ମଦ ଜବତ, ୩ ଗିରଫ

Get real time updates directly on you device, subscribe now.

ଜୟପୁର,(ଦେବଦତ୍ତ ପାଣିଙ୍କଠାରୁ): ବେଆଇନ ମଦ କାରବାର ଅଭିଯୋଗରେ ଅବକାରୀ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବାରିଣୀପୁଟ ପଞ୍ଚାୟତ ଓସିସି କଲୋନିର ଶିଶିର ଖରା(୨୭), ମାଳିଗୁଡ଼ାର ମଙ୍ଗରାଜ ଖିଲ(୩୨) ଏବଂ ସ୍ଥାନୀୟ ପାରାବେଡ଼ାର ଗୁପ୍ତ ଦାସ । ଏ ସମ୍ପର୍କରେ ଥାନାରେ ୪ଟି ଭିନ୍ନ ଭିନ୍ନ ମାମଲା ରୁଜୁ କରାଯାଇଛି । ସେଥିରୁ ଗୋଟିଏ ମାମଲାର ଦୁର୍ବୃତ୍ତ ମଦ ସହ ଗୋଟିଏ ସ୍କୁଟି ଛାଡି ଫେରାର ହୋଇଯାଇଛି । ଅଭିଯୁକ୍ତଙ୍କ ପାଖରୁ ୬୪ ଲିଟର ମଦ ଏବଂ ଗୋଟିଏ ସ୍କୁଟି ଜବତ କରାଯାଇଛି । ଜବତ ମଦର ମୂଲ୍ୟ ୬ ହଜାର ୪୦୦ ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି । ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ ପଠାଇ ଦିଆଯାଇଥିବା ଇନ୍ସପେକ୍ଟର ଦୁର୍ବାଦଳ ବିଶ୍ୱାଳ କହିଛନ୍ତିି ।
ପୁଲିସ ସୂଚନା ଅନୁଯାୟୀ, ଆଜି ସ୍ଥାନୀୟ ଅବକାରୀ ଥାନା ପକ୍ଷରୁ ମିଳିତ ପାଟ୍ରୋଲିଂ ଚାଲିଥିଲା । ଇନ୍ସପେକ୍ଟର ଶ୍ରୀ ବିଶ୍ୱାଳଙ୍କ ନେତୃତ୍ୱରେ ଓଆଇସି ସଞ୍ଜୟ କୁମାର କାଣ୍ଡି, ଏଏସ୍ଆଇ ଏମ୍. ଲକ୍ଷ୍ମଣ ରାଓ, ମାଧବେଶ ମାରାଣ୍ଡି ଏବଂ ବିଭାଗୀୟ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ । ଶିଶିର ୧୨ ଲିଟର, ମଙ୍ଗରାଜ ୩୨ ଲିଟର ଏବଂ ଗୁପ୍ତ ୩୦ ଲିଟର ମଦ ନେଇ ସହରକୁ ଆସୁଥିବା ବେଳେ ଗିରଫ କରାଯାଇଥିଲା । ସେହିପରି ଗତ ୧୧ ତାରିଖ ରାତିରେ ମଦ ଧରପଗଡ଼ ବେଳେ ୟେଲୋ ଡ୍ୟାମ୍ ନୂଆଗୁଡ଼ା ଅଞ୍ଚଳରେ ଜଣେ ଯୁବକ ସ୍କୁଟି(ଓଡି ୧୦ କୁ୍ୟ-୫୧୧୮)ରେ ଆସୁଥିଲେ । ପୁଲିସକୁ ଦେଖି ଗାଡି ଛାଡ଼ି ଚମ୍ପଟ ମାରିଥିଲେ । ମଦ ସହ ଗାଡ଼ି ଜବତ କରାଯାଇଥିଲା । ଗାଡ଼ି ମାଲିକ ଏବଂ ମଦ ସମ୍ପର୍କରେ ତଦନ୍ତ ଜାରି ରହିଛି । ଇନ୍ସପେକ୍ଟର ଶ୍ରୀ ବିଶ୍ୱାଳ ପ୍ରଥମ ମାମଲା, ବ୍ରହ୍ମପୁର ଅବକାରୀ ଗୁଇନ୍ଦା ଏସ୍ଆଇ ବିଶ୍ୱଜିତ ଦାସ ଦ୍ୱିତୀୟ ଏବଂ ତୃତୀୟ ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି । ଓଆଇସି ଶ୍ରୀ କାଣ୍ଡି ଚତୁର୍ଥ ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons