ବାଘ ଆକ୍ରମଣରେ ବାଳକ ମୃତ ଘଟଣା:୫ ଲକ୍ଷ କ୍ଷତିପୂରଣ ଦାବି କଲା କଂଗ୍ରେସ

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କଠାରୁ): ଛତିଶଗଡର ସିହାୱା ଠାରେ ଚିତାବାଘ ଆକ୍ରମଣରେ ମୃତ ନାବାଳକ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବି ହୋଇଛି । ଉଭୟ ଛତିଶଗଡ ଓ ଓଡିଶା ସରକାର ତୁରନ୍ତ ରାଇଘରର ମୃତକଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ଜିଲ୍ଲା ସଭାପତି ମୁନ୍ନା ତ୍ରିପାଠୀ ଦାବି କରିଛନ୍ତି ।
ସେ କହିଛନ୍ତି, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଗେଲଙ୍କ ଉପଦେଷ୍ଟା ରାଜେଶ ତିୱାରୀଙ୍କ ଏନେଇ ଆଲୋଚନା କରିଛନ୍ତି । ସେଠାକାର ବନବିଭାଗ ମୃତକଙ୍କ ପରିବାରକୁ ୫ ଲକ୍ଷ କ୍ଷତିପୂରଣ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛି । ସେହିପରି ଛତିଶଗଡ କଂଗ୍ରେସ ଦାୟିତ୍ୱରେ ଥିବା କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଏବେ ରାୟପୁର ଗସ୍ତରେ ଅଛନ୍ତି । ତାଙ୍କୁ ଅବଗତ କରାଯିବା ପରେ ସେ ମଧ୍ୟ ଛତିଶଗଡ ସରକାରଙ୍କ ସହ ଆଲୋଚନା କରିଥିବା ଶ୍ରୀ ତ୍ରିପାଠୀ କହିଛନ୍ତି । ଅନ୍ୟପକ୍ଷେ ରାଇଘର ତହସିଲଦାର ରେଡକ୍ରସ ପାଣ୍ଠିରୁ ଅନ୍ତେ୍ୟଷ୍ଟି କ୍ରିୟା ପାଇଁ ମୃତକଙ୍କ ପରିବାରକୁ ୧୦ହଜାର ଟଙ୍କା ପ୍ରଦାନ କରିଛନ୍ତି । ଆଜି ରାଇଘର ବ୍ଲକ କଂଗ୍ରେସ ସଭାପତି ସୁବଲନ ସାନ୍ତାଙ୍କ ନେତୃତ୍ୱରେ ରମେଶ ବିଶ୍ୱାସ, ଗୋବର୍ଦ୍ଧନ ଡଙ୍ଗରୀ, ଅନୱାର ଅଲ୍ଲୀ, ପ୍ରଦୀପ ହଲଦାର ପ୍ରମୁଖ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ରାଇଘର ଥାନା ତୁରୁଡି ଗାଁର ନରେନ୍ଦ୍ର ମାର୍କାମ ସପରିବାର ସିହାୱା ଶୃଙ୍ଗିଋଷି ପାହାଡ ଦେବୀ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ । ଦର୍ଶନ ସାରି ଜଙ୍ଗଲ ରାସ୍ତାରେ ଫେରିବା ବେଳେ ହଠାତ୍ ଏକ ଚିତାବାଘ ବାହାରିଥିଲା । ନରେନ୍ଦ୍ରଙ୍କ ୬ ବର୍ଷର ପୁଅ ଅମିତକୁ ଚିତାବାଘ ଟାଣିନେଇ ପାହାଡ ଉପରକୁ ଚାଲିଯାଇଥିଲା । ପରେ ବନବିଭାଗ ଓ ପୁଲିସ୍ କର୍ମଚାରୀ ପହଞ୍ଚି ଅମିତକୁ ଉଦ୍ଧାର କରିଥିଲେ । କିନ୍ତୁ ଡାକ୍ତରଖାନାରେ ବାଳକକୁ ମୃତ ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons