ବ୍ୟବସାୟୀଙ୍କୁ ହତ୍ୟା ଘଟଣାର ପର୍ଦ୍ଧାଫାସ

Get real time updates directly on you device, subscribe now.

କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କଠାରୁ): କୋରାପୁଟ ଜିଲ୍ଲା ସୁନାବେଡ଼ାରେ ଗତ ଶନିବାର ବ୍ୟବସାୟୀ ଦୟା ବାଘଙ୍କୁ କେହି ହତ୍ୟା କରିଥିଲା । ଏହାର ତଦନ୍ତ କରି ସୁନାବେଡା ପୁଲିସ ପର୍ଦ୍ଧାଫାସ କରିଛି । ମୁଖ୍ୟ ଅଭିଯୁକ୍ତ ଯୁଗଳକିଶୋର ଜେନା(୬୦)ଙ୍କୁ ଆଜି ଗିରଫ କରାଯିବା ସହ ରକ୍ତଭିଜା ସାର୍ଟ ଜବତ କରିଛି । ଅଭିଯୁକ୍ତ ହତ୍ୟାର ଡେ଼ମୋ (ପ୍ରଦର୍ଶନ)ଦେଖାଇଥିଲେ । ଏହା ପରେ ତାଙ୍କୁ କୋରାପୁଟ କୋର୍ଟ ଚାଲଣ କରାଯାଇଥିଲା । ଜାମିନ ନାମଞ୍ଜୁର ପରେ ତାଙ୍କୁ ଜେଲହାଜତକୁ ପଠାଇ ଦିଆଯାଇଛି ।
ସୁନାବେଡ଼ା ଆଇଆଇସି ପ୍ରଦୁମ୍ନ ମହାପାତ୍ର କହିଛନ୍ତି, ଯୁଗଳ ସ୍ଥାନୀୟ ଏନଏସି ମାର୍କେଟରେ ଏକ ଟେଲରିଂ ଦୋକାନ କରିଛନ୍ତି । ସେ ଦୟାଙ୍କ ଠାରୁ କିଛି ଟଙ୍କା ଉଧାର ନେଇଥିଲେ । ଉଧାର ଟଙ୍କା ନଶୁଝିବା ପାଇଁ ଦୟାକୁ ମାରିବାକୁ ଯୋଜନା କରିଥିଲେ । ଘଟଣାଦିନ ଯୁଗଳ ନିଜ ଦୋକାନ ବନ୍ଦ କରି ଏନଏସି ଛକରେ କେଉଭଳି ଭାବରେ ଦୟାକୁ ଅପେକ୍ଷା କରିଥିଲେ ଦେଖାଇଥିଲେ । ଦୟା ଆସିବା ପରେ କିଭଳି ତାଙ୍କ ସହିତ ମଦ୍ୟପାନ କରିଥିଲେ । ନିଶାସକ୍ତ ଅବସ୍ଥାରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଦୟାକୁ ମାରିଦେଇ ଚପଲ ଛାଡ଼ି ଆହାରକେନ୍ଦ୍ର ଦେଇ ନିଜ ଦୋକାନକୁ ଫେରିଥିବା ଯୁଗଳ ସ୍ୱୀକାର କରିଛନ୍ତି । ଦୋକନରେ ବସି ନୂଆ ପ୍ୟାଣ୍ଟ ସାର୍ଟ କାଢ଼ିଲେ । ରକ୍ତଭିଜା ପ୍ୟାଣ୍ଟ ସାର୍ଟ ଧରି ନଳକୂଅକୁ ଯାଇ ଧୂଆଧୋଇ ହୋଇଥିଲେ । ପୁରୁଣା ପ୍ୟାଣ୍ଟ ସାର୍ଟ ଥୋଇଦେଇ ଘରକୁ ଚାଲି ଯାଇଥିଲେ । ଏସବୁର ଡେ଼ମୋ ପୁଲିସ ନିକଟରେ ଅଭିଯୁକ୍ତ ଦେଖାଇଥିଲେ । ପୁଲିସ ରକ୍ତଭିଜା ଡ୍ରେସ ଜବତ କରିଛି ।
ସୂଚନା ଥାଉକି ଗତ ୯ ତାରିଖରେ ସୁନାବେଡ଼ା ମହିଳା ମହାବିଦ୍ୟାଳୟ ରାସ୍ତାରୁ ପୁଲିସ ଅଟାମିଲ ମାଲିକ ଦୟାଙ୍କ ମୃତ ଦେହ ଉଦ୍ଧାର କରିଥିଲା । ସାଇଣ୍ଟିଫିକ ଟିମ ସହିତ ସନ୍ଧାନୀ କୁକୁର ସାହାଯ୍ୟରେ ପୁଲିସ ତଦନ୍ତ କରିଥିଲା । ଘଟଣା ସ୍ଥଳରୁ ପୁଲିସ ଗୋଟିଏ ଛୁରୀ ଜବତ କରିବା ସହିତ ମୃତ ଦୟାଙ୍କ ସ୍କୁଟ ଉଦ୍ଧାର କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons