ବିଧାୟକଙ୍କ ଗାଡ଼ିକୁ ବୋମାମାଡ଼ ଘଟଣା : ଅଭିଯୁକ୍ତ ଚିହ୍ନଟ, ଗିରଫ ଖୁବଶୀଘ୍ର: ଡିଆଇଜି

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ): କେନ୍ଦୁଝର ସଦର ବିଧାୟକ ତଥା ବିଜେପି ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କୁ ହତ୍ୟା ଉଦ୍ୟମ କରି ତାଙ୍କ ଗାଡି ଉପରକୁ ବୋମାମାଡ଼ ରବିବାର ହୋଇଥିଲା । ଏହି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ରାଜନୈତିକ ଉଷ୍ଣତା ଦେଖାଦେଇଥିଲା । ତେବେ ଘଟଣାର ୪ଦିନ ବିତିବାକୁ ବସିଥିବା ସମୟରେ ବୁଧବାର ପଶ୍ଚିମାଞ୍ଚଳ ଡିଆଇଜି ଜୟନାରାୟଣ ପଙ୍କଜ କେନ୍ଦୁଝରରେ ପହଞ୍ଚିଛନ୍ତି । ଡିଆଇଜି ବୋମାମାଡ଼ ହୋଇଥିବା ସ୍ଥାନ ପରିଦର୍ଶନ କରିବା ପରେ ତଦନ୍ତ ପ୍ରକ୍ରିୟା ପରଖିଛନ୍ତି । ବୈଷୟିକ ଜ୍ଞାନକୁ ଆଧାର କରି ତଦନ୍ତ ଜାରି ରହିଥିବା ସମୟରେ ୨ ଅପରାଧିକୁ ପୁଲିସ ଚିହ୍ନଟ କରି ସାରିଥିବା ସୂଚନା ଦେଇଛନ୍ତି । ଅଭିଯୁକ୍ତମାନେ ଫେରାର ରହିଥିବାରୁ ଖୁବ୍ଶୀଘ୍ର ଗିରଫ ହେବେ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି ।
କେନ୍ଦୁଝରରେ ପ୍ରଥମଥର ପାଇଁ ଜଣେ ବିଧାୟକଙ୍କ ଉପରକୁ ବୋମାମାଡ଼ ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ରାଜ୍ୟର ମୁଖ୍ୟ ବିରୋଧ ଦଳ କୁହାଯାଉଥିବା ବିଜେପି ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଗାଡିକୁ ବୋମାମାଡ଼ ହେବା ପରେ ରାଜ୍ୟର ବିଜେପି ବିଧାୟକମାନେ ଶାସକଦଳକୁ କଡା ସମାଲୋଚନା କରିଥିଲେ । ଏହାସହିତ ପୁଲିସର କାର୍ଯ୍ୟଦକ୍ଷତା ପ୍ରତି ମଧ୍ୟ ପ୍ରଶ୍ନ ଉଠାଇଥିଲେ । ଅପରାଧୀକୁ ଧରିବା ପାଇଁ ପୁଲିସ ଉପରେ ଚାପ ପଡିଥିଲା ।
ପୁଲିସ ମଧ୍ୟ ବୋମାମାଡ଼ ଘଟଣାର ସତ୍ୟ ଉନ୍ମୋଚନ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଥିଲା । ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବା ପରେ ସହରରେ ଲାଗିଥିବା ସିସି କ୍ୟାମେରା ସହିତ କେତେକ ବ୍ୟବସାୟିକ ଅନୁÂାନର ସିସିକ୍ୟାମେରାକୁ ଅନୁଧ୍ୟାନ କରି ଅପରାଧୀ ନିକଟରେ ପହଞ୍ଚିବା ପାଇଁ ପ୍ରୟାସ କରିଥିଲା । ଶେଷରେ ଅପରାଧୀ ବ୍ୟବହାର କରୁଥିବା ଗାଡିକୁ ଚିହ୍ନଟ କରାଯାଇଥିଲା । ବିଧାୟକ ଏତଲାରେ ଦେଇଥିବା ଗାଡି ନମ୍ବର ଓ ଅପରାଧୀ ବ୍ୟବହାର କରୁଥିବା ବାଇକ୍ ନମ୍ବରରେ ସାମଞ୍ଜସ୍ୟ ରହୁଥିବାରୁ ପ୍ରାଥମିକ ତଦନ୍ତରେ ବାଧା ଉପୁଜିଥିଲା । ସିସି କ୍ୟାମେରାକୁ ଭିତ୍ତି କରି ପୁଲିସ ଅପରାଧୀକୁ ଚିହ୍ନଟ୍ କରିଥିବା ଜଣାପଡିଛି ।
ଅନ୍ୟପକ୍ଷରେ ଡିଆଇଜି ପଙ୍କଜ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବାଇକ୍ରେ ଦୁଇଜଣ ଯୁବକ ବୋମାମାଡ଼ ଘଟଣାରେ ସମ୍ପୃକ୍ତ । ବାଇକ୍ ଚାଳକକୁ ଚିହ୍ନଟ୍ କରାଯାଇ ସାରିଥିବା ବେଳେ ଅନେକ ପ୍ରମାଣ ପୁଲିସର ହସ୍ତଗତ ହୋଇସାରିଛି । ପଛରେ ବୋମା ଧରି ବସିଥିବା ଯୁବକକୁ ଚିହ୍ନଟ୍ ପାଇଁ ବିଳମ୍ବ ହୋଇଥିଲା । ପରବର୍ତ୍ତୀ ସମୟରେ ବୋମାମାଡ଼ କରିଥିବା ଯୁବକ ସମ୍ପର୍କରେ ମଧ୍ୟ ସୂଚନା ପୁଲିସକୁ ମିଳିସାରିଛି । ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତମାନେ ଧରାପଡିବେ ବୋଲି ଡିଆଇଜି କହିଛନ୍ତି । କେନ୍ଦୁଝର ଏସ୍ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ ଚାଲିଥିବା ସେ କହିବା ସହିତ ଖୁବଶୀଘ୍ର ଏହାର ପର୍ଦ୍ଧାଫାସ ହେବ ବୋଲି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons