ବାଲେଶ୍ୱର,(ବି.ବି.ନୁ୍ୟଜ): ଗ୍ୟାଙ୍ଗଷ୍ଟର ଶେଖ୍ ହାଇଦର ସ୍ତ୍ରୀ ହସିନା ବିବି, ବଡ଼ ବୋହୂ ରେଶମା ବେଗମ୍ ବୁଧବାର ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ଆସିଥିଲେ । ସେମାନଙ୍କ ସହ ହାଇଦର ମାମଲା ଲଢ଼ୁଥିବା ହାଇକୋର୍ଟ ଆଇନଜୀବୀ ବିଶ୍ୱଜିତ୍ ତ୍ରିପାଠୀ ଥିଲେ । ସେମାନେ ହାଇଦରର ମୃତୁ୍ୟ ପ୍ରମାଣପତ୍ର, ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ନେବାକୁ ଆସିଥିବା କହିଥିଲେ । ତେବେ କୁମାର ପୂର୍ଣ୍ଣିମା ଯୋଗୁଁ ସରକାରୀ କାର୍ଯ୍ୟାଳୟ ବନ୍ଦ ଥିବାରୁ ସେମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା ।
ବାଲେଶ୍ୱର ଆସିବା ପୂର୍ବରୁ ହସିନା ସିମୁଳିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଉଦେ୍ଧଶ୍ୟମୂଳକ ଭାବେ ସ୍ୱାମୀ ହାଇଦରକୁ ହତ୍ୟା କରିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଥିଲେ । ଅଭିଯୋଗ ପତ୍ର ଅନୁଯାୟୀ³ ହାଇଦର କଟକର ଏସ୍ସିବିରେ ଚିକିତ୍ସିତ ହେଉଥିବାବେଳେ ପୁଲିସ୍ ତାଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଥିଲେ । ଏମିତିକି ହସିନାଠାରୁ ମୋଟା ଅଙ୍କର ଅର୍ଥ ଦାବି କରିଥିଲେ । ଅର୍ଥ ନ ଦେଲେ ଗୁଳି କରିବେ ବୋଲି ମଧ୍ୟ ଧମକ ଦେଇଥିଲେ । ତାଙ୍କୁ ତେଲଙ୍ଗାନାରେ ହତ୍ୟା କରିବେ ବୋଲି ନେଇଥିଲେ । ଏସ୍ସିବିରୁ ହାଇଦର ଫେରାର ହୋଇଥିବା ଅଭିଯୋଗରେ ପରିବାର ଲୋକଙ୍କୁ ଗିରଫ କରିଥିଲେ । ପରେ ଯୋଜନାବଦ୍ଧ ଭାବେ ହାଇଦରକୁ ହତ୍ୟା କରିଥିବା ସେ ଅଭିଯୋଗ କରିଥିଲେ ।
ହାଇଦରକୁ ହତ୍ୟା କରିବା ପଛରେ କଟକ ଡିସିପି, ତାପସ ପ୍ରଧାନ, ଗଙ୍ଗାଧର ଶାସେନୀ, ଅଜୟ ଦାସ, ବିରଞ୍ଚି ନାରାୟଣ ପତି, ଅସିତ୍ ଜେନା, ଗଜେନ୍ଦ୍ର ସୋରେନ, ସୂର୍ଯ୍ୟକାନ୍ତ ରାଉତ, ସୌମ୍ୟରଞ୍ଜନ ରାଉଳ, ସତ୍ୟଜିତ୍ ସ୍ୱାଇଁ, ରୋହିତ କୁମାର ମଲ୍ଲିକ, ପୁରୁଷୋତ୍ତମ ରାଉତ, ରାଜେନ୍ଦ୍ର ନାୟକ, କଳ୍ପତରୁ ନାଇକ, ଚୌଦ୍ୱାର ଜେଲ୍ର ଅଧୀକ୍ଷକ, ଚୌଦ୍ୱାର ଜେଲ୍ର ଜେଲର, ବାରିପଦା ଜେଲ୍ ଅଧୀକ୍ଷକଙ୍କ ହାତ ଥିବା ସେ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି । ହାଇଦରକୁ ହତ୍ୟା କରିବା ପରେ ପୁଲିସ୍ ପ୍ରମାଣ ନଷ୍ଟ କରିଛି । ହାଇଦର ଆଦୌ ଗୁଳି କରିନି । ପୁଲିସ୍ ତାଙ୍କୁ ହତ୍ୟା କରିବା ପରେ ମାମଲାର ମିଛ ରଙ୍ଗ ଦେଇଛି । ଏହି ଘଟଣାରେ ସେ ନ୍ୟାୟ ଚାହୁଁଥିବା କହିଛନ୍ତି । ସେହିଭଳି ହାଇଦର ମୃତୁ୍ୟ ପରଠାରୁ ବାଲେଶ୍ୱର ହସ୍ପିଟାଲ ପକ୍ଷରୁ ମୃତୁ୍ୟ ପ୍ରମାଣପତ୍ର ଦିଆଯାଉନି । ଏନେଇ ବାରମ୍ବାର ଅଭିଯୋଗ କରିବା ପରେ ନିରାଶ ହେବାରୁ ବାଧ୍ୟ ହୋଇ ଆସିଥିବା ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ହାଇପ୍ରୋଫାଇଲ ଗ୍ୟାଙ୍ଗଷ୍ଟର ତଥା କୁଖ୍ୟାତ ଅପରାଧୀ ଶେଖ୍୍ ହାଇଦର ଚଳିତ ବର୍ଷ ଜୁଲାଇ ୨୪ ତାରିଖ ପୁଲିସ୍ ଏନ୍କାଉଣ୍ଟରରେ ପ୍ରାଣ ହରାଇଥିଲା । ତାକୁ କଟକ ଚୌଦ୍ୱାର ଜେଲ୍ରୁ ବାରିପଦା ଜେଲ୍କୁ ସ୍ଥାନାନ୍ତର କରାଯାଉଥିବାବେଳେ ଅପରାହ୍ନ ୩ଟା ୪୫ରେ ସିମୁଳିଆ ନିକଟରେ ଶୌଚ ହେବା ପାଇଁ ପୁଲିସ୍କୁ କହିଥିଲା । ପୁଲିସ୍ ତାକୁ ଶୌଚ ହେବାକୁ ଅନୁମତି ଦେଇଥିଲା । ଏହି ସମୟରେ ସେ ପୁଲିସ୍କୁ ଚକ୍ମା ଦେଇ ଖସିଯିବାକୁ ଚେଷ୍ଟା କରିଥିଲା । ଏଣୁ ପୁଲିସ୍ ତାକୁ ଏନ୍କାଉଣ୍ଟର କରିବାକୁ ବାଧ୍ୟ ହୋଇଥିଲା । ଏନ୍କାଉଣ୍ଟର ବେଳେ ପୁଲିସ୍ର ୪ଟି ଗୁଳି ହାଇଦର ବାମ ହାତ, ଛାତିରେ ବାଜିଥିଲା । ଗୁରୁତର ଅବସ୍ଥାରେ ଅପରାହ୍ନ ୪ଟା ୩୦ରେ ତାକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତା’ର ମୃତୁ୍ୟ ହୋଇଥିଲା ।
Comments are closed, but trackbacks and pingbacks are open.