ବିକାଶ ଏବଂ ସେବା ପାଇଁ ସରକାର ସଂକଳ୍ପବଦ୍ଧ

Get real time updates directly on you device, subscribe now.

ବଲାଙ୍ଗିର,(ଗୁପ୍ତେଶ୍ୱର ପୁଷ୍ଟିଙ୍କଠାରୁ): ‘ରାଜ୍ୟବାସୀଙ୍କ ପ୍ରତିଟି ଜୀବନ ଗୁରୁତ୍ୱପୂର୍ଣ୍ଣ ଅଟେ । ତେଣୁ ଚିକିତ୍ସା ପାଇଁ କେହି ଯେମିତି ଅର୍ଥାଭାବ ଯୋଗୁଁ ସେବା ପାଇବାରୁ ବଞ୍ଚିତ ନ ହୁଅନ୍ତୁ । ଚିକିତ୍ସାରେ ଆବଶ୍ୟକ ଟଙ୍କା ପାଇଁ ଘର, ଜମି ବନ୍ଧକ ଦେଇ ଋଣ ନ ଆଣନ୍ତୁ । ସେଥିପାଇଁ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଏବେ ସ୍ମାର୍ଟକାର୍ଡରେ ରୂପାନ୍ତରଣ କରାଯାଇଛି । ଅର୍ଥାଭାବ ଯେଭଳି ଚିକିତ୍ସା ପାଇବାରୁ କାହାକୁ ବଞ୍ଚିତ ନକରୁ, ଏହା ହିଁ ମୂଳଲକ୍ଷ୍ୟ ଅଟେ । ସମସ୍ତେ ସୁସ୍ଥ ରହିଲେ ହିଁ ସବୁଠି ପ୍ରଗତି ଆସିିବ । ତେଣୁ ରାଜ୍ୟର ବିକାଶ ଏବଂ ରାଜ୍ୟବାସୀଙ୍କ ସେବା ପାଇଁ ସରକାର ସଂକଳ୍ପବଦ୍ଧ’ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟିଟିଲାଗଡ଼, ପାଟଣାଗଡ଼ ଏବଂ ବଲାଙ୍ଗିର ଗସ୍ତରେ ଆସି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରି ଏହା କହିଛନ୍ତି । ଏ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ପ୍ରାୟ ୮୦୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ସହ ଭିତ୍ତିପ୍ରସ୍ତର ଦେଇଛନ୍ତି । ଟିଟିଲାଗଡ଼ରେ ଜିଲ୍ଲାର ପ୍ରଥମ ହିତାଧିକାରୀ ଭାବରେ ସରୋଜିନୀ ବହିଦାରଙ୍କୁ ସ୍ମାର୍ଟ ହେଲ୍ଥ କାର୍ଡ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ବଲାଙ୍ଗିରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ସ୍ମାର୍ଟ କାର୍ଡ ବ୍ୟବସ୍ଥା ସାଧାରଣ ଲୋକଙ୍କ ଚିକିତ୍ସା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବ । ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହେବ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନୂଆ ରୂପରେ କାର୍ଯ୍ୟକାରୀ କରାଯାଇ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଯୋଡ଼ା ଯାଇଛି । ଏଭଳି ବ୍ୟବସ୍ଥା ଆପଣେଇବାରେ ଓଡ଼ିଶା ସାରା ଦେଶର ଏକମାତ୍ର ରାଜ୍ୟ ଅଟେ । ରାଜ୍ୟରେ ୯୬ ଲକ୍ଷ ପରିବାର ଏହି ସୁବିଧା ପାଉଥିବା ବେଳେ ବଲାଙ୍ଗିର ଜିଲ୍ଲାର ସାଢେ଼ ଚାରି ଲକ୍ଷ ପରିବାର ଏହି ସୁବିଧା ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବିନା କୌଣସି ପ୍ରମାଣପତ୍ରରେ କେବଳ କାର୍ଡଟିକୁ ନେଇ ଦେଶର ୨୦୦ଟି ବଡ଼ ହସ୍ପିଟାଲରେ ମାଗଣା ଗୁଣାତ୍ମକ ଚିକିତ୍ସା ମିଳିବ । ପରିବାର ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ଏବଂ ମହିଳାମାନଙ୍କ ପାଇଁ ଏଥିରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ ଆଜି ପ୍ରଥମେ ଟିଟିଲାଗଡ଼ ଗସ୍ତ କରି ସେଠାରେ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହ ଅନେକ ନୂଆ ପ୍ରକଳ୍ପ ଆରମ୍ଭ କରିଥିଲେ । ଟିଟିଲାଗଡ଼-ସଇଁତଳା ବ୍ଲକରେ ପାନୀୟ ଜଳ ପ୍ରକଳ୍ପର ଉଦ୍ଘାଟନ କରିଥିବା ବେଳେ ଟିଟିଲାଗଡ଼ ସହରକୁ ପାଇପ୍ ପାଣି ପ୍ରକଳ୍ପର ଭିତ୍ତିପ୍ରସ୍ତର ରଖିଥିଲେ । ସେଠାରୁ ପାଟଣାଗଡ଼ ଯାଇ ସେଠାରେ ମଧ୍ୟ କାର୍ଡ ବଣ୍ଟନ ଏବଂ ହରିଶଙ୍କର ପୀଠର ବିକାଶ ପାଇଁ ଭିତ୍ତିପ୍ରସ୍ତର ଏବଂ ଅନ୍ୟାନ୍ୟ ପ୍ରକଳ୍ପର ଉଦ୍ଘାଟନ କରିଥିଲେ । ହରିଶଙ୍କର ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପର୍ଯ୍ୟଟନ କ୍ଷେତ୍ର ଅଟେ । ପର୍ଯ୍ୟଟକଙ୍କୁ ଏକ ସୁନ୍ଦର, ଆଧ୍ୟାତ୍ମିକ ଅନୁଭୂତି ଦେବା ପାଇଁ ୫-ଟି କାର୍ଯ୍ୟକ୍ରମରେ ଏହାର ବିକାଶ କରାଯାଉଛି । ଏହାଦ୍ୱାରା ଅଞ୍ଚଳର ଧାର୍ମିକ ଓ ସାଂସ୍କୃତିକ ପରମ୍ପରାର ପ୍ରଚାର ପ୍ରସାର ହେବ ବୋଲି ସେ କହିଥିଲେ । ଶେଷରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଗସ୍ତ କରି ସେଠାରେ ମଧ୍ୟ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଶିକ୍ଷା ଓ ସ୍ୱାସ୍ଥ୍ୟ ହେଉଛି ବିକାଶର ମୂଳଦୂଆ । ସେଥିପାଇଁ ୫-ଟି କାର୍ଯ୍ୟକ୍ରମରେ ଏହି ଦୁଇଟି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ୫-ଟିରେ ରାଜ୍ୟର ସ୍କୁଲ୍ଗୁଡ଼ିକର ରୂପାନ୍ତର କରାଯାଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୦୭୨ଟି ସ୍କୁଲର ରୂପାନ୍ତର କରାଯାଉଛି ବୋଲି ସେ କହିଥିଲେ । ସନ୍ଥ ଭୀମଭୋଇ ମେଡିକାଲ୍ କଲେଜ ପରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜିଲ୍ଲାର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ଅନୁÂାନ ଅଟେ । ଏହାକୁ ଏକ ଆଦର୍ଶ ବିଶ୍ୱବିଦ୍ୟାଳୟ ରୂପେ ଗଢ଼ିତୋଳିବା ପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ରାଜ୍ୟର ବିକାଶରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ସହଯୋଗ କାମନା କରି ଏହାଦ୍ୱାରା ବିକାଶ ଓ ସେବା ପାଇଁ ତାଙ୍କର ସଂକଳ୍ପ ଆହୁରି ମଜବୁତ୍ ହେବ ବୋଲି ପ୍ରକାଶ କରିଥିଲେ । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ୨୦୦ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିବା ସହିତ ୫୯୭ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପାଟଣାଗଡ଼ରେ ମୁଖ୍ୟମନ୍ତ୍ରୀ ହରିଶଙ୍କର ପୀଠର ବିକାଶ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ରଖିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମନ୍ତ୍ରୀ ନିରଞ୍ଚନ ପୂଜାରୀ, ମନ୍ତ୍ରୀ ପଦ୍ମନାଭ ବେହେରା, ମନ୍ତ୍ରୀ ସୁଶାନ୍ତ ସିଂ, ମନ୍ତ୍ରୀ ନବ ଦାସ, ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ସାଂସଦ ସଙ୍ଗୀତା ସିଂହଦେଓ, ବିଧାୟକ ନରସିଂହ ମିଶ୍ର, ବିଧାୟକ ସରୋଜ ମେହେର, ବିଧାୟକ ସନ୍ତୋଷ ସିଂ ସାଲୁଜା, ବିଧାୟକ ମୁକେଶ ମହାଲିଙ୍ଗ, ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏବଂ ଅନେକ ବରିÂ ନେତୃବୃନ୍ଦ ଯୋଗଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons