ବନ୍ଧୁକ ତିଆରି କାରଖାନା ଠାବ

Get real time updates directly on you device, subscribe now.

ଗୁଣପୁର,(ବି.ବି.ନୁ୍ୟଜ): କନ୍ଧମାଳ ଜିଲ୍ଲା ଚକାପାଦରେ ଠାବ ହୋଇଛି ବନ୍ଧୁକ ତିଆରି କାରଖାନା । ଏହା ଉପରେ ଚଢଉ କରିଛି ରାୟଗଡ଼ା ଜିଲ୍ଲା ଗୁଣପୁର ପୁଲିସ୍ । କାରବାରରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ଚକାପାଦର ତ୍ରିନାଥ ବିନ୍ଧାଣୀ, ଭାବଗ୍ରାହୀ ବିନ୍ଧାଣୀ ଏବଂ ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ୍ ଉକୁମ୍ବାର ଦେବଦୁଲ୍ଲଭ ମହାପାତ୍ର । ଦେବଦୁଲ୍ଲଭର ନିଜ ଘର ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳରେ । ସେ ଉକୁମ୍ବା ଅଞ୍ଚଳରେ ଚାଲିଥିବା ରାସ୍ତା କାମରେ ଜେସିବି ଡ୍ରାଇଭର ଭାବେ କାମ କରୁଥିଲା । ଅଭିଯୁକ୍ତଙ୍କ ପାଖରୁ ଦୁଇଟି ଦେଶୀ ବନ୍ଧୁକ, ଗୋଟିଏ ଦେଶୀ ରିଭଲ୍ଭର୍, ୨ଟି ସିଙ୍ଗଲ ବ୍ୟାରେଲ୍ ଦେଶୀ ରାଇଫଲ, ୩ଟି ଗୁଳି ସହ ମାରଣାସ୍ତ୍ର ଏବଂ ବନ୍ଧୁକ ତିଆରି ସାମଗ୍ରୀ ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନଙ୍କୁ ବୁଧବାର କୋର୍ଟ ଚାଲାଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଆଇଆଇସି ଯଶୋବନ୍ତ ହିଆଲ ସୂଚନା ଦେଇଛନ୍ତି ।
ପୁଲିସ୍ ସୂଚନା ଅନୁଯାୟୀ, ଶ୍ରୀ ହିଆଲଙ୍କୁ ବନ୍ଧୁକ କାରବାର ସଂପର୍କରେ ବିଶ୍ୱସ୍ତସୂତ୍ରରୁ ଖବର ମିଳିଥିଲା । ତଥ୍ୟକୁ ଆଧାର କରି ମଙ୍ଗଳବାର ଭୋର୍ ୪ଟା ବେଳେ ପୁଲିସ୍ର ଏକ ସ୍ୱତନ୍ତ୍ର ଟିମ୍ ରାମନାଗୁଡା ବ୍ଲକ୍ ଉକୁମ୍ବାରେ ରହୁଥିବା ଦେବଦୁଲ୍ଲଭର ଘରେ ଚଢଉ କରିଥିଲା । ଚଢଉ ବେଳେ ତା’ ଘରୁ ଗୋଟିଏ ସିଙ୍ଗଲ ବ୍ୟାରେଲ୍ ଦେଶୀ ପିସ୍ତଲ, ୩ଟି ଗୁଳି, ୫ଟି ଲୁହା ଚିପ୍ସ ଓ ଗୋଟିଏ ବଡ଼ ଖଣ୍ଡା ଜବତ କରାଯାଇଥିଲା । ପଚରାଉଚରା ପରେ ସେ ଏସବୁ ସାଗମ୍ରୀ ଚକାପାଦର ତ୍ରିନାଥ ଏବଂ ଭାବଗ୍ରାହୀଙ୍କ ପାଖରୁ କିଣିଥିବା କହିଥିଲା ।
ଦେବଦୁଲ୍ଲଭର ବୟାନକୁ ଭିତ୍ତିକରି ପୁଲିସ୍ ଟିମ୍ ଚକାପାଦର ତ୍ରିନାଥ ଓ ଭାବଗ୍ରାହୀଙ୍କ ଘରେ ଅତର୍କିତ ଚଢଉ କରିଥିଲା । ସେଠାରୁ ୨ଟି ରାଇଫଲ୍, ଗୋଟିଏ ପିସ୍ତଲ, ଗୋଟିଏ ରିଭଲଭର୍, ଦୁଇଟି ରାଇଫଲ୍ର କାଠ ଫ୍ରେମ୍, ୪ଟି ଲୁହା ବ୍ୟାରେଲ୍, ଗୋଟିଏ ଡ୍ରିଲ୍ ମେସିନ୍, ଗୋଟିଏ କଟିଙ୍ଗ ମେସିନ୍, ବନ୍ଧୁକ ନିର୍ମାଣରେ ବ୍ୟବହାର ହେଉଥିବା ନଟ୍ବୋଲ୍ଟ ସହ ଦୁଇଟି ମୋବାଇଲ୍ ଜବତ କରିଥିଲା । ଏ ସମ୍ପର୍କରେ ଗୁଣପୁର ଥାନାରେ ୨୫(୧-ଏ)/୨୫(୮)/୨୯ ଅସ୍ତ୍ରଶସ୍ତ୍ର ନିରୋଧ ଆଇନରେ ମାମଲା ରୁଜୁ କରାଯାଇଛି । ପୁଲିସ୍ ଅଧିକ ତଦନ୍ତ ଜାରି ରଖିଥିବା ଆଇଆଇସି ଶ୍ରୀ ହିଆଲ କହିଛନ୍ତି । ଥାନା ପରିସରରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଏସ୍ଆଇ ସୁଶାନ୍ତ ବେହେରାଙ୍କ ସହ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons