ମନିଷଙ୍କ ମୃତୁ୍ୟ ରହସ୍ୟ:ଶେଷ ଭରସା ଟାୱାର ଡମ୍ପ୍

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବହୁଚର୍ଚ୍ଚିତ ମନିଷ ଅନୁରାଗଙ୍କ ମୃତୁ୍ୟ ଘଟଣାର ୪ ଦିନ ପରେ ୨ ଜଣ ଫୁଲବାଣୀ ଟାଉନ୍ ଥାନାରେ ଆତ୍ମସମର୍ପଣ କରିଛନ୍ତି । ସେମାନେ ହେଲେ ଫୁଲବାଣୀ ଅମଲପଡ଼ାର ଦିନେଶ ମହାପାତ୍ର ଓରଫ ଲିଟୁ ଓ ପିଅନପଡ଼ାର ମୃତୁ୍ୟଞ୍ଜୟ ଓରଫ ମୁନା । ମନିଷଙ୍କ ସହ ଏହି ୨ଜଣ ଶନିବାର ବିଳମ୍ବିତ ରାତି ଯାଏଁ ‘ସାଉଥ୍ ସିଟି’ ହୋଟେଲରେ ରହିଥିବା ପୁଲିସ କହିିଛି । କିନ୍ତୁ ରବିବାର ଭୋର ବେଳେ ପାତ୍ରପଡ଼ା ନମ୍ରକର୍ଣ୍ଣି ପୋଖରୀ କୂଳରେ ମନିଷଙ୍କ ସହ କିଏ ଥିଲା? ସେଠାରେ କ’ଣ ଘଟିଥିଲା? ଏହାର ଥଳକୂଳ ପାଉନି ପୁଲିସ୍ । ଏବେ ପୁଲିସର ଶେଷ ଭରସା ପାଲଟିଛି ଟାୱାର ଡମ୍ପ୍ । ଅଟକ ୪ ଜଣଙ୍କ ମୋବାଇଲ୍ ନମ୍ବର ଲୋକେସନରୁ ଅଭିଯୁକ୍ତଙ୍କ ପତ୍ତା ଲଗାଇବାକୁ ଲାଗିଛି କମିଶନରେଟ୍ ପୁଲିସ ।
ଇନ୍ଫୋସିଟି ଥାନା ପୁଲିସ ଆଜି ଅପରାହ୍ଣରେ ଫୁଲବାଣୀ ଟାଉନ୍ ଥାନାରୁ ୨ ସନ୍ଦିଗ୍ଧଙ୍କୁ ଭୁବନେଶ୍ୱର ଆଣିଛି । ପୁଲିସ କହିଛି, ଦିନେଶ ହେଉଛନ୍ତି ଏକ ଟିଭି ଚ୍ୟାନେଲର କ୍ୟାମେରା ମ୍ୟାନ୍ । ଅନ୍ୟ ଜଣକ ହେଲେ ଫୁଲବାଣୀ ଅଞ୍ଚଳର ଏକ ନାମୀ ଠିକାଦାର । ପୂର୍ବରୁ ମୁନାଙ୍କ ନାଁରେ ଜିଏସ୍ଟି ଠକେଇ ଅଭିଯୋଗ ମଧ୍ୟ ରହିଛି । ଗତକାଲିଠୁ ଉକ୍ତ ଟିଭି ଚ୍ୟାନେଲର ରିପୋର୍ଟର ହିମାଂଶୁ ବେହେରାଙ୍କୁ ଫୁଲବାଣୀରୁ ପୁଲିସ ଉଠାଇ ଆଣିଛି । ଘଟଣାଦିନ ରାତିରେ ସେମାନେ ମନିଷଙ୍କ ସହ ଏକାଠି ମଦ୍ୟପାନ କରିଥିଲେ । ଉକ୍ତ ରାତିରେ ହୋଟେଲରେ ଖାଇବା ପିଇବାରେ ୨୦ ହଜାରରୁ ଅଧିକ ଖର୍ଚ୍ଚ ହୋଇଥଲା । କିନ୍ତୁ ବକେୟା ଦେୟ ପଇଠକୁ କେନ୍ଦ୍ର କରି ବାର୍ କର୍ତ୍ତୃପକ୍ଷ ସେମାନଙ୍କୁ ଘଣ୍ଟାଏ ପାଖାପାଖି ଅଟକ ରଖିଥିବା ସୂଚନା ମିଳିଛି । ଏଥିରେ ମନିଷଙ୍କ କୌଣସି ସମ୍ପୃକ୍ତି ଅଛି କି ନାହିଁ, ସେମାନଙ୍କ ଠାରୁ ସତ ଉଗାଳିବ ପୁଲିସ ।
ସେପଟେ ବିଶେଷସୂତ୍ରରୁ ଖବର ମିଳିଛି, ୨ ସନ୍ଦିଗ୍ଧ ସକାଳ ସାଢେ଼ ୬ଟା ବେଳେ ୟୁନିଟ୍ ୪ ଅଞ୍ଚଳର ‘ସ୍ୱାଗତ ପ୍ୟାଲେସ’ ହୋଟେଲରେ ‘ଚେକ୍ ଇନ୍’ କରିଥିଲେ । ପୁଲିସ ଟିମ୍ ଉକ୍ତ ହୋଟେଲର ରେଜିଷ୍ଟ୍ରର ଯାଞ୍ଚ କରିଛି । ସେଠାରେ ଦିନତମାମ ହୋଟେଲରେ ରହିଥିଲେ । ରବିବାର ଅପରାହ୍ଣରେ ଗଣମାଧ୍ୟମରେ ମନିଷଙ୍କ ମୃତୁ୍ୟ ଖବର ପ୍ରକାଶ ଦେଖି ଲିଟୁ ଡରି ଯାଇଥିଲେ । ସେହିଦିନ ସନ୍ଧ୍ୟାରେ ମୁନା ତୁରନ୍ତ କାର ଯୋଗାଡ଼ କରି ଫୁଲବାଣୀକୁ ପଳାଇଥିଲେ । ହୋଟେଲ ଯିବା ପୂର୍ବରୁ ସେମାନେ ଭୋର୍ ବେଳା ନମ୍ରକର୍ଣ୍ଣି ପୋଖରୀ କୂଳରେ ଥାଇପାରନ୍ତି ବୋଲି ସନେ୍ଦହ କରାଯାଉଛି ।
ଜଣେ ବରିÂ ପୁଲିସ ଅଧିକାରୀ କହିଛନ୍ତି, ୪ ସନ୍ଦିଗ୍ଧଙ୍କ ଠାରୁ ଶନିବାର ରାତିର ରହସ୍ୟ ଜାଣିବାକୁ ଚେଷ୍ଟା ଚାଲିଛି । ଏଥିରେ ମନିଷଙ୍କ ସାଙ୍ଗ ଅମ୍ରିତ ବି ସାମିଲ ଅଛନ୍ତି । ହୋଟେଲରୁ ବାହାରିବା ପରେ କେଉଁମାନେ ମନିଷଙ୍କ ସହ ଏକାଠି କାର୍ରେ ଯାଇଥିଲେ? ପୋଖରୀ ଯାଏଁ ସେମାନେ ସାଙ୍ଗରେ ଥିଲେ କି ନାହିଁ? ଭୋର ୪ଟା ୧୧ ମିନିଟ୍ରେ ମନିଷ ତାଙ୍କ ବାପାଙ୍କୁ ଫୋନ୍ କରି ମୁନା ନାମକ ସାଙ୍ଗ ସାଥୀରେ ଥିବା କହିଥିଲେ । ଅଟକ ଥିବା ମୁନା ସେତେବେଳକୁ ମନିଷଙ୍କ ସାଙ୍ଗରେ ଥାଇପାରନ୍ତି । ସେତେବେଳେ ମନିଷଙ୍କ ସହ ମୁନା ଏକୁଟିଆ ଥିଲେ କି ଆଉ କେହି ଥିଲେ । ଭୋର ବେଳେ ପୋଖରୀ କୂଳରେ ଥାଇ ବାପାଙ୍କୁ ଫୋନ୍ କରିଥିଲେ ନା ଆଉ କେଉଁଠି ଥିଲେ? ଏସବୁ ପ୍ରଶ୍ନର ସତ ଖୋଜୁଛି ପୁଲିସ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons