ଭ୍ୟାନ ଧକ୍କାରେ ପରିବାରର ୪ ମୃତ

Get real time updates directly on you device, subscribe now.

ଭଞ୍ଜନଗର, (ଗୋବିନ୍ଦ ଚନ୍ଦ୍ର ଗୌଡ଼ଙ୍କଠାରୁ): ନାତିର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଫେରୁଥିଲେ । ପ୍ରବଳ ଖରା ହେତୁ ରାସ୍ତାକଡ଼ରେ ମୋପେଡ୍ ରଖି ନଳକୂଅରୁ ପାଣି ପିଇବାକୁ ଯାଉଥିଲେ । ହେଲେ ବିପରୀତ ଦିଗରୁ ଆସୁଥିବା ପିକ୍ଅପ୍ ଭ୍ୟାନ୍ର ଦ୍ରୁତ ଗତି କାଳ ସାଜିଲା । ଭ୍ୟାନ୍ ଧକ୍କାରେ ଶିଶୁ ପୁତ୍ର ସହ ଗୋଟିଏ ପରିବାରର ୪ ଜଣଙ୍କର ଜୀବନ ଚାଲିଗଲା । ମଙ୍ଗଳବାର ମଧ୍ୟାହ୍ଣ ପ୍ରାୟ ଗୋଟାଏ ବେଳେ ଗାଙ୍ଗପୁର ଥାନା ଅଧୀନ ଇନ୍ଧନପୁର ଠାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡି ଗ୍ରାମର ଜୟରାମ ନାୟକ, ତାଙ୍କର ଦୁଇ ଝିଅ ଲକ୍ଷ୍ମୀ ପାତ୍ର (୨୫), ରିଙ୍କି ନାୟକ (୨୩) ଓ ନାତି ବିଶ୍ୱଜିତ୍ ପାତ୍ର (୬) ।
ଗାଙ୍ଗପୁର ଥାନା ଦାୟିତ୍ୱରେ ରହିଥିବା ବେଲଗୁଣ୍ଠା ଥାନାଧିକାରୀ ପ୍ରକାଶ ଚନ୍ଦ୍ର ସାହୁଙ୍କ ସୂଚନା ମୁତାବକ ଜୟରାମ ନାତିର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଦୁଇ ଝିଅଙ୍କୁ ଧରି ଗାଙ୍ଗପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ । ସେଠାରୁ ଫେରୁଥିବା ବେଳେ ଇନ୍ଧନପୁର ଠାରେ ରାସ୍ତାକଡର ଏକ ନଳକୂଅରୁ ପାଣି ପିଇବାକୁ ମୋପେଡ ରଖି ଠିଆ ହୋଇଥିଲେ । ଏହି ସମୟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସି ପିକ୍ଅପ୍ ଭ୍ୟାନ୍ (ଓଡି୧୫ପି- ୨୩୦୭) ସେମାନଙ୍କ ଉପରେ ଚଢିଯାଇଥିଲା । ଏପରିକି ମୋପେଡ ସହ ଜୟରାମଙ୍କୁ ପ୍ରାୟ ୩୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା ଭ୍ୟାନ୍ । ଫଳରେ ଜୟରାମଙ୍କ ଘଟଣାସ୍ଥଳରେ ହିଁ ମୃତୁ୍ୟ ଘଟିଥିଲା । ଗୁରୁତର ଅବସ୍ଥାରେ ଲକ୍ଷ୍ମୀ ଓ ରିଙ୍କିଙ୍କ ସମେତ ଲକ୍ଷ୍ମୀଙ୍କ ୬ ବର୍ଷର ପୁଅ ବିଶ୍ୱଜିତଙ୍କୁ ଆମ୍ବୁଲାନ୍ସ ଯୋଗେ ଆସିକା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଆସିକା ଡାକ୍ତରଖାନାରେ ଲକ୍ଷ୍ମୀ ଓ ରିଙ୍କିକୁ ମୃତ ଘୋଷଣା କରିଥିଲେ ଡାକ୍ତର । ଗୁରୁତର ବିଶ୍ୱଜିତକୁ ବ୍ରହ୍ମପୁର ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ତାର ମଧ୍ୟ ମୃତୁ୍ୟ ଘଟିଥିଲା ।
ଗୋଟିଏ ପରିବାରର ୪ ଜଣଙ୍କ ଦୁର୍ଘଟଣାରେ ମୃତୁ୍ୟ ପରେ ଇନ୍ଧନପୁର ଠାରେ ଉତ୍ତ୍ୟକ୍ତ ଗ୍ରାମବାସୀ ଅପରାହ୍ଣ ୨ଟାରୁ ରାସ୍ତାରୋକ କରି ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବି କରିଥିଲେ । ୪ ଘଣ୍ଟା କାଳ ରାସ୍ତାରୋକ ହୋଇଥିଲା । ବେଲଗୁଣ୍ଠା ତହସିଲଦାର ଧରଣୀଧର ବେହେରା ରେଡ୍କ୍ରସ୍ ପାଣ୍ଠିରୁ ୪୦ ହଜାର ଟଙ୍କାର ସହାୟତା ଯୋଗାଇ ଦେଇଥିବା ବେଳେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ପକ୍ଷରୁ ବ୍ୟକ୍ତିଗତ ଭାବେ ୪୦ ହଜାର ଟଙ୍କା ମୃତ ଜୟରାମଙ୍କ ପରିବାରକୁ ପ୍ରଦାନ କରାଯାଇଥିଲା । ଫଳରେ ସନ୍ଧ୍ୟା ୬ଟାରେ ରାସ୍ତାରୋକ ହଟିବା ସହ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା ।
ମୃତ ଜୟରାମ ଜଣେ ପନିପରିବା ବ୍ୟବସାୟୀ । ନିଜ ମୋପେଡ୍ରେ ପନିପରିବା ଧରି ଗାଁକୁ ଗାଁ ବୁଲି ବିକି ଗୁଜୁରାଣ ମେଣ୍ଟାଉଥିଲେ । ତାଙ୍କର ୪ଟି ଝିଅ ମଧ୍ୟରୁ ୨ଟି ଝିଅଙ୍କ ବାହାଘର ସରିଥିବା ବେଳେ ଆଉ ୨ ଝିଅ ଅବିବାହିତ ଅଛନ୍ତି । ଏହି ଦୁର୍ଘଟଣାରେ ଜଣେ ବିବାହିତା ଓ ଜଣେ ଅବିବାହିତା ଝିଅଙ୍କ ଜୀବନ ଚାଲିଯାଇଛି । ଦୁର୍ଘଟଣା ଘଟାଇଥିବା ପିକଅପ୍ ଭ୍ୟାନ ସମ୍ବଲପୁରର ବୋଲି ଜଣାପଡିଛି । ଗାଡିଟି ବ୍ରହ୍ମପୁରରେ ଟମାଟ ଅନ୍ଲୋଡ୍ କରି ଦ୍ରୁତଗତିରେ ଫେରୁଥିବା ବେଳେ ଡ୍ରାଇଭରଙ୍କ ଅସାବଧାନତା କାରଣରୁ ଦୁର୍ଘଟଣାର ଶିକାର ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons