ମନିଷଙ୍କ ହତ୍ୟା ଘଟଣା:ଶ୍ୱାସରୁଦ୍ଧ ହେଲା କେମିତି?

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବହୁଚର୍ଚ୍ଚିତ ମନିଷ ଅନୁରାଗଙ୍କ ମୃତୁ୍ୟ ମାମଲାରୁ ଧୀରେ ଧୀରେ ପରଦା ହଟିବାରେ ଲାଗିଛି । ଶ୍ୱାସରୁଦ୍ଧ ଯୋଗୁଁ ତାଙ୍କ ମୃତୁ୍ୟ ହୋଇଥିବା ଏମସ୍ ହସ୍ପିଟାଲ ଡାକ୍ତର ସ୍ପଷ୍ଟ କରିଛନ୍ତି । କିନ୍ତୁ ମନିଷଙ୍କ ଶ୍ୱାସରୁଦ୍ଧ କେମିତି ହେଲା? ସାଉଥ୍ ସିଟି ହୋଟେଲରୁ ନିଛାଟିଆ ପୋଖରୀ ଯାଏଁ ଗଲେ କେମିତି? ତାଙ୍କ ତଣ୍ଟି ଚିପାଯାଇଛି କି ମୁହଁରେ କପଡ଼ା ମଡାଇ ମରାଯାଇଛି? ଏସବୁକୁ ପୁଲିସର ତଦନ୍ତର ଦିଗ ମୁହାଁଇଛି ।
ଏମସ୍ ହସ୍ପିଟାଲ ଲୋକ ସମ୍ପର୍କ ଅଧିକାରୀ ଡାକ୍ତର ପ୍ରଭାସ ତ୍ରିପାଠୀ କହିଛନ୍ତି, ମନିଷଙ୍କ ମୃତୁ୍ୟ ଶ୍ୱାସରୁଦ୍ଧ (ଆସ୍ପେକ୍ସିଆ) ଯୋଗୁଁ ହୋଇଛି । ଶରୀରରେ କିଛି ବାହ୍ୟ କ୍ଷତ ଚିହ୍ନ ନାହିଁ । ପାକସ୍ଥଳୀରେ ଖାଦ୍ୟ ଜିନିଷ ରହିଛି । ଶ୍ୱାସନଳୀ କିମ୍ବା ଅନ୍ୟ ଆଭ୍ୟନ୍ତରୀଣ ଅଙ୍ଗରେ ପୋଖରୀ ପାଣି ମଧ୍ୟ ନାହିଁ । ରିପୋର୍ଟରୁ କିନ୍ତୁ ପୁଲିସ ମନିଷଙ୍କ ହତ୍ୟାର ଗନ୍ଧ ବାରିଛି । କେହି ତାଙ୍କ ମୁହଁକୁ କିଛି ନରମ କପଡ଼ାରେ ଚିପି ଥାଇପାରନ୍ତି ବୋଲି ସନେ୍ଦହ କରୁଛି । ପୋଖରୀ ପାଣିରେ ଦୀର୍ଘ ସମୟ ରହିବା ଯୋଗୁଁ ଏହାର ଚିହ୍ନ ମୁହଁରୁ ହଟିଯାଇଥିବା ଅନୁମାନ କରାଯାଉଛି ।
ସିସି କ୍ୟାମେରା ଦେଖାଉଛି, ମନିଷ ହୋଟେଲ ‘ସାଉଥ୍ ସିଟି’ରୁ ବାହାରି ଚାଲି ଚାଲି ଏକୁଟିଆ ଯାଉଛନ୍ତି । ହୋଟେଲଠୁ କିଛି ଦୂରରେ ଥିବା ଏକ ଧଳାରଙ୍ଗ କାର୍ଟି ଷ୍ଟାର୍ଟ ହୋଇ ରହିଛି । କାରରେ ୩-୪ଜଣ ବସିଛନ୍ତି । ସେମାନଙ୍କ ସହ ମନିଷ କାରରେ ବସି କେଉଁଆଡେ଼ ଗଲେ । ସେଠୁ ପ୍ରାୟ ୧ କିମି ଦୂର ପାତ୍ରପଡ଼ା ନମ୍ରକାନୀ ପୋଖରୀ । ଭଗବାନପୁର ଶିଳ୍ପାଞ୍ଚଳ ଦେଇ ପୋଖରୀକୁ କାର୍ ଆସିବା କଷ୍ଟକର । ପାତ୍ରପଡ଼ା ଗାଁ ଦେଇ ଯଦି କାର ଆସିଥିବ, ତେବେ ମନ୍ଦିରଠୁ ୧୦୦ ମିଟର ଦୂରରେ କାର ରଖିବାକୁ ପଡିଥିବ । ରାସ୍ତାକାମ ଯୋଗୁଁ କାର ବି ଭିତରକୁ ପଶିପାରିବନି ।
ଯଦି ମନିଷଙ୍କୁ କାର୍ରେ ହତ୍ୟା କରାଯାଇଥିବ । ତେବେ ତାଙ୍କ ମୃତଦେହକୁ କାରରୁ ବୋହି ପୋଖରୀ ଯାଏଁ ନେବାକୁ ହତ୍ୟାକାରୀମାନେ ସାହାସ କରି ନଥିବେ । ମନ୍ଦିରକୁ ଲାଗିକି ଏକ ପୋଖରୀ ରହିଛି । ସେଠି ମୃତଦେହ ନ ଫୋଫାଡ଼ି ସେମାନେ ଆରପାଖ ପୋଖରୀରେ ମୃତଦେହକୁ କାହିଁକି ଫିଙ୍ଗିଥିଲେ? ଏମିତି ବି ହୋଇଥାଇପାରେ, କାରରୁ ବାହାରି ପୋଖରୀ କୂଳ ଯାଏଁ ସମସ୍ତେ ଯାଇଥିବେ । ସେଠାରେ କୌଣସି କାରଣ ନେଇ ଅପ୍ରୀତିକର ପରିସ୍ଥିତି ଉପୁଜିଥିବ । ହତ୍ୟାକାରୀମାନେ ପୋଖରୀକୁ ଠେଲି ଦେଇଥିବେ । ଯଦି ମନିଷ ହୋଟେଲରେ ନିଶାଦ୍ରବ୍ୟ ସେବନ କରିଥିବେ, ପୋଖରୀରୁ ଉଠିବାକୁ କଷ୍ଟ ହୋଇଥିବ । ଏସବୁ ଦିଗକୁ ନେଇ ପୁଲିସ ତଦନ୍ତ କରୁଛି ।
ସେପଟେ ପୋଖରୀରେ ବୁଡିÿବା କିମ୍ବା ମାତ୍ରାଧିକ ମଦ୍ୟପାନରୁ ଶ୍ୱାସରୁଦ୍ଧ ହୋଇଥିବା କାରଣକୁ ବି ଏଡ଼ାଯାଇ ନପାରେ । ଏଥିପାଇଁ ପୁଲିସ ଡାଏଟମ୍, ଭିସେରା ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରିଛି । ବ୍ୟବଚ୍ଛେଦ ପରେ ମୃତ ଶରୀରର ଆଭ୍ୟନ୍ତରୀଣ ଅଙ୍ଗର ନମୁନାକୁ ରାଜ୍ୟ ଅପରାଧ ବିଧି ବିଜ୍ଞାନଗାର (ଏସ୍ଏଫ୍ଏସ୍ଏଲ)କୁ ପଠାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons