୁ ଖଦାଳ ସାହି ଲୋକ ବାସନ୍ଦ କରିବାରୁ ସେମାନେ ଖଦାଳ ସାହି ଛାଡ଼ି କୋଦଳା ସହରର ମରାଠୀ ସାହିରେ ରହୁଥିଲେ । ଖଦାଳ ସାହିର କାଳିଆ ଓ ସାଗର ସକାଳୁ ବାଇକ୍ରେ ଗଲାବେଳେ ବାସନ୍ଦ ପରିବାରର ସଦସ୍ୟମାନେ ଆକ୍ରମଣ କରିଥିଲେ । ଉତ୍ତେଜନା ଶାନ୍ତ ହେବା ପରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଅତିରିକ୍ତ ଏସ୍ପି ରମେଶ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି । ଉକ୍ତ ଅଞ୍ଚଳରେ ସଶସ୍ତ୍ର ପୁଲିସ ମୁତୟନ କରାଯାଇଛି । ପୁଲିସ ୩ ଜଣଙ୍କୁ ଅଟକ ରଖିଛି । ଏଏସ୍ପି ରମେଶ ଚନ୍ଦ୍ର ସେଠୀଙ୍କ ସୂଚନା ମୁତାବକ ୩ଟି କେସ୍ ରୁଜୁ ହୋଇଛି । ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗକ୍ରମେ ଗୋଟିଏ ହତ୍ୟାକାଣ୍ଡ ମାମଲା, ପ୍ରତିପକ୍ଷ ଅଭିଯୋଗରେ ଗୋଟିଏ ଘରପୋଡ଼ି ଓ ଲୁଟ୍ତରାଜ ଏବଂ ପୁଲିସ ସହ ଧସ୍ତାଧସ୍ତି ଓ ରାସ୍ତାରୋକ ନେଇ ପୁଲିସ ନିଜ ଆଡ଼ୁ ଆଉ ଏକ କେସ୍ ରୁଜୁ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons