ଭିଜିଲାନ୍ସ ଜାଲରେ ଆରଡବ୍ଲୁ୍ୟଏସଏସ୍ ସହକାରୀ ନିର୍ବାହୀ ଯନ୍ତ୍ରୀ

Get real time updates directly on you device, subscribe now.

ତାଳଚେର,(ବି.ବି.ନୁ୍ୟଜ): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ସରକାରୀ ବାବୁ । ଠିକାଦାରଙ୍କ ବିଲ୍ ପାସ୍ କରିବାକୁ ୫୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ତାଳଚେର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସଂସ୍ଥା (ଆରଡବ୍ଲୁ୍ୟଏସ୍ଏସ୍)ର ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ସାହୁ ଭିଜିଲାନ୍ସ ଟିମ୍ ହାବୁଡ଼ରେ ପଡ଼ିଛନ୍ତି । ଲାଞ୍ଚ ଟଙ୍କା ସହ ଧରାପଡ଼ିଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସାହୁଙ୍କୁ ଭିଜିଲାନ୍ସ କାବୁ କରିବା ସହ ଏକାଧିକ ସ୍ଥାନରେ ଚଢ଼ଉ କରିଥିଲା ।
ସୂଚନା ଅନୁଯାୟୀ, ଠିକାଦାର ପି. କେ. ପଟ୍ଟନାୟକଙ୍କ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ବିଲ୍ ମିଳୁନଥିଲା । ବିଲ୍ ପାସ୍ କରାଇବାକୁ ଆରଡବ୍ଲୁ୍ୟଏସ୍ଏସ୍ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ୁଥିଲେ ଶ୍ରୀ ପଟ୍ଟନାୟକ । ହେଲେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା । ବିଲ୍ ପାସ୍ କରାଇବା ପାଇଁ ସହକାରୀ ନିର୍ବାହୀଯନ୍ତ୍ରୀ ଶ୍ରୀ ସାହୁ ୧ ଲକ୍ଷ ଟଙ୍କା ଦାବି କରିଥିଲେ । ତେବେ ମୂଲଚାଲ ପରେ ୫୦ ହଜାର ଟଙ୍କା ନେବାକୁ କଥା ଛିଣ୍ଡିଥିଲା । ଏତେ ପରିମାଣର ଟଙ୍କା ଲାଞ୍ଚ ମାଗୁଥିବାରୁ ବାଧ୍ୟହୋଇ ଠିକାଦାର ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ।
ପୂର୍ବ ଯୋଜନା ଅନୁଯାୟୀ ଆଜି ପ୍ରାୟ ଦିନ ୧୨ଟା ବେଳେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସାହୁ କାର୍ଯ୍ୟାଳୟରେ ଠିକାଦାର ଶ୍ରୀ ପଟ୍ଟନାୟକଙ୍କଠାରୁ ଟଙ୍କା ନେଲା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ିବସିଥିଲେ । ତାଙ୍କ ଠାରୁ ରଙ୍ଗବୋଳା ୫୦ ହଜାର ଟଙ୍କା ଜବତ କରିବା ସହ ତାଙ୍କ କାର୍ଯ୍ୟାଳୟରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ସହକାରୀ ନିର୍ବାହୀଯନ୍ତ୍ରୀ ଶ୍ରୀ ସାହୁଙ୍କ ତାଳଚେର ସ୍ଥିତ ସରକାରୀ କାର୍ଯ୍ୟାଳୟ, ସରକାରୀ ବାସଭବନ, ଭୁବନେଶ୍ୱର କଳିଙ୍ଗ ବିହାର ସ୍ଥିତ ବାସଗୃହ ଏବଂ ନୟାଗଡ଼ ଜିଲ୍ଲା ଭାପୁର ସ୍ଥିତ ପୈତୃକ ଘରେ ଏକକାଳୀନ ଚଢ଼ଉ ଜାରି ରହିଛି । ସନ୍ଧ୍ୟା ସୁଦ୍ଧା ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ସମ୍ପତ୍ତିର ହିସାବ ଆକଳନ କରାଯାଇ ନଥିଲେ ମଧ୍ୟ ତିନୋଟି ସ୍ଥାନରେ ଚଢ଼ଉ ଜାରି ରହିଛି । ସହକାରୀ ନିର୍ବାହୀଯନ୍ତ୍ରୀ ଶ୍ରୀ ସାହୁଙ୍କୁ ଭିଜିଲାନ୍ସ ଟିମ୍ ସନ୍ଧ୍ୟାରେ କଟକ ନେଇଯାଇଥିବା ଜଣାପଡ଼ିଛି । ଭିଜିଲାନ୍ସର କଟକ ଡିଭିଜନ୍ ଏସ୍ପି ଅକ୍ଷୟ ମିଶ୍ରଙ୍କ ତତ୍ୱାବଧାନରେ ତଥା ଅନୁଗୁଳ ଭିଜିଲାନ୍ସ ଡିଏସ୍ପି ସୋମନାଥ ବାରିକଙ୍କ ନେତୃତ୍ୱରେ ଢେଙ୍କାନାଳର ଇନ୍ସିପେକ୍ଟର ଅନିରୁଦ୍ଧ ନାୟକ, କଟକ ଡିଭିଜନ୍ର ଇନ୍ସିପେକ୍ଟର ପ୍ରସନ୍ନ ରାଉତ ପ୍ରମୁଖଙ୍କ ସମେତ ୭ ଜଣିଆ ଟିମ୍ ଏହି ଚଢ଼ଉରେ ସାମିଲ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons