ବିଜୁସେତୁ ଓ ଆପ୍ରୋଚ ରାସ୍ତା ନିମ୍ନମାନର

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କଠାରୁ): ବିଜୁସେତୁ ଓ ଆପ୍ରୋଚ ରାସ୍ତା କାମ ହୋଇଛି ନିମ୍ନମାନର । ଚିପ୍ସସବୁ ଉଠିଗଲାଣି । ରାସ୍ତାକୁ ଠିକ୍ଭାବେ ସମତଳ କରାଯାଇନଥିବାରୁ ଖାଲ ଢିପରେ ଭର୍ତ୍ତି ହୋଇଯାଇଛି । ଗାଡିଗୁଡିକ ଡେଇଁଡେଇଁ ଯିବାଆସିବା କରୁଛି । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଆଉଁଳି-ଢେପଗୁଡା ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହାକୁ ନେଇ ଗ୍ରାମବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେ୍ଧଶ୍ୟରେ ଚିଠି ଲେଖି ଡାକ ଜରିଆରେ ପଠାଇଛନ୍ତି । ଖାଲି ଏତିକି ନୁହେଁ, ଗାର୍ଡୱାଲ୍ କାମ ମଧ୍ୟ ନିମ୍ନମାନ ହୋଇଥିବା ଚିଠିରେ ଦର୍ଶାଯାଇଛି । ବିଭାଗୀୟ ଅଧିକାରୀଙ୍କୁ ଗୁହାରି କରି ସୁଫଳ ନପାଇବାରୁ ଲୋକେ ଏହି ପଦକ୍ଷେପ ନେଇଛନ୍ତି ।
ଚିଠିରେ ଉଲ୍ଲେଖ ରହିଛି, ଆଉଳି ଓ ଢେପଗୁଡା ମୈଦଲପୁର ପଞ୍ଚାୟତ ଅଧୀନରେ ରହିଛି । ଦୁଇ ଗାଁ ମଝିରେ ଏକ ନାଳ ରହିଛି । ନାଳଯୋଗୁ ବର୍ଷାଦିନେ ଦୁଇ ଗାଁ ପରସ୍ପରଠୁ ବିଚ୍ଛିନ୍ନ ହୋଇପଡୁଥିଲେ । ସମସ୍ୟା ଦଶନ୍ଧି ଦଶନ୍ଧି ଧରି ଲାଗି ରହିଥିଲା । ସମସ୍ୟା ଦୂର କରିବାକୁ ରାଜ୍ୟ ସରକାର ୧ କୋଟି ୫୦ ଲକ୍ଷ ୨୩ ହଜାର ୨୫୫ ଟଙ୍କାରେ ବିଜୁସେତୁ ଓ ପ୍ରାୟ ୭ ଶହ ମିଟର ପିଚୁରାସ୍ତାକୁ ମଞ୍ଜୁର କରିଥିଲେ । ୨୦୧୯ରେ କାର୍ଯ୍ୟ ଆରମ୍ଭ ହୋଇ ୨୦୨୦ରେ ଶେଷ ହୋଇଥିଲା । ସେତୁ ଓ ରାସ୍ତା କାମବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗର କୌଣସି ଯନ୍ତ୍ରୀଙ୍କ ଦେଖା ମିଳି ନଥିଲା । ଖୋଦ୍ ଠିକାଦାର ମଧ୍ୟ ଅନୁପସ୍ଥିତ ରହୁଥିଲେ । କେବଳ ମେଟ୍ଙ୍କ ଉପରେ କାମ ଛାଡି ଦିଆଯାଇଥିଲା । ସେତୁର ଗାର୍ଡୱାଲକୁ ଚିପ୍ସରେ କରିବା ବଦଳରେ ମେଟାଲରେ କରାଯାଇଥିଲା । ସେତୁ ପାଇଁ କମ୍ ଗଭୀର ପର୍ଯ୍ୟନ୍ତ ଖୋଳାଯାଇଥିଲା । ଫାଉଣ୍ଡେସନ୍ କାମକୁ କେବଳ ବାଲି ଭରି କରାଯାଇଥିଲା । ସେତୁର ଆପ୍ରୋଚ ରାସ୍ତା ମଧ୍ୟ ନିମ୍ନମାନର କରାଯାଇଥିଲା । ଏବେ ରାସ୍ତା ଉପରେ ପିଚୁ ଓ ଚିପ୍ସସବୁ ଉଠିଗଲାଣି । ଖାଲଢିପରେ ଭର୍ତ୍ତି ହୋଇଗଲାଣି । ଏଣୁ ଲୋକେ ଏଥିଯୋଗୁ ପ୍ରତିଦିନ ନାନା ଅସୁବିଧାରେ ପଡୁଛନ୍ତି । ଏପରିସ୍ଥଳେ, ଏହାର ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନେବା ଜରୁରି ହୋଇପଡିଛି । ଅନ୍ୟପକ୍ଷରେ, ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍ଡିଓ ସୁନୀଲ କୁମାର ବେହେରା ଗ୍ରାମବାସୀଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି । କେବଳ ପିଚୁରାସ୍ତାରେ କୌଣସି ଅସୁବିଧା ଥିଲେ ମରାମତି କରାଯିବ ବୋଲି କହିଛନ୍ତି । ଦୁଇବର୍ଷ ପାଇଁ ମରାମତି ଦାୟିତ୍ୱ ଠିକାଦାରଙ୍କର ବୋଲି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons