ବିଧାୟକ ପ୍ରଦୀପ ପାଣିଗ୍ରାହୀ, ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢ଼ଉ

Get real time updates directly on you device, subscribe now.

ବ୍ରହ୍ମପୁର,(ବି.ବି.ବୁ୍ୟରୋ): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ । ମାତ୍ର ୧୦ ବର୍ଷରେ ସେ କୋଟି କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତ୍ତିର ମାଲିକ ହୋଇଥିବା ଅଭିଯୋଗ ପରେ ରାଜ୍ୟ ଭିଜିଲାନ୍ସ ବିଭାଗର ୧୫ଟି ଟିମ୍ ଆଜି ବ୍ରହ୍ମପୁରର ଏକାଥରକେ ଏକାଧିକ ସ୍ଥାନରେ ଚଢ଼ଉ କରିଛି । ଆଜି ଭୋର୍ ଭିଜିଲାନ୍ସ ଟିମ୍ ପ୍ରଥମେ ପ୍ରଦୀପ ପାଣିଗ୍ରାହୀଙ୍କ କୋର୍ଟପେଟା ଛକ ସ୍ଥିତ ବାସଭବନକୁ ଯାଇ ଛାନ୍ଭିନ୍ କରିଥିଲା । ଭିଜିଲାନ୍ସର ଅନ୍ୟ ଟିମ୍ ତାଙ୍କ ସହଯୋଗୀ ଏବଂ ପରାମର୍ଶଦାତାଙ୍କ ଘରେ ଚଢ଼ଉ କରିବା ସହ ଖୋଳତାଡ଼ କରିଛି ।
ଭିଜିଲାନ୍ସର ୧୫ ଜଣିଆ ଟିମ୍ ବ୍ରହ୍ମପୁର ସହରରେ ପ୍ରବେଶ କରିବା ମାତ୍ରେ ବ୍ରହ୍ମପୁର ପୁଲିସ ପକ୍ଷରୁ ମଧ୍ୟ ସେମାନଙ୍କୁ ସହଯୋଗ କରିବା ପାଇଁ ଏକ ଟିମ୍ ପ୍ରସ୍ତୁତ ହୋଇ ରହିଥିଲା । କାଳେ କିଛି ଅଘଟଣ ହୋଇପାରେ ଏହାକୁ ନେଇ ୩ ପ୍ଲାଟୁନ୍ ପୁଲିସ ମଧ୍ୟ ପ୍ରସ୍ତୁତ ହୋଇ ରହିଥିଲେ । ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ ହୋଇଥିଲେ ମଧ୍ୟ ତାଙ୍କର କିଛି ସମର୍ଥକ ରହିଛନ୍ତି । ଯାହାଫଳରେ ପ୍ରଦୀପଙ୍କ ଘରେ ଭିଜିଲାନ୍ସ ଚଢ଼ଉ ସମୟରେ କିଛି ଅଘଟଣ ଘଟିବା ଆଶଙ୍କା କରି ପୁଲିସ ମଧ୍ୟ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲା । ଭିଜିଲାନ୍ସ ଟିମ୍ ସହ କିଛି ସ୍ଥାନୀୟ ପୁଲିସ କର୍ମଚାରୀଙ୍କୁ ଦେଖିବାକୁ ମିଳିଥିଲା । ପ୍ରଦୀପଙ୍କ ମୁଖ୍ୟ ସହଯୋଗୀ କୁହାଯାଉଥିବା ତାଙ୍କ ପରାମର୍ଶଦାତା ସର୍ବେଶ୍ୱର ରାଓଙ୍କ ବିଦ୍ୟାନଗର ସ୍ଥିତ ବାସଭବନରେ ଚଢ଼ଉ ହୋଇଥିଲା । କଟକରୁ ଆସିଥିବା ଏକ୍ ଟିମ୍ ଘର ଭିତରୁ ତାଲା ପକାଇ ପ୍ରାୟ ୫ ଘଣ୍ଟା ଧରି ଚଢ଼ଉ ଜାରି ରଖିଥିଲେ । ସର୍ବେଶ୍ୱରଙ୍କ ଘରୁ ବହୁ ମୂଲ୍ୟବାନ କାଗଜପତ୍ର ସହ ଅନେକ ତଥ୍ୟ ମିଳିଥିବା ଅନୁମାନ କରାଯାଉଛି ।
ଅନ୍ୟ ଏକ ଟିମ୍ ପ୍ରଦୀପଙ୍କ କୋର୍ଟପେଟା ଛକ ବାସଭବନରେ ପ୍ରାୟ ୫ ଘଣ୍ଟା ଧରି ଚଢ଼ଉ ଜାରି ରଖିଥିଲେ । ସେହିପରି ଆସିକା ରୋଡ଼ ଅଞ୍ଚଳରେ ଥିବା ଜଣେ ବ୍ୟବସାୟୀଙ୍କ ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିଲେ । ଛତ୍ରପୁର ନିକଟ ରଘୁନାଥପୁର ଗ୍ରାମରେ ଥିବା ସୂର୍ଯ୍ୟ ସାହୁଙ୍କ ଘର ଏବଂ ଫାର୍ମ ହାଉସ୍ରେ ଚଢ଼ଉ କରିଥିଲା ଭିଜିଲାନ୍ସ ଟିମ୍ । ବଡ଼କୁଶସ୍ଥଳୀ ଗ୍ରାମରେ ରହୁଥିବା ସିଟି କଲେଜର ପୂର୍ବତନ ଅଧ୍ୟକ୍ଷ କୁମ୍ବପାଣି ସାହୁଙ୍କ ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢ଼ଉ ଜାରି ରଖିଛନ୍ତି । ସୂଚନାଯୋଗ୍ୟ ଯେ, କ୍ରାଇମ୍ବ୍ରାଞ୍ଚର ତଦନ୍ତ ସମୟରେ କମ୍ବୁପାଣି ସାହୁ ଓ ପ୍ରଦୀପ ପାଣିଗ୍ରାହୀଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ଟଙ୍କା ନେଣଦେଣ ହୋଇଥିଲା । କମ୍ବୁପାଣି ସାହୁଙ୍କ ପୁତୁରା ହରେକୃଷ୍ଣ ସାହୁଙ୍କୁ ମଧ୍ୟ ଜେରା ହୋଇଥିବା ବେଳେ ତାଙ୍କ ମୋବାଇଲ୍ ଫୋନ୍କୁ ମଧ୍ୟ ଭିଜିଲାନ୍ସ ଟିମ୍ ତନ୍ନତନ୍ନ କରି ଯାଞ୍ଚ କରିଥିଲା । ସେଠାରୁ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ଟିମ୍ ଜବତ କରିଛି । ପ୍ରଦୀପଙ୍କ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ମାଣ୍ଡିଆପଲ୍ଲୀ ଗ୍ରାମରେ ରହୁଥିବା ପ୍ରଶାନ୍ତ କୁମାର ପାଣିଗ୍ରାହୀଙ୍କ ଘର ଉପରେ ମଧ୍ୟ ଉକ୍ତ ଟିମ୍ ଚଢ଼ାଉ କରିଥିଲା । ସେହିପରି ବ୍ରହ୍ମପୁର ସହର ଉପକଣ୍ଠ ଲାଞ୍ଜିପଲ୍ଲୀ ଅଞ୍ଚଳ ଗଣେଶ ନଗର ଅଞ୍ଚଳରେ ରହୁଥିବା ଅନ୍ୟଜଣେ ଡ୍ରାଇଭର ଉଜ୍ୱଳ ପାଣିଗ୍ରାହୀଙ୍କର ଘରେ ମଧ୍ୟ ଭିଜିଲାନ୍ସ ଚଢ଼ଉ କରିଛି । ସେଠାରୁ କଣ ଜବତ ହୋଇଛି ସେନେଇ ଟିମ୍ କିଛି ସ୍ପଷ୍ଟ ସୂଚନା ଦେଇନାହିଁ । ଡ୍ରାଇଭର ଉଜ୍ୱଳ କହିଛନ୍ତି ଯୋଉଠି ଚଢ଼ଉ ହେବା କଥା ସେଠାରେ ହେଉ । ନରେନ୍ଦ୍ରପୁର ଗ୍ରାମରେ ରହୁଥିବା କମ୍ବୁପାଣିଙ୍କ ସହଯୋଗୀ ମଦନ ପାଣିଗ୍ରାହୀଙ୍କ ଘର ଉପରେ ମଧ୍ୟ ଚଢ଼ାଉ ହୋଇଥିଲା । ଭିଜିଲାନ୍ସ ଟିମ୍ ପ୍ରଦୀପଙ୍କ ସମ୍ପତ୍ତିର ତାଲିକା ଖୋଜିବାକୁ ପ୍ରୟାସ ଜାରି ରଖିଛି । ଭୋର୍ରୁ ବ୍ରହ୍ମପୁରରେ ପହଞ୍ଚି ଥିବା ସ୍ୱତନ୍ତ୍ର ଭିଜିଲାନ୍ସ ଟିମ୍ ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରଖିଛି । ସନ୍ଧ୍ୟା ପର୍ଯ୍ୟନ୍ତ ଭିଜିଲାନ୍ସ କୌଣସି ପ୍ରକାରେ ସୂଚନା ଦେଇନାହିଁ । ତେବେ ଭିଜିଲାନ୍ସ ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଥିବା ଜଣାପଡିଛି ।
ଡିଏସ୍ପି ଅନୁପମା ମହାପାତ୍ରଙ୍କ ନେତୃତ୍ୱରେ ୪ଜଣିଆ ଟିମ୍ ପ୍ରଦୀପ ପାଣିଗ୍ରାହୀଙ୍କ ଡ୍ରାଇଭର ପ୍ରଶାନ୍ତ କୁମାର ପାଣିଗ୍ରାହୀଙ୍କ ମାଣ୍ଡିଆପଲ୍ଲୀ ବାସଭବନରେ ଚଢ଼ଉ କରିଥିଲା । ଦୀର୍ଘ ୧୨ ଘଣ୍ଟା ତଦନ୍ତ ପରେ ସମସ୍ତ ବ୍ୟାଙ୍କ୍ ଆକାଉଣ୍ଟ, ଦୁଇ ବଖରା ଘରର ନଥିପତ୍ର ଓ ଆସବାବର ଜିନିଷପତ୍ର ଯାଞ୍ଚ କରିଥିଲେ । ନଗଦ ୧୨୦୦ ଟଙ୍କା ମିଳିଥିବା ବେଳେ ପ୍ରଦୀପ ପାଣିଗ୍ରାହୀଙ୍କ ଆୟବହିର୍ଭୂତ ସମ୍ପତ୍ତି ସହ ଲିଙ୍କ୍ ନେଇ କୌଣସି ସୂଚନା ଦେଇନାହାନ୍ତି । ଆବଶ୍ୟକ ହେଲେ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବେ ବୋଲି ପ୍ରଶାନ୍ତ ପାଣିଗ୍ରାହୀ କହିଛନ୍ତି ।
ଭିଜିଲାନ୍ସ ଟିମ୍ ଚଢ଼ଉ କରିବା ପୂର୍ବରୁ ଗୁପ୍ତରେ ଯାଞ୍ଚ କରିଥିଲା ବିଧାୟକ ପ୍ରଦୀପ ପାଣିଗ୍ରାହିଙ୍କ ଆୟ ବହିର୍ଭୂତ ସମ୍ପତ୍ତି । ଯାଞ୍ଚ ସମୟରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଠୋସ୍ ପ୍ରମାଣ ମିଳିଥିଲା । ଏହାକୁ ଆଧାର କରି ୨୦୨୦ ଡିସେମ୍ବର ୯ରେ ଭୁବନେଶ୍ୱର ଲୋକାୟୁକ୍ତରେ ଅଭିଯୋଗ ୧୩୪୮/୨୦୨୦ ମାମଲା ରୁଜୁ ହୋଇଥିଲା । ଦୁର୍ନୀତି ଉପାୟରେ ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହିଙ୍କ ବିରୋଧରେ ତଦନ୍ତ କରିବାକୁ ଲୋକାୟୁକ୍ତ ୨୦୨୦ ଡିସେମ୍ବର ୧୧ରେ ଭିଜିଲାନ୍ସ ଅନୁସନ୍ଧାନ କରିବାକୁ ନିଦେ୍ର୍ଧଶ ଦେଇଥିଲେ । ତଦନୁଯାୟୀ, ଭିଜିଲାନ୍ସ ବିଭାଗ ଅନୁସନ୍ଧାନ କରିଥିଲା । ୨୪.୦୫.୨୦୦୯ରୁ ୩୦.୧୧.୨୦୨୦ ମଧ୍ୟରେ ବିଧାୟକ ପାଣିଗ୍ରାହୀ ଜନପ୍ରତିନିଧି ଥାଇ ବେନିୟମ ଭାବେ ବିତ୍ତଶାଳୀ ହୋଇ ୫ କୋଟି ୫ ଲକ୍ଷ ୪ ହଜାର ୬୫୬ ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଜଣାପଡ଼ିଥିଲା । ଏହି ରିପୋର୍ଟ ୨୦୨୧ ମଇ ୨୮ରେ ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରାଯାଇଥିଲା । ଏହି ତଦନ୍ତ ରିପୋର୍ଟ ଓ ବିଧାୟକ ପାଣିଗ୍ରାହୀଙ୍କ ଜବାବ ଗୁରୁତ୍ୱସହ ପରୀକ୍ଷା କରିବା ପରେ ଅଭିଯୋଗ ପ୍ରମାଣଯୋଗ୍ୟ ହୋଇଥିବାରୁ ଦୁର୍ନୀତି ନିବାରଣ ଆଇନ ଧାରା ୧୩(୨) ଓ ୧୩(୧)(ବି) ଅନୁସାରେ ତଦନ୍ତ କରିବାକୁ ଓଡ଼ିଶା ଭିଜିଲାନ୍ସକୁ ନିଦେ୍ର୍ଧଶ ଦେଇଥିଲେ । ଭିଜିଲାନ୍ସ ମାମଲା ୬/୪.୧୦.୨୧ ରୁଜୁ କରି ଲୋକାୟୁକ୍ତଙ୍କ ତଲାସୀ ନିଦେ୍ର୍ଧଶନାମା ବଳରେ ଆଜି ବିଧାୟକ ଓ ତାଙ୍କର ସହଯୋଗୀଙ୍କ ୧୫ଟି ସ୍ଥାନରେ ଚଢ଼ଉ କରାଯାଇଛି । ଜଣେ ଏସ୍ପି, ୨ ଜଣ ଅତିରିକ୍ତ ଏସ୍ପି, ୧୭ ଜଣ ଡିଏସ୍ପି ଓ ଅନ୍ୟ ଟିମ୍ ସଦସ୍ୟଙ୍କୁ ନେଇ ଏହି ସର୍ଚ୍ଚ ଅପରେସନ୍ ଅନୁÂିତ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons