ବିଏମସି କିଣୁଛି ପିଇବା ପାଣି, ମାସକୁ ଖର୍ଚ୍ଚ ୧୯ ହଜାର

Get real time updates directly on you device, subscribe now.

ବ୍ରହ୍ମପୁର,(ବି.ବି.ବୁ୍ୟରୋ): ବ୍ରହ୍ମପୁର ସହରର ବିଭିନ୍ନ ସାହିବସ୍ତିରେ ପିଇବା ପାଣି ଯୋଗାଣ କ୍ଷେତ୍ରରେ ଅବ୍ୟବସ୍ଥା ଖବର ନିୟମିତ ଘଟଣା । କିନ୍ତୁ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟରେ ପିଇବା ପାଣି ଅଭାବ ଅତ୍ୟନ୍ତ ଆଶ୍ଚର୍ଯ୍ୟ ମନେ ହୋଇଛି । ଦୀର୍ଘଦିନ ଧରି ବିଏମ୍ସି କାର୍ଯ୍ୟାଳୟ ମଧ୍ୟରେ ପିଇବା ପାଣିର ଘୋର ଅଭାବ ଦେଖାଦେଇଛି । ପୌର କାର୍ଯ୍ୟାଳୟରେ କାର୍ଯ୍ୟରତ ପ୍ରାୟ ୭୦୦ ଶହ କର୍ମଚାରୀ ସମେତ ଉଚ୍ଚପଦସ୍ଥ ଅଫିସର, ପଦାଧିକାରୀ ଓ ଯନ୍ତ୍ରୀ ପୂର୍ବାହ୍ନରୁ ସନ୍ଧ୍ୟା ଯାଏଁ କାମ କରୁଛନ୍ତି । ପୌର କାର୍ଯ୍ୟାଳୟରେ ରହିଛି ୨୦ରୁ ଉଦ୍ଧ୍ୱର୍ ସେକସନ୍ । ତେବେ କୌଣସି ସେକ୍ସନ୍ରେ ପିଇବା ପାଣି ସଂଯୋଗ ହୋଇନାହିଁ । ଟ୍ୟାପ୍ ପାଣି ମିଳୁନି । ପୂର୍ବରୁ କେତେକ କର୍ମଚାରୀ ବୋତଲରେ ଘରୁ ପାଣି ଆଣୁଥିଲେ । ଏନେଇ ବିଭିନ୍ନ ସମୟରେ ଅଭିଯୋଗ ହେବା ପରେ ବ୍ୟାରେଲରେ ପାଣି କିଣି ଆଣି ପ୍ରତି ସେକ୍ସନ୍କୁ ଯୋଗାଣ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଗତ ଚାରି ବର୍ଷ ଧରି ଏଭଳି ବ୍ୟାରେଲ ଯୋଗେ ପିଇବା ପାଣି ଯୋଗାଣ ହେଉଥିବା ସୂଚନା ମିଳିଛି । ପ୍ରତିଦିନ ସ୍ୱତନ୍ତ୍ର ଗାଡ଼ି ଯୋଗେ ପାଣି ବ୍ୟାରେଲ ବିଏମ୍ସି କାର୍ଯ୍ୟାଳୟରେ ପହଞ୍ଚି ଯାଉଛି । ପୌର କର୍ମଚାରୀଙ୍କୁ ପିଇବା ପାଣି ଯୋଗାଣ ବାବଦରେ ମାସକୁ ୧୮ ହଜାର ୯୦୦ ହିସାବରେ ବର୍ଷକୁ ୨ ଲକ୍ଷ ୨୬ ହଜାର ୮୦୦ ଟଙ୍କାର ପାଣି କିଣୁଛି ବିଏମ୍ସି । ବିଏମ୍ସି କାର୍ଯ୍ୟାଳୟରେ ପିଇବା ପାଣି ପାଇଁ ୩ଟି ୱାଟର ପୁ୍ୟରିଫାୟର ଲାଗିଛି । ସେଥିରୁ ୨ଟି କାମ କରୁଛି ଏବଂ ଗୋଟିଏ ଅଚଳ ରହିଛି । ୱାଟର ଫିଲଟର୍ ପଏଣ୍ଟକୁ ପାଇପ୍ ପାଣି ସଂଯୋଗ ହୋଇଛି । କିନ୍ତୁ ନିୟମିତ ଭାବେ ପାଣି ଆସୁନାହିଁ । ଯାହାଫଳରେ ପୌର କର୍ମଚାରୀମାନ ବିଶୁଦ୍ଧ ପିଇବା ପାଣି ପାଉନାହାନ୍ତି । ଏଣୁ ପ୍ରାଶାସନିକ ନିଷ୍ପତ୍ତି ଅନୁସାରେ ବାହାରୁ ପାଣି ବ୍ୟାରେଲ କିଣି ଆଣୁଛି ବିଏମ୍ସି ।
ବିଏମ୍ସି କାର୍ଯ୍ୟାଳୟର କର୍ମଚାରୀଙ୍କ ପାଇଁ ପିଇବା ପାଣି ଅଭାବ ସମ୍ପର୍କରେ କିଛି କର୍ମଚାରୀଙ୍କୁ ପଚାରିବାରୁ ନିଜ ପାଇଁ ଘରୁ ପାଣି ବୋତଲ ଆଣୁଥିବା କହିଛନ୍ତି । ବିଏମ୍ସିକୁ ଦୈନିକ ଏକ ଏସ୍ଏଚ୍ଜି ଗ୍ରୁପ୍ ପାଣି ବ୍ୟାରେଲ ଯୋଗାଉଛି । ଗୋଟିଏ ବ୍ୟାରେଲ ୨୦ ଲିଟର । ଦିନକୁ ୧୮ଟି ବ୍ୟାରେଲରେ ୩୬୦ ଲିଟର ପାଣି ବିଏମ୍ସିକୁ ଆସୁଥିବା ପାଣି ଯୋଗାଉଥିôବା ପ୍ରଗତି ଏସ୍ଏଚ୍ଜି କର୍ମକର୍ତ୍ତା ଅନିତା ମହାନ୍ତି ସୂଚନା ଦେଇଛନ୍ତି । ବିଏମ୍ସିକୁ ୪ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଏଭଳି ପାଣି ଯୋଗାଣ ହେଉଥିବା ସେ କହିଛନ୍ତି । ପାଣି ବ୍ୟାରେଲ ପିଛା ୩୫ ଟଙ୍କା ବିଏମ୍ସି ପୈଠ କରୁଛି । ଜାନିବିଲି ପ୍ରକଳ୍ପର ପାଇପ୍ ଲାଇନ୍ ସହରର ବହୁ ଘରକୁ ସଂଯୋଗ କରାଯାଇଛି । ବିଏମ୍ସି ଅଧିନ ସମସ୍ତ ୱାର୍ଡକୁ ପାଇପ୍ ଲାଇନ୍ ବିଛା ଯାଇଛି । କିନ୍ତୁ ଏବେ ମଧ୍ୟ ପିଇବା ପାଣି ସମସ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ । ବିଏମ୍ସି ହତା ମଧ୍ୟରେ କିଛି ପାଇପ୍ ପଏଣ୍ଟ ରହିଛି । କିନ୍ତୁ କିଛି ପଏଣ୍ଟରେ ପାଣି ଆସୁଥିବା ବେଳେ କିଛି ପଏଣ୍ଟରେ ଆସୁନାହିଁ । ବାହାରୁ ଆସୁଥିବା ଲୋକ ପିଇବା ପାଇଁ ପାଣି ପାଉନଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଛି ।
ଡେପୁଟି କମିଶନର ଆଶୁତୋଷ ସାମଲଙ୍କୁ ପଚାରିବାରେ କହିଛନ୍ତି ଯେ ବିଏମ୍ସି କାର୍ଯ୍ୟାଳୟରେ ପାଣି ଅଭାବ ନାହିଁ । ପାଇପ୍ ସଂଯୋଗ ରହିଛି । କେତେକ ସେକ୍ସନ୍ରେ ପାଣି ପଏଣ୍ଟ ଦିଆଯାଇଛି । ବିଏମ୍ସି ଆକ୍ୱାଗାର୍ଡ ଲଗାଇପାରିବ । କିନ୍ତୁ ଏସ୍ଏଚ୍ଜିକୁ ପ୍ରୋତ୍ସାହନ ଦେବାକୁ ପାଣି କିଣା ଯାଉଛି । ପିଇବା ପାଣି ପ୍ରସ୍ତୁତି ୟୁନିଟ କରିବାକୁ କିଛି ଏସ୍ଏଚ୍ଜିକୁ ପ୍ରୋତ୍ସାହିତ କରାଯାଇଥିଲା । ପ୍ରଗତି ଏସ୍ଏଚ୍ଜି ଏହି କାମ ଆରମ୍ଭ କରିବା ପରେ ବିଏମ୍ସି ପ୍ରଥମ ଗ୍ରାହକ ଭାବେ ପାଣି କିଣିଛି । ଏସ୍ଏଚ୍ଜିକୁ ପ୍ରୋତ୍ସାହନ ଯୋଗାଇବା ପାଇଁ ପାଣି କିଣାଯାଉଛି । ପ୍ରଗତି ଏସ୍ଏଚ୍ଜିକୁ ଜୀବିକା ମିଶନ ଜରିଆରେ ୨୦୧୮ରେ ପାଣି ପ୍ରସ୍ତୁତି ୟୁନିଟ୍ କରିବାକୁ ୮ ଲକ୍ଷ ଟଙ୍କା ବ୍ୟାଙ୍କ୍ ଋଣ ଆଣିଥିବା ଏସ୍ଏଚ୍ଜି ସମ୍ପାଦିକା ଅନିତା ମହାନ୍ତି କହିଛନ୍ତି । ଏବେ ସେ ୫୦ ଗ୍ରାହକଙ୍କୁ ବ୍ୟାରେଲ୍ ପାଣି ଯୋଗାଣ କରୁଛନ୍ତି । ବିଏମ୍ସି କାର୍ଯ୍ୟାଳୟ ସମେତ ଭ୍ୟାକସିନ୍ ସେଣ୍ଟର ଓ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେଲେ ପାଣି ଯୋଗାଣ କରୁଥିବା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons