ବନ୍ଧବାହାଲରେ ଫାଙ୍କା ଗୁଳି ଚଳାଇ ଲୁଟ୍

Get real time updates directly on you device, subscribe now.

ଝାରସୁଗୁଡ଼ା,(ବି.ବି.ନୁ୍ୟଜ): ବନ୍ଧବାହାଲ ଶିଳ୍ପାଞ୍ଚଳରେ ଫାଙ୍କା ଗୁଳି ଚାଳନା କରି ଲୁଟ୍ । ଆଜି ରାତି ପ୍ରାୟ ସାଢେ଼ ୮ଟାରେ ଏଭଳି ଏକ ଘଟଣା ସଂଘଟିତ ହୋଇଛି । ଓଡ଼ିଶା ଅଳଙ୍କାର ଦୋକାନର ମାଲିକ ଏବଂ ତାଙ୍କ ସହଯୋଗୀଙ୍କୁ ତିନି ଜଣ ଦୁର୍ବୃତ୍ତ ହେଲମେଟ୍ ପିନ୍ଧି ବାଇକ୍ରେ ପିଛା କରିଥିଲେ । ସ୍ଥାନୀୟ ସୁପର୍ ମାର୍କେଟ୍ଠାରେ ତିନି ରାଉଣ୍ଡ ଗୁଳି ଚଳାଇବା ସହ ଧକ୍କା ଦେଇ ବ୍ୟାଗ୍ ଝାମ୍ପି ନେଇ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଛନ୍ତି । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଲୁଟ୍ର ଶିକାର ହୋଇଥିବା ଅଳଙ୍କାର ଦୋକାନୀ ଦୀପକ ପ୍ରସାଦ (୩୧) ଏବଂ ସହଯୋଗୀ ଧିରଜ ପ୍ରସାଦ (୩୭) ଶିଳ୍ପାଞ୍ଚଳର ମୁଖ୍ୟ ରାସ୍ତା କଡ଼ର ଦୋକାନ ବନ୍ଦ କରି ସୁପର ମାର୍କେଟ ସ୍ଥିତ ଦୋକାନକୁ ବାଇକ୍ରେ ଆସିଥିଲେ । ଏହି ସମୟରେ ତିନି ଦୁର୍ବୃତ୍ତ ସେମାନଙ୍କୁ ପିଛା କରି ସୁପର ମାର୍କେଟ୍ କମ୍ପେ୍ଲକ୍ସକୁ ପହଞ୍ଚିଥିଲେ । କମ୍ପେ୍ଲକ୍ସର ଗେଟ୍ରେ ପହଞ୍ଚିବା ପରେ ତିନି ରାଉଣ୍ଡ ଗୁଳି ଚାଳନା କରି ଭୟଭୀତ କରିବା ସହ ଧକ୍କା ଦେଇ ବ୍ୟବସାୟୀ ଏବଂ ତାଙ୍କ ସହଯୋଗୀଙ୍କୁ ତଳେ ପକାଇ ଦେଇଥିଲେ । ସେମାନଙ୍କୁ ପର୍ସ, ମୋବାଇଲ, ହ୍ୟାଣ୍ଡବ୍ୟାଗ ଦେବାକୁ ଦୁର୍ବୃତ୍ତମାନେ କହିଥିଲେ । ଧିରଜଙ୍କ ମୋବାଇଲକୁ ଫିଙ୍ଗି ଦେବା ସହ ବ୍ୟାଗ ଝାମ୍ପି ନେଇ ଜଗନ୍ନାଥ ମନ୍ଦିର ସମ୍ମୁଖ ରାସ୍ତାରେ ବାଇକ୍ ଯୋଗେ ଲୁଟେରାମାନେ ଫେରାର ମାରିଥିଲେ । ଆଜି ଅପରାହ୍ନରେ ସୁପରମାର୍କେଟ ବନ୍ଦ ରହିବାରୁ ଗହଳି ଚହଳି ନ ଥିଲା । ବ୍ୟାଗରେ ଅର୍ଥ ଅବା ଅଳଙ୍କାର ନ ଥିଲା । ସବୁ ଟଙ୍କାକୁ ଲକର୍ରେ ରଖି ବ୍ୟାଗରେ ଚାବି ନେଇ ଆସିଥିଲେ ବୋଲି ଦୋକାନ ମାଲିକ ପୁଲିସ୍କୁ କହିଛନ୍ତି । ଘଟଣାସ୍ଥଳରୁ ଦୁଇଟି ଖୋକା ଜବତ କରିଛି ପୁଲିସ୍ । ଏସ୍ଡିପିଓ ଦିଲୀପ ଦାସ ଏବଂ ବନହରପାଲି ଥାନାଧିକାରୀ ରଶ୍ମିତା ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇବା ସହ ବିଭିନ୍ନ ଅଞ୍ଚଳରେ ଛାନଭିନ ଚଳାଇଛନ୍ତି । ଦୁର୍ବୃତ୍ତମାନେ ଓଡ଼ିଆରେ କଥାବାର୍ତ୍ତା କରିବା ସହ ପଲସର୍ ବାଇକ୍ ବ୍ୟବହାର କରିଥିବା କୁହାଯାଇଛି । ସେହିପରି ଘଟଣା ସ୍ଥଳରେ ସ୍କୁଟିରେ ଥିବା ଜଣେ ବ୍ୟକ୍ତିଙ୍କୁ ଦୁର୍ବୃତ୍ତମାନେ ଭୟଭୀତ କରି ତାଙ୍କ ଠାରୁ ମୋବାଇଲ ଲୁଟିନେଇଥିବା କୁହାଯାଉଛି । ବନ୍ଧବାହାଲ ଶିଳ୍ପାଞ୍ଚଳରେ ଗୁଳି ଫୁଟିବା ଘଟଣା ଲୋକଙ୍କୁ ଭୟଭୀତ କରିଛି । ବହୁ ଦିନ ପରେ ବଡ଼ ଧରଣର ଅପରାଧିକ କାଣ୍ଡ ଘଟଣାଇବା ପ୍ରୟାସ ହୋଇଛି । ଏହି ଘଟଣା ସ୍ଥାନୀୟ ପୁଲିସ୍କୁ ଅପରାଧୀଙ୍କ ଚ୍ୟାଲେଞ୍ଜ ଭାବେ ବିବେଚିତ ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons