ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ତଦାରଖ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

Get real time updates directly on you device, subscribe now.

ଢେଙ୍କାନାଳ,(ବି.ବି.ନୁ୍ୟଜ): କରୋନା ମହାମାରୀ ପରଠାରୁ ଦେଶରେ ରହିଥିବା ଗରିବ ଓ ଅସହାୟଙ୍କ ପାଇଁ ମୋଦି ସରକାର ମାଗଣାରେ ଚାଉଳ ପଠାଉଛନ୍ତି । ରାଜ୍ୟର ପ୍ରାୟ ସାଢେ ୩ କୋଟି ହିତାଧିକାରୀ ଏହାର ଲାଭ ଉଠାଉଛନ୍ତି । ଏହାକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ସାମିଲ କରାଯାଇଛି । ଏହି ମାଗଣା ଚାଉଳ ଗରିବଙ୍କ ପାଖରେ ସଠିକ୍ ସମୟରେ ପହଞ୍ଚାଇବା ଆମ ସମସ୍ତଙ୍କର ଦାୟିତ୍ୱ ହେବା ଦରକାର ବୋଲି ଢେଙ୍କାନାଳ ସଦର ବ୍ଲକ୍ ସପ୍ତଶଯ୍ୟା ପଞ୍ଚାୟତର କଳାକୃତି ଗ୍ରାମ ସଦେଇବେରେଣୀଠାରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏଥିସହ ଗ୍ରାମର ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରେ ଗରିବ କଲ୍ୟାଣ ଅନ୍ନ ଯୋଜନାର ତଦାରଖ କରିବା ସହିତ ହିତାଧିକାରୀଙ୍କୁ ମାଗଣା ଚାଉଳ ବଣ୍ଟନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଦେଶବ୍ୟାପୀ ସାମାଜିକ ନ୍ୟାୟ ପକ୍ଷ ପାଳନ ହେଉଛି । ଏହି ଅବସରରେ ସପ୍ତଶଯ୍ୟା ସଦେଇବେରେଣୀଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଯୋଗ ଦେଇ ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର କ୍ରିୟାନ୍ୱୟନ, ବାସ୍ତବ ସ୍ଥିତି ନିରୀକ୍ଷଣ କରିବା ସହ ହିତାଧିକାରୀ ଓ ଜନ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ୨୦୨୦ ମସିହା ଏପ୍ରିଲ୍ ମାସରେ ମହାମାରୀ କରୋନାର ବିଭୀଷିକା ଦେଖାଦେଇଥିଲା । ପାଖାପାଖି ଦୁଇବର୍ଷ କାଳ ମହାମାରୀ ସମସ୍ତଙ୍କୁ ହନ୍ତସନ୍ତ କଲା । ଲକ୍ଡାଉନ୍, ସଟ୍ଡାଉନ୍ ହେଲା । ଲୋକେ ଘରୁ ବାହାରକୁ ବାହାରି ପାରିଲେନି କି କାମକୁ ଯାଇପାରିଲେନି । କିପରି ପରିବାର ପ୍ରତିପୋଷଣ କରିବେ ସେନେଇ ଲୋକମାନଙ୍କର ଭାଳେଣୀ ପଡ଼ିଲା । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିଭିନ୍ନ ବର୍ଗର ଲୋକମାନଙ୍କ ପାଇଁ ଅନେକ ଯୋଜନା ସବୁ ଆରମ୍ଭ କଲେ । ତନ୍ମଧ୍ୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ୟତମ ଥିଲା । ଏହି ଯୋଜନା ଅଧୀନରେ ଦେଶର ମୋଟ୍ ୧୩୦ କୋଟି ଜନସଂଖ୍ୟା ମଧ୍ୟରୁ ୮୦ କୋଟି ଏବଂ ଓଡ଼ିଶାର ୩ କୋଟି ୨୫ ଲକ୍ଷ ଲୋକ ପ୍ରତିମାସରେ ମୁଣ୍ଡ ପିଛା ୫ କିଲୋ ଲେଖାଏଁ ଚାଉଳ କିମ୍ବା ଗହମ ନେଇ ଉପକୃତ ହେଉଛନ୍ତି । ଗତ ଦୁଇବର୍ଷ ହେଲା ବିନା ମୂଲ୍ୟରେ ନିରନ୍ତର ଭାବେ ଯୋଗାଣ ଚାଲିଛି । ମଝିରେ ବି ଏକାଧିକ ଥର ଡାଲି ଯୋଗାଇ ଦିଆଯାଇଛି ।
ଏଥି ପୂର୍ବରୁ ୩୨ ଟଙ୍କାର ଚାଉଳକୁ ଲୋକମାନେ ୧ ଟଙ୍କାରେ ପାଉଥିଲେ । ୩୨ ଟଙ୍କା ଚାଉଳରୁ ଭାରତ ସରକାର ପାଖାପାଖି ୩୦ ଟଙ୍କା ବହନ କରୁଛନ୍ତି । ଟଙ୍କାଟିଏ ରାଜ୍ୟ ସରକାର ଦେଉଥିବା ବେଳେ ଆଉ ୧ ଟଙ୍କା ହିତାଧିକାରୀମାନେ ଦେଉଛନ୍ତି । ସେତେବେଳେ ଏହା ଟଙ୍କିକିଆ ଚାଉଳ ରୂପେ କୁହାଯାଉଥିଲା । ଏହାଠାରୁ ଦୁଇପାଦ ଆଗକୁ ଯାଇ କରୋନା ବେଳେ ପ୍ରଧାନମନ୍ତ୍ରୀ ମୋଦି ପୂରା ମାଗଣା ଚାଉଳ ଯୋଗାଇ ଦେଲେ । ଯାହାର ନାଁ “ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ ରଖାଯାଇଛି । ଓଡ଼ିଶାରେ ୮୦ ଭାଗ ଜନସାଧାରଣ ଏହି ସୁବିଧା ପାଉଛନ୍ତି । ଏଥିପାଇଁ ଭାରତ ସରକାର ସାଢେ଼ ୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଖାଦ୍ୟ ଅଭାବରୁ କେହି ଉପାସ ନରହନ୍ତୁ, ଦୁଇବେଳା ଅନ୍ନ ମିଳୁ ସେଥିପାଇଁ ପ୍ରଧାନମନ୍ତ୍ରୀ ମହତ୍ୱାକାଂକ୍ଷୀ ଯୋଜନା କରିଛନ୍ତି । ସବ୍କା ସାଥ, ସବ୍କା ବିକାଶ, ସବ୍କା ବିଶ୍ୱାସ, ସବ୍କା ପ୍ରୟାସ ମୋଦି ସରକାରଙ୍କ ମୂଳମନ୍ତ୍ର । ଢେଙ୍କାନାଳ ସମେତ ସମଗ୍ର ରାଜ୍ୟରେ ଗରିବ ଓ ଅସହାୟ ସଠିକ୍ ସମୟରେ ମୋଦି ସରକାର ଦିଲ୍ଲୀରୁ ପଠାଉଥିବା ଚାଉଳ ଓ ଅନ୍ୟ କଲ୍ୟାଣକାରୀ ଯୋଜନାର ଲାଭ ହିତାଧିକାରୀଙ୍କ ପାଖରେ ସଠିକ୍ ସମୟରେ ପହଞ୍ଚୁ, ଏହା ଆମ ସମସ୍ତଙ୍କର ଦାୟିତ୍ୱ ରହିବ ଉଚିତ୍ ବୋଲି ମନ୍ତ୍ରୀ କହିଥିଲେ । ବିଶ୍ୱର ସବୁଠୁ ବଡ଼ବ୍ୟାଙ୍କ୍ ୱାଲର୍୍ଡ ବ୍ୟାଙ୍କ୍ ମଧ୍ୟ ମୋଦି ସରକାରଙ୍କ ଏହି ଯୋଜନାକୁ ପ୍ରଶଂସା କରିଛି ସେ ସୂଚନା ଦେଇଥିଲେ ।
ମନ୍ତ୍ରୀ ଆହୁରି କହିଥିଲେ, ସହରାଞ୍ଚଳର ଗରିବ ଠେଲା ବୁଲା ବିକାଳି ପାଇଁ ସ୍ୱ-ନିଧି ଯୋଜନା କରାଯାଇଛି । ଠିକ୍ ସେ କାର୍ଯ୍ୟକାରୀ ହେଉଛି କି ନାହିଁ ତାକୁ ଦେଖିବାର ଆବଶ୍ୟକତା ରହିଛି । ଘରେ ଘରେ ପାଇପ୍ରେ ପିଇବା ପାଣି ପାଇବା ପାଇଁ ନରେନ୍ଦ୍ର ମୋଦି ଟଙ୍କା ପଠାଉଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାରେ ୨୬ ଲକ୍ଷ ଘର ଅର୍ଥାତ୍ ପାଖାପାଖି ୩୫ ହଜାର କୋଟି ଟଙ୍କା ବିଗତ ୫ ବର୍ଷରେ ଓଡ଼ିଶାକୁ ଦେଇଛନ୍ତି । ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍, ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନାରେ ବିଦୁ୍ୟତ୍ ଆଦି ଲାଭ ଘରେ ଘରେ ପହଞ୍ଚିଛି । ଆକାଂକ୍ଷୀ ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ଚାଷ, ଫଳ ଓ ପନିପରିବା ଚାଷ, ମାର୍କେଟିଂ ବ୍ୟବସ୍ଥା କରାଯାଉଛି । ପ୍ରଧାନମନ୍ତ୍ରୀ ପ୍ରଣୟନ କରୁଥିବା ଯୋଜନା ଗୁଡ଼ିକ ରାଜ୍ୟ ସରକାର ମିଶିକି ଲୋକଙ୍କ ଉଦେ୍ଧଶ୍ୟରେ କାମ କରିବାର ଆବଶ୍ୟକତା ରହିଛି । ଏହାର ଦାୟିତ୍ୱ କେବଳ ଯିଏ ଜିତୁଛି ତାର ନୁହେଁ କି ଯିଏ ଲଢୁଛି ତାର ନୁହେଁ ଯେଉଁମାନେ ଏହାର ଲାଭାର୍ଥି ହେବେ, ହିତାଧିକାରୀ ହେବେ ଏସବୁକୁ ସେମାନଙ୍କ ସହ ଯୋଡ଼ିବାକୁ ହେବ । ଏଥିପାଇଁ ସାମାଜିକ ନ୍ୟାୟ ପଖୱାଡ଼ା ନ୍ୟାୟ ପୂରଣ ପାଇଁ ମୋଦି ମୋତେ ଢେଙ୍କାନାଳ ଜିଲ୍ଲା ପଠାଇଥିବା ଶ୍ରୀ ପ୍ରଧାନ କହିଛନ୍ତି ।
ଢେଙ୍କାନାଳ ଜିଲ୍ଲା ପ୍ରତି ପ୍ରଧାନମନ୍ତ୍ରୀଙ୍କ ବିଶେଷ ଦୃଷ୍ଟି ରହିଛି । ଘର, ବିଜୁଳି, ଗ୍ୟାସ୍ର ସବୁ ଲାଭ ପହଞ୍ଚାଇ ଏଠାକାର ରାସ୍ତାଘାଟ, ରେଳ, ଶିଳ୍ପ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ବିଶେଷ ଧ୍ୟାନ ଦିଆଯାଉଛି । ଢେଙ୍କାନାଳ ଜିଲ୍ଲା ସ୍ୱତନ୍ତ୍ରତା ପାଇଁ ଅତୀତରେ ଇଂରେଜମାନଙ୍କ ସହ ଲଢେଇ କରିଥିଲା । ଯାହାର ପରିଚୟ ବୀର ବାଜିରାଉତ ସଙ୍ଗେ ଯୋଡ଼ି ହୋଇରହିଛି । ଆଜି ବିଶ୍ୱସ୍ତରରେ ଆମ ଅଞ୍ଚଳର ବୀରମାନଙ୍କୁ ପହଞ୍ଚାଇବାକୁ ପଡ଼ିବ । ଭାରତର ଶିକ୍ଷା ବ୍ୟବସ୍ଥାର ଗୁରୁଦାୟିତ୍ୱ ପ୍ରଧାନମନ୍ତ୍ରୀ ମୋ ଉପରେ ନ୍ୟସ୍ତ କରିଛନ୍ତି । ଗତ ଅକ୍ଟୋବର ମାସରେ ଯେତେବେଳେ ମୁଁ ଢେଙ୍କାନାଳ ଆସିଥିଲି ବିଶ୍ୱବିଦ୍ୟାଳୟସ୍ତରରେ ମହିମା ଗୋସାଇଁଙ୍କ ଉପରେ ଅନୁସନ୍ଧାନ କରାଯିବ, ଗବେଷଣା କରାଯିବ ବୋଲି କହିଥିଲି । ଜାତିସଂଘରେ ମଧ୍ୟ ମହିମା ଧର୍ମର “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ’ ବାଣୀ ଉଲ୍ଲେଖ କରାଯାଇଛି । ନୂଆପିଢୀର ଲୋକମାନଙ୍କୁ ଏ ସଂପର୍କରେ ବୁଝାଇବାର ଆବଶ୍ୟକତା ରହିଛି । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟ ଜବଲପୁରରେ ମହିମାଧର୍ମ ଓ ସନ୍ଥକବି ଭୀମଭୋଇଙ୍କ ଉପରେ ଗବେଷଣା କେନ୍ଦ୍ର ବା ରିସର୍ଚ୍ଚ ସେଣ୍ଟର ସ୍ଥାପନ କରାଯାଇଥିବା ମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ । ଆମ ଜିଲ୍ଲାରେ ଶିକ୍ଷା, ସଂସ୍କୃତି, ରୋଜଗାର, ସ୍ୱାଭିମାନଙ୍କୁ ବଢ଼ାଇବା ପାଇଁ ଆମେ ସମସ୍ତେ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି । ଢେଙ୍କାନାଳକୁ ଏକ ସମୃଦ୍ଧ ଓ ସଶକ୍ତ ଅଞ୍ଚଳ ଭାବରେ ଗଢ଼ିବା ପାଇଁ ମୋଦି ସରକାର ଅଙ୍ଗୀକାର ବଦ୍ଧ । ଋଷିଆ ଏବଂ ୟୁକ୍ରେନ୍ ଲଢେଇର ଅର୍ଥନୈତିକ କୁପ୍ରଭାବ ବିଶ୍ୱ ଅର୍ଥନୀତି ସମେତ ଭାରତବର୍ଷ ଉପରେ ଅଛି । ଏଭଳି ଘଡିସନ୍ଧି ମୂହୂର୍ତ୍ତରେ ଗରିବ କଲ୍ୟାଣ ପାଇଁ ଏକାଠି ହେବା ନିମନ୍ତେ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିବାରୁ ମିଳିମିଶି ସଫଳ ରୂପାୟନ ଦେବାପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ନରେଶ ଚନ୍ଦ୍ର ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ । ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା, ଢେଙ୍କାନାଳ ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତ୍ରୁଘନ ଜେନା, ବିଭୁତି ଭୂଷଣ ପ୍ରଧାନ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର, ଜିଲ୍ଲା ସାଧାରଣ ସଂପାଦକ ସୁନୀଲ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଢେଙ୍କାନାଳ କେନ୍ଦ୍ରୀୟ ବିଦ୍ୟାଳୟକୁ ଯାଇ ସେଠାକାର ଶୈକ୍ଷିକ ବାତାବାରଣ ବୁଲି ଦେଖିଥିଲେ । ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ଶିକ୍ଷା ବ୍ୟବସ୍ଥା ସମ୍ବନ୍ଧରେ ଆଲୋଚନା କରିଥିଲେ । ଅପରାହ୍ନ ୪ଟାରେ ମନ୍ତ୍ରୀ ସହର ଉପକଣ୍ଠ ବୋରାପଦାସ୍ଥିତ ସରକାରୀ ଶିଳ୍ପ ତାଲିମ୍ କେନ୍ଦ୍ର ପରିଦର୍ଶନ କରିଥିଲେ । ସେଠାରେ ଅନୁÂାନର ଶିକ୍ଷକ, ପ୍ରଶିକ୍ଷାର୍ଥୀ ଓ ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିଥିଲେ । ଛାତ୍ରଛାତ୍ରୀମାନେ କୌଶଳ ବିଦ୍ୟା ପ୍ରୟୋଗ କରି ପ୍ରସ୍ତୁତ କରିଥିବା ବିଭିନ୍ନ କାମକୁ ଦେଖି ଖୁସିବ୍ୟକ୍ତ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons