ପ୍ରଧାନଶିକ୍ଷକଙ୍କୁ ହତ୍ୟା, ପତ୍ନୀ ଗୁରୁତର

Get real time updates directly on you device, subscribe now.

ସିମୁଳିଆ,(ବି.ବି.ନୁ୍ୟଜ): ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ପୁରୁଷୋତ୍ତମପୁର ପଞ୍ଚାୟତ ବାଲିଖଣ୍ଡ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ବାସିନ୍ଦା ତଥା ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ଦୁର୍ବୃତ୍ତମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି । ଶନିବାର ସକାଳେ ତାଙ୍କ ମୃତଦେହ ବିଲ ମଝିରୁ ଉଦ୍ଧାର ହୋଇଛି । ମୃତ ପ୍ରଧାନଶିକ୍ଷକ ହେଉଛନ୍ତି ଆନନ୍ଦ ଚନ୍ଦ୍ର ପତ୍ରୀ(୬୪) । ତେବେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ତାଙ୍କ ଧର୍ମପତ୍ନୀ ସନ୍ଧ୍ୟାରାଣୀ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଖବର ପାଇ ସିମୁଳିଆ ଥାନା ପୁଲିସ, ଏସ୍ଡିପିଓଙ୍କ ସମେତ ବାଲେଶ୍ୱର ଏସ୍ପି ସାଇଣ୍ଟିଫିକ୍ ଟିମ୍ ନେଇ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି । ଏମିତି ଲୋମଟାଙ୍କୁରା ହତ୍ୟାକାଣ୍ଡ ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ସନ୍ଧ୍ୟାରାଣୀଙ୍କ ବୟାନକୁ ଭିତ୍ତି କରି ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ପ୍ରତିଦିନ ପରି ଗତକାଲି ରାତିରେ ବାଲିଖଣ୍ଡ ଗ୍ରାମର ଆନନ୍ଦ ଚନ୍ଦ୍ର ପତ୍ରୀ ଓ ତାଙ୍କ ଧର୍ମପତ୍ନୀ ସନ୍ଧ୍ୟାରାଣୀ ଖାଇପିଇ ଶୋଇଥିଲେ । ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗ୍ରୀଲ ଚାବି କାଟି ଘରେ ପଶି କବାଟ ବାଡେ଼ଇଥିଲେ । ମାତ୍ର ଶିକ୍ଷକ ଦମ୍ପତି କବାଟ ଖୋଲି ନ ଥିଲେ । ପ୍ରାୟ ଘଣ୍ଟାଏ ପରେ ପୁଣି କବାଟ ବାଡେ଼ଇବାରୁ ଆନନ୍ଦ ଓ ସନ୍ଧ୍ୟାରାଣୀ କବାଟ ଖୋଲିଥିଲେ । ଅଚାନକ ଦୁର୍ବୃତ୍ତମାନେ ସଂପୃକ୍ତ ଦମ୍ପତିଙ୍କୁ ଆକ୍ରମଣ କରିଥିଲେ । ଆନନ୍ଦ ପାରୁପର୍ଯ୍ୟନ୍ତ ପ୍ରତିବାଦ କରିଥିଲେ । ଦୁର୍ବୃତ୍ତଙ୍କ ଓ ତାଙ୍କ ମଧ୍ୟରେ ଜୋରଦାର କସରତ ହୋଇଥିଲା । ଫଳରେ ଘର ଭିତରେ ଓ ବାହାରେ ରକ୍ତ ଛିଟା ପଡ଼ିଥିବା ଦେଖିବାକୁ ମିଳିଥିଲା । ଦୁର୍ବୃତ୍ତମାନେ ଆନନ୍ଦ ଓ ସନ୍ଧ୍ୟାରାଣୀଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିବାରୁ ସେମାନଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା । ଏଥିରେ ଆନନ୍ଦଙ୍କ ମୃତୁ୍ୟ ଘଟିଥିଲା । ସନ୍ଧ୍ୟାରାଣୀ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘର ଭିତରେ ପଡ଼ି ଛଟପଟ ହେଉଥିଲେ । ଆଜି ସକାଳେ ଫୁଲ ତୋଳିବାକୁ ଯାଇଥିବା ପଡେ଼ାଶୀ ବିଲ ମଝିରେ ଆନନ୍ଦଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏହାପରେ ଗ୍ରାମବାସୀମାନେ ରୁଣ୍ଡ ହୋଇ ଘଟଣାର ତନାଘନା କରିଥିଲେ । ସେମାନେ ଘର ସାରା ଖୋଜାଖୋଜି କରୁଥିବା ବେଳେ ଗାଧୁଆ ଘରୁ ସନ୍ଧ୍ୟାରାଣୀଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।
ଅନ୍ୟପଟେ ଆନନ୍ଦଙ୍କ ଘରର ସମସ୍ତ କାଗଜପତ୍ର, ମୋବାଇଲ୍, ପ୍ୟାଣ୍ଟସାର୍ଟ ସମେତ ଅନ୍ୟାନ୍ୟ ସାମଗ୍ରୀ ଘର ଭିତରେ ବିଛାଡ଼ି ହୋଇ ପଡ଼ିଥିବା ବେଳେ ଗଡ଼ରେଜ ଭଙ୍ଗାଯାଇଥିବା ଦେଖିବାକୁ ମିଳିଥିଲା । ଘର ସାରା ରକ୍ତ ଛିଟା ପଡ଼ିଥିଲା । ଦୁର୍ବୃତ୍ତମାନେ ଏପରି ଘଟଣା ଘଟାଇ ଚାଲିଯାଇଥିବା ବେଳେ ଗାଁ ଲୋକେ କେହି ବି ଟେର ପାଇ ନଥିଲେ । ଖବର ପାଇ ସିମୁଳିଆ ଥାନା ଆଇଆଇସି ଜୟନ୍ତ କୁମାର ବେହେରା ସଦଳବଳ ଘଟଣାସ୍ଥଳରେ ପହଞ୍ଚି ବିଲରୁ ଉଲଗ୍ନ ଅବସ୍ଥାରେ ପଡ଼ିଥିବା ଶିକ୍ଷକଙ୍କ ରକ୍ତାକ୍ତ ମରଶରୀରକୁ ଘେରବନ୍ଦୀ କରି ତଦନ୍ତ ଆରମ୍ଭ କରିଥିଲେ । ମୃତଦେହଠାରୁ କିଛି ଦୂରରେ ଏକ କାଠ ବାr ପଡ଼ିଥିଲା ବେଳେ ସେଥିରେ କିଛି ଜମିଜମା କାଗଜପତ୍ର ମିଳିଥିଲା । ସେହିପରି ଶିକ୍ଷକ ଆନନ୍ଦଙ୍କ ମୋବାଇଲକୁ ଭାଙ୍ଗି ସେଠାରେ ପକାଇ ଦେଇଥିଲେ । ପରେ ଆଇଆଇସି ଶ୍ରୀ ବେହେରା ସାଇଣ୍ଟିଫିକ ଟିମ୍ ଡକାଇ ତଦନ୍ତ କରିଥିଲେ । ଏହାପରେ ବାଲେଶ୍ୱର ଏସ୍ପି ସୁଧାଂଶୁ ଶେଖର ମିଶ୍ର, ଏସ୍ଡିପିଓ ପଦାରବିନ୍ଦ ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚି ଘର ଭିତର ଓ ବାହାରେ ବୁଲି ଘଟଣାର ଅନୁଧ୍ୟାନ କରିବା ସହିତ ମୃତଦେହକୁ ଯାଞ୍ଚ କରିଥିଲେ । ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ଶିକ୍ଷକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ଘୋଷାରି ଘୋଷାରି ନିଆଯାଇଥିବା ପୁଲିସ ଅନୁମାନ କରିଛି । ସେହିପରି ଘର ପାଖରେ ଥିବା ଏକ ମାଟି ଘର କାନ୍ଥରେ ରକ୍ତ ଭିଜା ପାପୁଲିର ଚିହ୍ନ ରହିଛି । ଘର ଭିତରୁ ଆଲମିରା ଭାଙ୍ଗି ଟଙ୍କା ଓ ସୁନା ଅଳଙ୍କାର ନେଇ ଯାଇଥିବା ସୂଚନା ମିଳିଛି । ଅପରାଧୀମାନେ ସ୍ଥାନୀୟ ଅଞ୍ଚଳର ହୋଇପାରନ୍ତି ବୋଲି ଏସ୍ପି ଶ୍ରୀ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏନେଇ ସିମୁଳିଆ ଥାନା ପୁଲିସ ନିଜ ଆଡ଼ୁ କେସ ନଂ. ୧୧୫/୨୨ରେ ମାମଲା ରୁଜୁ କରିଛି ।
ସୂଚନାଯୋଗ୍ୟ, ସ୍ଥାନୀୟ ବମତିଆ ପ୍ରାଣକୃଷ୍ଣ ସଂସ୍କୃତ ବିଦ୍ୟାଳୟରୁ ଆନନ୍ଦ ଅବସର ନେଇଥିଲେ । ଘରେ ଆନନ୍ଦ ଓ ତାଙ୍କ ପତ୍ନୀ ସନ୍ଧ୍ୟାରାଣୀ ରହୁଥିବା ବେଳେ ତାଙ୍କର ଏକ ମାତ୍ର ପୁଅ ଭଦ୍ରକରେ ପରିବାର ସହିତ ରହୁଛନ୍ତି । ଗତକାଲି ସନ୍ଧ୍ୟାରେ ପୁଅ ଭଦ୍ରକରୁ ମା’ ସନ୍ଧ୍ୟାରାଣୀଙ୍କୁ ଆଣି ବାଲିଖଣ୍ଡ ଘରେ ଛାଡ଼ି ଭଦ୍ରକ ପଳାଇଥିଲେ । ରାତି ପ୍ରାୟ ୧୦ଟା ବେଳେ ଶିକ୍ଷକଙ୍କ ଭଣଜା ଓ ସମ୍ପର୍କୀୟମାନେ ମଧ୍ୟ ଘରକୁ ଆସି ମିଳାମିଶି କରି ଯାଇଥିଲେ । ମାତ୍ର ବିଳମ୍ବିତ ରାତିରେ ଏଭଳି ଭଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସିମୁଳିଆ ପୁଲିସ ପାଇଁ ଏହା ଏକ ଚ୍ୟାଲେଞ୍ଜ ହୋଇପଡ଼ିଥିବା ବେଳେ କେବେ ଅପରାଧୀ ଧରାପଡ଼ିବେ ଓ କେବେ ଘଟଣାର ରହସ୍ୟ ପଦାକୁ ଆସିବ, ତାକୁ ସମସ୍ତଙ୍କ ଅପେକ୍ଷା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons