ବନ୍ଧୁକୁ ମରଣ ମୁହଁରେ ଛାଡ଼ି ଚମ୍ପଟ

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ମଙ୍ଗଳବାର ବିଳମ୍ବିତ ରାତି । ନିସ୍ତବ୍ଧ ଜାତୀୟ ରାଜପଥରେ ଘଟିଲା ଦୁର୍ଘଟଣା । ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ସମଯାଜପୁର ଆର୍ଓବି ଏବଂ ବୀରଗୋବିନ୍ଦପୁର ଛକ ମଝିରେ ରାସ୍ତା ପାଶ୍ୱର୍ ଗଛରେ ପିଟି ହେଲା ଏକ ପିକପ୍ । ବାମ ପାଶ୍ୱର୍ ଗଛରେ ପିଟି ହୋଇ ଜଣେ ଚାପି ହୋଇ ରହିଥିବାବେଳେ ଗାଡିରୁ ଡେଇଁ ଡ୍ରାଇଭର୍ ହୋଇଗଲା ଫେରାର୍ । ଗାଡି ସିଟ୍ ଓ ଗଛ ମଝିରେ ଚାପି ହୋଇ ମରଣ ସହ ଲଢେଇ କରୁଥିବା ଜଣେ ଯୁବକଙ୍କୁ ଉଦ୍ଧାର କଲା ହାଇୱେ ପାଟ୍ରୋଲିଂ ପୁଲିସ । ଉଦ୍ଧାର ହୋଇଥିବା ଯୁବକ ହେଲେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଅଞ୍ଚଳର ସତ୍ୟବାନ ପ୍ରଧାନ (୨୩) । ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଡ୍ରାଇଭର୍ର ନାମ ଅଜିତ ମଲ୍ଲିକ ବୋଲି କହିଛନ୍ତି ସତ୍ୟବାନ ।
ଘଟଣା ଥିଲା ଏମିତି । ସତ୍ୟବାନ ଓ ଅଜିତ୍ ଗୋଟିଏ ଅଞ୍ଚଳର ।ଦୁହେଁ ପିଲାବେଳର ବନ୍ଧୁ ଅଟନ୍ତି । ଅଜିତ୍ ଭୁବନେଶ୍ୱରରେ ଗାଡି ଡ୍ରାଇଭିଂ କରନ୍ତି । ସତ୍ୟବାନ କୌଣସି ଏକ କାମରେ ଭୁବନେଶ୍ୱର ଆସି ଅଜିତ୍କୁ ଦେଖାହୋଇଥିଲେ । ଏକ ଭଡାରେ ଗାଡି ନେଇ ପୁରୀ ଆସିବାକୁ ପ୍ରସ୍ତାବ ଦେଇଥିଲେ ଅଜିତ୍ । ଦୁହେଁ ଏକ ପିକପ୍ (ଓଡି-୦୨ବିଡି-୨୫୪୦) ଯୋଗେ ଆସିଥିଲେ ପୁରୀ । ସତ୍ୟବାନ୍ ହେଲ୍ପର୍ ଭାବେ ଅଜିତ୍ର ପାଖ ସିଟ୍ରେ ବସିଥିଲେ । ପୁରୀରୁ କାମ ସାରି ରାତି ସାଢେ ୧୨ଟାରେ ଭୁବନେଶ୍ୱର ଫେରୁଥିଲେ । ବୀରଗୋବିନ୍ଦପୁର ଛକ ପୂର୍ବରୁ ଥିବା ପେଟ୍ରୋଲ୍ ପମ୍ପ ସମ୍ମୁଖ ରାସ୍ତା ପାଶ୍ୱର୍ ଗଛରେ ଗାଡି ଧକ୍କା ହୋଇଥିଲା । ସତ୍ୟବାନ୍ ଚିପି ହୋଇ ରହି ଯାଇଥିଲେ । ଛଟପଟ ହେଉଥିବାବେଳେ ଗାଡିରୁ ଡେଇଁ ଚମ୍ପଟ ମାରିଥିଲେ ଅଜିତ୍ ।
ଏହି ସମୟରେ ଦୂରରେ ଥିଲା ଜୋନ୍ ନମ୍ବର ୩ ହାଇୱେ ପାଟ୍ରୋଲିଂ ପୁଲିସ ଭ୍ୟାନ୍ । ଅନ୍ୟ ଜଣେ ଗାଡି ଚାଳକ ଏହି ଦୁର୍ଘଟଣା ସମ୍ପର୍କରେ ପୁଲିସକୁ କହିଥିଲେ । ପୁଲିସ ତତ୍କ୍ଷଣାତ୍ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲା । ଦୁର୍ଘଟଣାକୁ ବିତିସାରିଥିଲା ୧୦ ମିନିଟ୍ । ଏହାପରେ ୨୦ ମିନିଟ୍ କାଳ କସରତ୍ କରି ଡୋର୍ ଭାଙ୍ଗି ସତ୍ୟବାନ୍ଙ୍କୁ ଉଦ୍ଧାର କରିଥିଲେ ପୁଲିସ ଟିମ୍ । ସେହି ବାଟ ଦେଇ ଫେରୁଥିବା ଏକ ୧୦୮ ଆମ୍ବୁଲାନ୍ସକୁ ଅଟକାଇ ସେଥିରେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ । ଠିକ୍ ସମୟରେ ଚିକିତ୍ସା ପାଇ ନୂଆ ଜୀବନ ଫେରି ପାଇଲେ ସତ୍ୟବାନ୍ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons