ଭାରରେ ବୁହାହେଲେ ଗର୍ଭବତୀ

Get real time updates directly on you device, subscribe now.

ନନ୍ଦପୁର,(ବି.ବି.ନୁ୍ୟଜ): ଢାଳୁଥାଏ ତୁହାକୁ ତୁହା ବର୍ଷା । କଳାହାଣ୍ଡିଆ ମେଘରେ ଢାଙ୍କି ରହିଥାଏ ପୂରା ଆକାଶ । ତଳୁ ପାଣି, ଉପରୁ ପାଣି । ଏଭଳି ଅବସ୍ଥାରେ ଗାଁକୁ ରାସ୍ତା ନଥିବାରୁ ଜଣେ ଗର୍ଭବତୀଙ୍କୁ ନଦୀ ଓ ଦୁର୍ଗମ ଅଞ୍ଚଳ ପାରି କରି ଡାକ୍ତରଖାନା ନେବା ଗାଁ ଲୋକଙ୍କ ପାଇଁ କାଠିକର ପାଠ ହୋଇଛି । ସମସ୍ତଙ୍କ ସହାୟତା ପାଇଁ ବଞ୍ଚିଯାଇଛି ଗର୍ଭବତୀଙ୍କ ଜୀବନ । ଏ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ପାଡୁଆ ପଞ୍ଚାୟତର ଆମ୍ବାପଡ଼ା ଗାଁରେ ।
ଶୁକ୍ରବାର ବିଜୟାଦଶମୀ ପାଇଁ ମା’ଙ୍କ ପୂଜାର୍ଚ୍ଚନାରେ ବ୍ୟସ୍ତଥାନ୍ତି ଲୋକେ । ସବୁଠି ଶୁଭୁଥାଏ ମା’ଙ୍କ ଜୟ ଜୟକାର । ଦୁଃଖର ବିଷୟ, ଏହି ସମୟରେ ଅନ୍ୟ ଜଣେ ମା’ ଯନ୍ତ୍ରଣାରେ ଛଟପଟ ହେଉଥାଏ । ପ୍ରସବ ବେଦନା ବଢିଚାଲିଥାଏ । ହେଲେ ଡାକ୍ତରଖାନା ଯିବାକୁ ବାଟ ନଥାଏ । ଗାଁର ସୁରେଶ ହନ୍ତାଳଙ୍କ ସ୍ତ୍ରୀ ମିନତି ହନ୍ତାଳ(୨୨)ଙ୍କୁ ଡାକ୍ତରଖାନା ନେବା ଲାଗି ଆମ୍ବୁଲାନ୍ସ ସହ ଯୋଗାଯୋଗ କରାଯାଇଥିଲା । ଆମ୍ବୁଲାନ୍ସ ପହଞ୍ଚିଥିଲା । ହେଲେ ଗାଁଠାରୁ ପ୍ରାୟ ୧ କିଲୋମିଟର ଦୂରରେ । ଆଉ ଆଗକୁ ବଢିପାରିନଥିଲା ଆମ୍ବୁଲାନ୍ସର ଚକ । ଏଣେ ମିନତିଙ୍କ ଯନ୍ତ୍ରଣା ଅସହ୍ୟ ହେଉଥାଏ । ଏଭଳି ସମୟରେ ଗାଁ ଲୋକେ ଏକାଠି ହୋଇଥିଲେ । ମହିଳା ଓ ପୁରୁଷମାନେ ମିଶି ଏକ ପ୍ଲାଷ୍ଟିକ୍ ଚେୟାରକୁ ବାଉଁଶ ଓ ରଶିରେ ଭାର ସଦୃଶ ତିଆରି କରିଥିଲେ । ସେଥିରେ ମିନତିଙ୍କୁ ବସାଇଥିଲେ । ଆଗକୁ ବଢିବା ଲାଗି ରାସ୍ତା ନଥିଲା । ମହିଳାମାନେ ଦା’ ସାହାଯ୍ୟରେ ଜମିହୁଡ଼ାରୁ ବଡ଼ ବଡ଼ ଘାସ କାଟି ଚାଲିଥିଲେ । ପରେ ପରେ ବର୍ଷା ପାଣି ଓ କାଦୁଅ ଭିତରେ ପାଦ ଚାପି ଚାପି ଆଗକୁ ବଢୁଥାନ୍ତି ଲୋକେ । ସେତିକିରେ ହଟିନଥିଲା ସମସ୍ୟା । ଜାମଗୁଡ଼ା ଗାଁ ପାଖରେ ଅଟକିଥିବା ଆମ୍ବୁଲାନ୍ସ ପାଖରେ ପହଞ୍ଚିବା ଲାଗି ମଝି ରାସ୍ତାରେ ପଡୁଥିବା ଏକ ନଦୀ ପାରି ହେବାକୁ ପଡ଼ିଥିଲା । ପାଣି ଭିତରେ ପଶି ବହୁ କଷ୍ଟରେ ମିନତିଙ୍କୁ ପାରି କରାଇଥିଲେ ଲୋକେ ।
ଜାମଗୁଡ଼ାରୁ ଆମ୍ବୁଲାନ୍ସ ମିନତିଙ୍କୁ ନେଇ ନନ୍ଦପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲା । ଏ ଦୃଶ୍ୟକୁ ଯିଏ ଆଖିରେ ଦେଖିଛି, ସେ ହିଁ ଯନ୍ତ୍ରଣାକୁ ଉପଲବ୍ଧି କରିଛି । ପ୍ରତି ପାଦେ ପାଦେ ବିପଦ ରହିଥିଲା । ବାଜି ଲାଗୁଥିଲା ଜୀବନ । କେବଳ ସାମୂହିକ ଉଦ୍ୟମ ହିଁ ମିନତିଙ୍କ ଜୀବନ ବଞ୍ଚାଇ ଦେଲା । ଏ ଦୃଶ୍ୟ ଦେଖିବା ପରେ ପ୍ରଶାସନର ଆଖି ଖୋଲିବା ଦରକାର । ଜନନୀ ଯନ୍ତ୍ରଣାକୁ ଦୂର କରିବା ଲାଗି ଆମ୍ବାପଡ଼ା ଗାଁକୁ ଜାମଗୁଡ଼ା ଗାଁରୁ ରାସ୍ତାଟିଏ ଫିଟିବା ଦରକାର । ନହେଲେ ଏଭଳି ପ୍ରତି ମୁହୂର୍ତ୍ତରେ ପ୍ରଶାସନକୁ ଅପବାଦ ମୁଣ୍ଡାଇବାକୁ ପଡ଼ିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons