ପୋଲିଓ ଆକ୍ରାନ୍ତ ସ୍ତ୍ରୀର ତଣ୍ଟିକାଟି ହତ୍ୟା

Get real time updates directly on you device, subscribe now.

ଖୋର୍ଦ୍ଧା,(ବି.ବି.ନୁ୍ୟଜ):ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ପତିତପାବନ ଛକରେ ଶନିବାର ଭୋରୁ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସ୍ୱାମୀ କାର୍ତ୍ତିକ ପ୍ରଧାନ ଏକ ଧାରୁଆ ଅସ୍ତ୍ରରେ ପୋଲିଓ ଆକ୍ରାନ୍ତ ସ୍ତ୍ରୀ ଇନ୍ଦିରା ପ୍ରିୟଦର୍ଶନୀ ମହାନ୍ତିଙ୍କ ତଣ୍ଟିକାଟି ହତ୍ୟା ପରେ ଫେରାର ହୋଇଯାଇଛି ।
ଘଟଣାରୁ ଜଣାଯାଇଛି ଆଜକୁ ପ୍ରାୟ ୧୭ ବର୍ଷ ତଳେ ଗୁରୁଜଙ୍ଗ ଗ୍ରାମ ମାଳସାହିର ନକୁଳ ପ୍ରଧାନଙ୍କ ପୁଅ କାର୍ତ୍ତିକ ପ୍ରଧାନ(୩୯) ସ୍ୱର୍ଗତ ପ୍ରଦୀପ ମହାନ୍ତିଙ୍କ ଝିଅ ଇନ୍ଦିରା ପ୍ରିୟଦର୍ଶନୀ ମହାନ୍ତି(୩୪)ଙ୍କୁ ପ୍ରେମ ବିବାହ କରିଥିଲେ । ତାଙ୍କର ଗୋଟିଏମାତ୍ର ପୁତ୍ର ସ୍ଥାନୀୟ ଏକ ଘରୋଇ ବିଦ୍ୟାଳୟ ୯ମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି । ତେବେ ଗତ ପ୍ରାୟ ଦୁଇବର୍ଷ ହେବ ସ୍ୱାମୀ କାର୍ତ୍ତିକ ସ୍ତ୍ରୀ ଇନ୍ଦିରାଙ୍କ ଚରିତ୍ର ଉପରେ ସନେ୍ଦହ କରିବା ଫଳରେ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏହି ଘଟଣାରେ କାର୍ତ୍ତିକ ତାଙ୍କ ସ୍ତ୍ରୀ ଇନ୍ଦିରାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ । ଏହା ଅସହ୍ୟ ହେବାରୁ ଇନ୍ଦିରା ଗତ ଏକ ମାସ ହେବ ଗୁରୁଜଙ୍ଗ ପତିତପାବନଛକ ସ୍ଥିତ ମା’ ସଂଯୁକ୍ତା ରହୁଥିବା ଭଡ଼ାଘରକୁ ଚାଲିଆସିଥିଲେ । ଜନ୍ମରୁ ତାଙ୍କର ଡାହାଣ ଗୋଡ଼ ପୋଲିଓ ଆକ୍ରାନ୍ତ ଥିବା ବେଳେ ଆଜକୁ ପ୍ରାୟ ୧୫ ଦିନ ତଳେ ଘରେ ପଡ଼ି ଆହତ ହୋଇଥିଲେ । ଏହା ପରେ ସ୍ତ୍ରୀ ଇନ୍ଦିରାଙ୍କ ପାଖକୁ ସେ ଆସି କ୍ଷମା ପ୍ରାର୍ଥନା କରିବା ସମେତ ଶାଶୂ ରହୁଥିବା ଭଡ଼ାଘରେ
ପରିବାର ସାଙ୍ଗରେ ରହୁଥିଲେ । କିନ୍ତୁ ଶନିବାର ପ୍ରାୟ ରାତି ୨ଟାରେ ଇନ୍ଦିରାଙ୍କ ତଣ୍ଟିକୁ ଏକ ଧାରୁଅ ଅସ୍ତ୍ରରେ କାଟିବା ପରେ କାର୍ତ୍ତିକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଇନ୍ଦିରା ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ମା’ ସଂଯୁକ୍ତା ଏହା ଦେଖି ତାଙ୍କ ଭାଇ କୈଳାସ ହରିଚନ୍ଦନଙ୍କୁ ଖବର ଦେଇଥିଲେ । ପରେ ପରିବାର ଲୋକମାନେ ଆମ୍ବୁଲାନ୍ସରେ ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଆଣିଥିଲେ । ମାତ୍ର ତାଙ୍କର ମୃତୁ୍ୟ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ହତ୍ୟାକାଣ୍ଡ ସମ୍ପର୍କରେ ଇନ୍ଦିରାଙ୍କ ମାମୁଁ କୈଳାସ ଆଦର୍ଶ ଥାନା ପୁଲିସକୁ ଜଣାଇଥିଲେ । ଘଟଣାସ୍ଥଳକୁ ଆଦର୍ଶ ଥାନା ଅଧିକାରୀ ସଂଜୟ ପ;ନାୟକ ଏବଂ ଅନ୍ୟ ଅଧିକାରୀମାନେ ଆସି ତଦନ୍ତ କରିଛନ୍ତି । ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ଥାନା ଅଧିକାରୀ ଶ୍ରୀ ପ;ନାୟକ କାର୍ତ୍ତିକ ଉପରେ ସନେ୍ଦହ ପ୍ରକାଶ କରିଛନ୍ତି । କାର୍ତ୍ତିକକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ସତ୍ତେ୍ୱ ତାକୁ ଧରିବାରେ ପୁଲିସ ବିଫଳ ହୋଇଛି । ଅନ୍ୟ ପାଶ୍ୱର୍ରେ ମାମୁ କୈଳାସଙ୍କ ଅଭିଯୋଗକ୍ରମେ ଆଦର୍ଶ ଥାନାରେ କାର୍ତ୍ତିକ ନାମରେ ଏକ ହତ୍ୟା ମାମଲା ପୁଲିସ ରୁଜୁ କରିଛି । କୈଳାସଙ୍କ କହିବା ଅନୁସାରେ, ଗତ ଦୁଇ ମାସ ହେବ କାର୍ତ୍ତିକ ନିଜ ଘର ଛାଡ଼ି ଚାଲିଯାଇଥିଲା । ତେଣୁ ଇନ୍ଦିରା ମୋ’ ଭଉଣୀ ରହୁଥିବା ଭଡ଼ା ଘରେ ରହିଲେ । ପରବର୍ତ୍ତୀ ସମୟରେ କାର୍ତ୍ତିକ ଭୁଲ ମାଗିବା ସମେତ ଇନ୍ଦିରାଙ୍କୁ ନେବାକୁ କହିଥିଲା । ମାତ୍ର ଆମେ ତା ସାଙ୍ଗରେ ଛାଡ଼ିଲୁନି । ଭାଣେଜୀ ଘରେ ପଡ଼ି ଆହତ ପରେ ବିଗତ ପ୍ରାୟ ୧୫ ଦିନ ଏଠାରେ ରହିଥିଲା । ଏ ହତ୍ୟାକାଣ୍ଡ ସେ ଯୋଜନାବଦ୍ଧ କରିଛି । ତେଣୁ ଅଭିଯୁକ୍ତକୁ ଫାଶୀଦଣ୍ଡ ଦେବାକୁ ସେ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons